ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କ୍ୱାର୍ଟର ଆବଣ୍ଟନ ପ୍ରସଙ୍ଗ ; ‘ଅନିୟମିତତାର ପ୍ରଶ୍ନ ନାହିଁ’ : ଡି.ଏମ.ଓ, ଡାକ୍ତର ମିତ୍ର

ଖୋର୍ଦ୍ଧା, ୮/୮: ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ସରକାରୀ କ୍ୱାର୍ଟର ଆବଣ୍ଟନକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଅନିୟମିତତା ଅଭିଯୋଗ ପ୍ରକାଶ ପାଇବା ପରେ ଏହି ପ୍ରସଙ୍ଗ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ତେବେ କ୍ୱାର୍ଟର ଆବଣ୍ଟନରେ କୌଣସି ପ୍ରକାର ଅନିୟମିତତା ହୋଇନାହିଁ ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି ଜିଲ୍ଲା ଚିକିତ୍ସା ଅଧିକାରୀ ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧିକ୍ଷକ ଡାକ୍ତର ଶ୍ୟାମାପ୍ରସନ୍ନ ମିତ୍ର।


ଡାକ୍ତର ମିତ୍ରଙ୍କ ସୂଚନା ଅନୁଯାୟୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧୀନରେ ଡାକ୍ତରମାନଙ୍କ ପାଇଁ ମୋଟ ୫ଟି କ୍ୱାର୍ଟର ରହିଛି। ସେଥିମଧ୍ୟରୁ ୪ଟି ଚକ୍ଷୁ ଚିକିତ୍ସାଳୟ ନିକଟରେ ଏବଂ ଗୋଟିଏ ପୁରୁଣା ମେଡିକାଲ ଜେଲ୍‌ ରୋଡ୍‌ରେ ଅବସ୍ଥିତ। ଜେଲ୍‌ ରୋଡ୍‌ରେ ଥିବା କ୍ୱାର୍ଟରଟି ଦୀର୍ଘଦିନ ଧରି ବ୍ୟବହାର ହୋଇନଥିବାରୁ ଏହାର ରକ୍ଷଣାବେକ୍ଷଣ ଅଭାବରେ ଜରାଜୀର୍ଣ୍ଣ ହୋଇପଡ଼ିଥିବା ସେ କହିଛନ୍ତି।

Advertisement


ଅନ୍ୟପକ୍ଷରେ, ଅବଶିଷ୍ଟ ୪ଟି କ୍ୱାର୍ଟର ମଧ୍ୟରୁ ଗୋଟିଏ କ୍ୱାର୍ଟର ପାଇଁ କୌଣସି ଡାକ୍ତର ଆବେଦନ ନକରିବାରୁ ଏହାକୁ ପ୍ରାୟ ଦୁଇମାସ ତଳେ ହସ୍ପିଟାଲ ପରିଚାଳକ ସଂଗୀତା ସ୍ୱାଇଁଙ୍କୁ ଆବଣ୍ଟନ କରାଯାଇଥିବା ଡି.ଏମ.ଓ କହିଛନ୍ତି। ତାଙ୍କ ଅନୁଯାୟୀ, ଆବଣ୍ଟନ ସମୟରେ ନିୟମାନୁଯାୟୀ ଚୁକ୍ତିପତ୍ର କରାଯାଇଛି ଏବଂ କ୍ୱାର୍ଟର ବାବଦ ଧାର୍ଯ୍ୟ ଅର୍ଥ ଟ୍ରେଜେରିରେ ପୈଠ କରାଯାଉଛି। ଡି.ଏମ.ଓ କହିଛନ୍ତି ଯେ, ଖାଲି ଥିବା କ୍ୱାର୍ଟର ପାଇଁ କୌଣସି ଡାକ୍ତର ଆବେଦନ ନକରିବାରୁ ଏହାକୁ ହସ୍ପିଟାଲ ପରିଚାଳକଙ୍କୁ ନିୟମାନୁଯାୟୀ ଆବଣ୍ଟନ କରାଯାଇଛି। ଆବଣ୍ଟନ  ଚୁକ୍ତିପତ୍ରରେ ମଧ୍ୟ ଏକ ସର୍ତ୍ତ ରହିଥିବା ଡିଏମ୍‌ଓ ସ୍ପଷ୍ଟ କରିଛନ୍ତି। ଭବିଷ୍ୟତରେ ଯଦି କୌଣସି ଡାକ୍ତର ଉକ୍ତ କ୍ୱାର୍ଟର ପାଇଁ ଆବେଦନ କରନ୍ତି, ତେବେ ବର୍ତ୍ତମାନର ଆବଣ୍ଟନ ପ୍ରତ୍ୟାହାର କରାଯାଇ କ୍ୱାର୍ଟର ଟି ତୁରନ୍ତ ଖାଲି କରାଯିବ। ଏହି ସର୍ତ୍ତ ଆଧାରରେ ହିଁ କ୍ୱାର୍ଟର ଆବଣ୍ଟନ ହୋଇଥିବା ସେ କହିଛନ୍ତି। ବର୍ତ୍ତମାନ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୭୦ରୁ ଊର୍ଦ୍ଧ୍ୱ ଡାକ୍ତର କାର୍ଯ୍ୟରତ ଥିବାବେଳେ ସେମାନଙ୍କ ପାଇଁ ମାତ୍ର ୫ଟି କ୍ୱାର୍ଟର ରହିଛି। ଏପରି ସ୍ଥିତିରେ କ୍ୱାର୍ଟର ପାଇଁ ଚାହିଦା ଓ ଉପଲବ୍ଧତା ମଧ୍ୟରେ ବଡ଼ ଅନ୍ତର ରହିଛି। ତଥାପି କେତେକ ଡାକ୍ତର ନିଜସ୍ୱ ଘରେ ରହୁଥିବା ଏବଂ ଅଧିକାଂଶ ନିଜ ବାସସ୍ଥାନରୁ ଯାତାୟାତ କରୁଥିବାରୁ କ୍ୱାର୍ଟର ଖାଲି ରହିଥିବା ଡିଏମ୍‌ଓ କହିଛନ୍ତି।
ହସ୍ପିଟାଲରେ ବର୍ତ୍ତମାନ ଦୁଇଜଣ ପରିଚାଳକ କାର୍ଯ୍ୟରତ ଥିବାବେଳେ କ୍ୱାର୍ଟର ପାଇଁ କେବଳ ଜଣେ ପରିଚାଳକ ଆବେଦନ କରିଥିଲେ। ତେଣୁ ଖାଲି ପଡ଼ିଥିବା କ୍ୱାର୍ଟର ତାଙ୍କୁ ଦିଆଯାଇଥିବା ଡିଏମ୍‌ଓଙ୍କ ଯୁକ୍ତି।
କ୍ୱାର୍ଟର ଆବଣ୍ଟନକୁ ନେଇ ନିଜ ପକ୍ଷରେ ଯୁକ୍ତି ରଖି ଡାକ୍ତର ମିତ୍ର କହିଛନ୍ତି ଯେ, ପୁରୀ, ଝାରସୁଗୁଡ଼ା, କୋରାପୁଟ, କନ୍ଧମାଳ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଖାଲି ପଡ଼ିଥିବା ସରକାରୀ କ୍ୱାର୍ଟର ହସ୍ପିଟାଲ ମ୍ୟାନେଜରଙ୍କୁ ଆବଣ୍ଟନ କରାଯାଇଥିବା ନଜିର ରହିଛି। ତେଣୁ ଖୋର୍ଦ୍ଧାରେ ହୋଇଥିବା ଆବଣ୍ଟନକୁ ମଧ୍ୟ ପ୍ରଶାସନିକ ବ୍ୟବସ୍ଥାର ଏକ ଅଂଶ ଭାବେ ଦେଖିବା ଉଚିତ ବୋଲି ସେ ମତ ଦେଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ କେବଳ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳ ନୁହେଁ, ନୟାଗଡ଼, କଟକ ଓ ପୁରୀ ଜିଲ୍ଲାର କେତେକ ଅଞ୍ଚଳରୁ ମଧ୍ୟ ରୋଗୀ ଆସୁଛନ୍ତି। ଫଳରେ ହସ୍ପିଟାଲରେ ପ୍ରାୟ ୨୪ ଘଣ୍ଟା ରୋଗୀ ଓ ସମ୍ପର୍କୀୟଙ୍କ ଭିଡ଼ ରହୁଛି। ଏଭଳି ସ୍ଥିତିରେ ହସ୍ପିଟାଲ ପରିଚାଳକଙ୍କୁ ପରିସରରେ ରହିବା ପାଇଁ ସୁଯୋଗ ମିଳିଲେ ଜରୁରୀ ସମୟରେ ପରିଚାଳନାଗତ ନିଷ୍ପତ୍ତି ନେବା ଏବଂ ରୋଗୀଙ୍କ ସମସ୍ୟାର ସମାଧାନ କରିବା ସହଜ ହୋଇପାରେ ବୋଲି ମତ ପ୍ରକାଶ ପାଇଛି। ରୋଗୀ ଙ୍କ ସମ୍ପର୍କୀୟ ଆଶିଷ ରାୟଙ୍କ କହିବାନୁଯାୟୀ, ହସ୍ପିଟାଲରେ ରୋଗୀ କିମ୍ବା ସମ୍ପର୍କୀୟମାନେ କୌଣସି ସମସ୍ୟାରେ ପଡ଼ିଲେ ଅନେକ ସମୟରେ ପରିଚାଳକଙ୍କୁ ଖୋଜିବାରେ ଅସୁବିଧା ହୁଏ। ପରିଚାଳକ ମେଡିକାଲ ପରିସରରେ ରହିଲେ ଆବଶ୍ୟକ ସମୟରେ ତାଙ୍କ ସହ ଯୋଗାଯୋଗ ସହଜ ହେବ ଏବଂ ସମସ୍ୟାର ଶୀଘ୍ର ସମାଧାନ ହୋଇପାରିବ। ସରକାରୀ
କ୍ୱାର୍ଟର ଦୀର୍ଘଦିନ ଧରି ଖାଲି ପଡ଼ି ରହିଲେ ଏହାର ରକ୍ଷଣାବେକ୍ଷଣ ଅଭାବରେ ଜରାଜୀର୍ଣ୍ଣ ହେବା ସ୍ୱାଭାବିକ। ଜେଲ୍‌ ରୋଡ୍‌ରେ ଥିବା କ୍ୱାର୍ଟରର ବର୍ତ୍ତମାନ ସ୍ଥିତି ଏହାର ଏକ ଉଦାହରଣ ବୋଲି ଡିଏମ୍‌ଓଙ୍କ ସୂଚନାରୁ ଜଣାପଡ଼ୁଛି। ତେଣୁ ଖାଲି ପଡ଼ିଥିବା ସରକାରୀ ଆବାସକୁ ନିୟମସମ୍ମତ ଭାବେ ଆବଶ୍ୟକତା ଥିବା ହସ୍ପିଟାଲ କର୍ମଚାରୀଙ୍କୁ ଦେଇ ବ୍ୟବହାର କରାଗଲେ ଏକପଟେ ସରକାରୀ ସମ୍ପତ୍ତିର ରକ୍ଷଣାବେକ୍ଷଣ ହୋଇପାରିବ, ଅନ୍ୟପଟେ ନିର୍ଦ୍ଧାରିତ ଭଡ଼ା ମାଧ୍ୟମରେ ସରକାରୀ ରାଜସ୍ୱ ମଧ୍ୟ ଆସିପାରିବ ବୋଲି ବରିଷ୍ଠ ନାଗରିକମାନେ ମତ ଦେଇଛନ୍ତି।
ଡି.ଏମ.ଓ ଡାକ୍ତର ଶ୍ୟାମାପ୍ରସନ୍ନ ମିତ୍ରଙ୍କ ସ୍ପଷ୍ଟୀକରଣ ଅନୁଯାୟୀ, ଖାଲି ପଡ଼ିଥିବା କ୍ୱାର୍ଟରକୁ ନିୟମାନୁଯାୟୀ ହସ୍ପିଟାଲ ପରିଚାଳକଙ୍କୁ ଆବଣ୍ଟନ କରାଯାଇଛି ଏବଂ ଏଥିରେ ଅନିୟମିତତାର ପ୍ରଶ୍ନ ନାହିଁ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *