ପଦ୍ମଶ୍ରୀ ସଚ୍ଚି ରାଉତରାୟଙ୍କ ଜନ୍ମ ଜୟନ୍ତୀ ପାଳିତ

ଖୋର୍ଦ୍ଧା :୧୩/୦୫/୨୬:ସଚ୍ଚି ରାଉତରାୟ ସାହିତ୍ୟ ସଂସଦ ଆନୁକୁଲ୍ୟରେ ପଦ୍ମଶ୍ରୀ ସଚ୍ଚିଦାନନ୍ଦ ରାଉତରାୟଙ୍କ ଜୟନ୍ତୀ ତାଙ୍କ ଜନ୍ମ ସ୍ଥାନ ଗୁରୁଜଙ୍ଗ ଦେୱାନ୍ ସାହି ରେ ଆଜି ଅନୁଷ୍ଠିତ ହୋଇ ଯାଇଛି ।


ପ୍ରାରମ୍ଭିକ ପର୍ଯ୍ୟାୟରେ ସଂସଦର ଉପସଭାପତି ତଥା କବୟିତ୍ରୀ ଆରତୀ ମଞ୍ଜରୀ ଦାଶ ଓ ଅବସରପ୍ରାପ୍ତ ଅଧ୍ୟାପିକା ଶୁଭଦର୍ଶିନି ଦେବୀ ଙ୍କ ପରିଚାଳନା କ୍ରମେ ଏକ କବିତା ପାଠୋତ୍ସବ ଆୟୋଜିତ ହୋଇଥିଲା।ଏଥିରେ ଖୋରଧା ଓ ଗୁରୁଜଙ୍ଗର କବିମାନେ ଅଂଶ ଗ୍ରହଣ କରି କବିତା ମାଧ୍ୟମରେ ମାଟିର ମହାକବି ସଚ୍ଚି ରାଉତରାୟ ଙ୍କ ଶବ୍ଦାଞ୍ଜଳି ପ୍ରଦାନ କରିଥିଲେ।ଦ୍ଵିତୀୟ ପର୍ଯ୍ୟାୟରେ  ଗାଳ୍ପିକା ତଥା ସଂସଦର ସଭାପତି ଶ୍ୱେତ ପଦ୍ମାସିନି ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସାହିତ୍ୟ ସଂସଦର ମୁଖପତ୍ର ‘ ଶତଦଳ ‘ ଉନ୍ମୋଚିତ ହୋଇଥିଲା ।

Advertisement


ଏତଦ୍ ବ୍ୟତୀତ କବି ନାରାୟଣ ଦାସ ଙ୍କ କବିତା ପୁସ୍ତକ ‘ କାଶତଣ୍ଡି -୪’ ବରେଣ୍ୟ ଅତିଥିମାନଙ୍କ କର କମଳରେ ଲୋକାର୍ପିତ ହୋଇଥିଲା । ଏହି ସାରସ୍ବତ ଉତ୍ସଵ ରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ ଗବେଷକ ଶ୍ରୀଯୁକ୍ତ ସତ୍ୟବାଦୀ ବଳିଆର୍ସିଂ ସ୍ଵାଧୀନତା ସଂଗ୍ରାମରେ କବି ଙ୍କ ଅବଦାନ ସଂପର୍କରେ ଆଲୋକପାତ କରିଥିଲେ । ମୁଖ୍ୟ ବକ୍ତା ତଥା ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଅଧ୍ୟାପିକା ଡ. ସସ୍ମିତା ପଟ୍ଟନାୟକ ସଚ୍ଚି ରାଉତରାୟଙ୍କ ଉପନ୍ୟାସ ‘ ଚିତ୍ରଗ୍ରିବ ‘ ଠାରୁ ଆରମ୍ଭ କରି ତାଙ୍କ ଗଳ୍ପ ସାମ୍ରାଜ୍ୟ ଓ କବିତାକାଶର ସ୍ଵତନ୍ତ୍ର ବିଭବ ସମ୍ପର୍କରେ ଅବତାରଣା କରି ଓଡ଼ିଆ ସାହିତ୍ୟରେ ପ୍ରାକ୍ ସାରଳା ଯୁଗ ଠାରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ବ୍ୟାପ୍ତ କାବ୍ୟାଦର୍ଶର ସଂକ୍ଷିପ୍ତ ଚିତ୍ର ଉପସ୍ଥାପନ କରିଥିଲେ।

ସଭାର ମୁଖ୍ୟ ଅତିଥି ତଥା ଖୋରଧା ସାହିତ୍ୟ ସଂସଦ ର ପୂର୍ବତନ ସଭାପତି ଶ୍ରୀଯୁକ୍ତ ବୈକୁଣ୍ଠ ନାଥ ରାଜଗୁରୁ ସଚ୍ଚି ରାଉତରାୟ ଙ୍କ ନାମରେ ନାମିତ ଏହି ଅନୁଷ୍ଠାନର ଉଜ୍ଜ୍ବଳ ଭବିଷ୍ୟ କାମନା କରିବା ସହ କବିଙ୍କ ରାଜନୈତିକ ଜୀବନ ଓ ପଲ୍ଲୀ ସାହିତ୍ୟ ଉପରେ ବକ୍ତବ୍ୟ ରଖିଥିଲେ।ଐତିହାସିକ ତଥା ପ୍ରାକ୍ତନ ପ୍ରାଧ୍ୟାପକ ଗୋପାଳ କୃଷ୍ଣ ଦାସ ତାଙ୍କ ଅଭିଭାଷଣରେ ସଚ୍ଚି ରାଉତରାୟଙ୍କ ଗଳ୍ପରେ କୈଶୋର ଜୀବନର ପ୍ରେମ ଓ ଅନ୍ୟାନ୍ୟ ଭାବଧାରା ବିଷୟରେ କହିଥିଲେ।କବି ଙ୍କ ସାହିତ୍ୟ କିପରି ଅଧିକ ଜନାଦୃତ ହୋଇପାରିବ ଓ ରାଜ୍ୟସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ସ୍ଵାଧୀନତା ସଂଗ୍ରାମୀ ସଚ୍ଚି ରାଉତରାୟଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ ନେଇ ତତ୍ପରତା ପ୍ରକାଶ କରିବାକୁ ଉପସ୍ଥିତ ସଚ୍ଚି ରାଉତରାୟପ୍ରେମୀମାନଙ୍କୁ ଆହ୍ବାନ ଦେଇଥିଲେ।

ଏହି ଉତ୍ସବରେ ଗୁରୁଜଂଗ ର ସାରସ୍ଵତ ସାଧକ ସ୍ବର୍ଗତ ପଣ୍ଡିତ ହରିକୃଷ୍ଣ ପ୍ରଧାନ,ବାଇଧର ମହାପାତ୍ର ଓ ଅକ୍ଷୟ ସାହୁ ଙ୍କୁ ମରଣୋତ୍ତର’ ଶତଦଳ ସମ୍ମାନ ‘ ଓ  ଉତ୍ତରୀୟ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବାର୍ଷିକ ବିବରଣୀ ପାଠ କରିଥିଲେ ସମ୍ପାଦକ ଭବାନୀ ପ୍ରସାଦ କର ଓ ଧନ୍ୟବାଦ୍ ଅର୍ପଣ କରିଥିଲେ ସଂଗଠନ ସମ୍ପାଦକ ସନ୍ତୋଷ କୁମାର ସାହୁ। କବି ଙ୍କ ସ୍ମୃତିଚାରଣ କରିବାକୁ ଯାଇ ଉପସଭାପତି ଆରତୀ ମଞ୍ଜରୀ ଦାଶ ତାଙ୍କ ସୁପ୍ରସିଦ୍ଧ ବାଜିରାଉତ କବିତା ଆଲୋଚନା କରିଥିଲେ।  ସଚ୍ଚି ସାହିତ୍ୟପ୍ରେମୀ ମାନଙ୍କ ଉପସ୍ଥିତିରେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ଅଧିବକ୍ତା ଶିବସୁନ୍ଦର ପଟ୍ଟନାୟକ, ସ୍ତମ୍ବକାର ତଥା ଆଧ୍ୟାପକ ତୁଷାର ରଞ୍ଜନ ପାଲଟା ସିଂ ଓ  ପ୍ରଫୁଲ୍ଲ ସାମନ୍ତରା।କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଅନୁଷ୍ଠାନର ସଭ୍ୟ ତଥା ସମାଜସେବୀ ଜୟନ୍ତ ମହାନ୍ତି,ଅନୁପମ ମହାନ୍ତି,ଚିତ୍ରଶିଳ୍ପୀ ତଥା କବି ଶ୍ରୀକାନ୍ତ ପାଣିଗ୍ରାହୀ ଓ ଶ୍ରୀ ବିଭୂତି ସେନାପତି। ସଭା ସଂଯୋଜନା କରିଥିଲେ କବୟିତ୍ରୀ ଯଶସ୍ୱିନି ସାହୁ। ବହୁ ସାମ୍ବାଦିକ, ବୁଦ୍ଧିଜୀବୀ ଓ ସମାଜସେବୀ ଯୋଗଦେଇ ସଚ୍ଚି ରାଉତରାୟ ଙ୍କ ବିପ୍ଲବୀ କବିତା “ବାଜିରାଉତ ” ଠାରୁ ଆରମ୍ଭ କରି “ଛୋଟ ମୋର ଗାଁ ଟି ” ଉପରେ ଆଲୋଚନା ରେ ଭାଗନେଇଥିଲେ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *