ଜିଲ୍ଲା ସ୍ତରୀୟ ପେନସନ ଅଦାଲତ ଅନୁଷ୍ଠିତ

ଅବସର କର୍ମଚାରୀ ମାନଙ୍କ ସାମୟିକ ପେନସନ ତୁରନ୍ତ ପ୍ରଦାନ ପାଇଁ ନିର୍ଦ୍ଦେଶ

ପେନସନ ଅଦାଲତ ରେ ୧୯୩ ପେନସନ କେସ ର ସମୀକ୍ଷା

Advertisement

ଖୋର୍ଦ୍ଧା,(୧୭/୧୦):- ଜିଲ୍ଲା ସ୍ତରୀୟ ପେନସନ ଅଦାଲତ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ପ୍ରତାପ ଚନ୍ଦ୍ର ବେଉରା ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଯାଇଅଛି l ଜିଲ୍ଲାର ଶିକ୍ଷା, ସ୍ଵାସ୍ଥ୍ୟ,ଗମନାଗମନ, ବ୍ଲକ୍, ତହସିଲ, ଅତ୍ୟାବଶ୍ୟକ ସେବା ଯୋଗାଉଥିବା ବିଭାଗ ଏବଂ ସମସ୍ତ ଲାଇନ୍ ଡିପାର୍ଟମେଣ୍ଟ କାର୍ଯ୍ୟାଳୟ ଗୁଡିକରୁ ଅବସର ଗ୍ରହଣ କରିଥିବା ଅଧିକାରୀ, କର୍ମଚାରୀ, ଯନ୍ତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ , ତୃତୀୟ ଶ୍ରେଣୀ କର୍ମଚାରୀ , ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନଙ୍କ ସ୍ଥଗିତ ଥିବା ସାମୟିକ ଓ ପରିବାର  ପେନସନ କେସ ଗୁଡ଼ିକର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେଉରା ଅଧିକାରୀ ମାନଙ୍କ ସହ ଆଲୋଚନା ମାଧ୍ୟମରେ ସମୀକ୍ଷା କରିଥିଲେ l ଯେଉଁ କର୍ମଚାରୀ ମାନଙ୍କର ଉଚ୍ଚ ନ୍ୟାୟାଳୟରେ କେସ ଅଛି ସେଗୁଡିକୁ ଛାଡି ସମସ୍ତ ଅବସର କର୍ମଚାରୀ ମାନଙ୍କ ସାମୟିକ ପେନସନ ତୁରନ୍ତ ପ୍ରଦାନ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ l ସେହିପରି ଯେଉଁ କର୍ମଚାରୀ ମାନଙ୍କ ଭିଜିଲାନ୍ସ କେସ ଅଛି ସେ ଦିଗରେ ଭିଜିଲାନ୍ସ ବିଭାଗ ସମ୍ମତି ପ୍ରଦାନ କଲେ ଓ ସରକାରୀ ମୁଖ୍ୟାଳୟ ଅନୁମତି  ଦେଲେ ସାମୟିକ ପେନସନ ପ୍ରଦାନ କରିବାକୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ l ସେହିପରି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଥିଲେ କେବଳ ସାମୟିକ ପେନସନ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ l  ଯଦି କୌଣସି କର୍ମଚାରୀଙ୍କ କିଛି ଅର୍ଥ ସରକାରଙ୍କୁ ପୈଠ କରିବାକୁ ଅଛି ତାହା ଉକ୍ତ କର୍ମଚାରୀଙ୍କ ଗ୍ରାଚ୍ୟୁଇଟିରୁ କାଟିବାକୁ ନିର୍ଦ୍ଦେଶ ଦେଇଥିଲେ l



ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେଉରା କହିଥିଲେ ସରକାରୀ କର୍ମଚାରୀ ଯେଉଁଦିନ ଚାକିରିରୁ ଅବସର ଗ୍ରହଣ କରିବେ ସେହିଦିନ ସାମୟିକ ପେନସନ ନିର୍ଦ୍ଦେଶ ପତ୍ର ଦେବାର ପ୍ରାବଧାନତା ରହିଛି l ଏଣୁ ଏ ଦିଗରେ ସମସ୍ତ ଆର୍ଜନ ଓ ବିତରଣ ଅଧିକାରୀ (ଡି ଡି ଓ) ଯଥେଷ୍ଟ ଯତ୍ନବାନ ହେବାର ଆବଶ୍ୟକତା ରହିଛି l ଶ୍ରୀ ବେଉରା ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ଜିଲ୍ଲା ଆରକ୍ଷୀ ବିଭାଗ, ପଶୁ ସମ୍ପଦ ବିଭାଗ, ଜିଲ୍ଲା ମଙ୍ଗଳ ବିଭାଗ, ବନଖଣ୍ଡ ବିଭାଗ, ସ୍ଵାସ୍ଥ୍ୟ ବିଭାଗ, ଆଞ୍ଚଳିକ ପରିବହନ ବିଭାଗ, କୃଷି ବିଭାଗ, ଉଦ୍ୟାନ କୃଷି ବିଭାଗ, ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ, ସୂଚନା ଓ ଲୋକସଂପର୍କ ବିଭାଗ, ଜଳସମ୍ପଦ ପ୍ରାଚୀ ଖଣ୍ଡ, ଖୋର୍ଦ୍ଧା ଖଣ୍ଡ, ଜଳ ନିଷ୍କାସନ ଖଣ୍ଡ, ଜିଲ୍ଲା ଶ୍ରମ ବିଭାଗ, ଜିଲ୍ଲା ସମବାୟ ସମିତି, ମତ୍ସ୍ୟ ବିଭାଗ, ସମସ୍ତ ବ୍ଲକ୍ ଓ ତହସିଲ କାର୍ଯ୍ୟାଳୟର ପେନସନ କେସ ର ଅଗ୍ରଗତି ସମୀକ୍ଷା କରିବାସହ ଯେଉଁ ମାନେ ପେନସନ ଅଦାଲତରେ ଯୋଗ ଦେଇ ନାହାନ୍ତି କୈଫତ୍ ତଲବ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ସେହିପରି ସୁଧାରିତ ନିଶ୍ଚିତ କ୍ୟାରିଆର ଅଗ୍ରଗତି (ଏମ ଏ ସି ପି) ମଞ୍ଜୁରୀ କରିବା ଯେଉଁମାନେ ଅବସର ଗ୍ରହଣ ତିନି ମାସ ପରେ ସରକାରୀ ବାସ ଭବନ ଛାଡୁ ନାହାନ୍ତି ସେମାନଙ୍କ ବିରୁଦ୍ଧରେ ଜିଲ୍ଲା ପାଳଙ୍କୁ ଚିଠି ଲେଖିବାକୁ ନିର୍ଦେଶ ଦେଇଥିଲେ l ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେଉରା ପେନସନ ଅଦାଲତ ରେ ୧୯୩ ବିଭିନ୍ନ ବିଭାଗର ଅବସର ପ୍ରାପ୍ତ କର୍ମଚାରୀ ମାନଙ୍କ ପେନସନ ଅଭିଯୋଗ ବିଚାର କରି ବିଭାଗୀୟ ଅଧିକାରୀ ମାନଙ୍କୁ ବିହିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ l



ପେନସନ ଅଦାଲତ ରେ ଡେପୁଟୀ କଲେକ୍ଟର, ନ୍ୟାୟିକ ସୁଶ୍ରୀ ସୃଷ୍ଟି ଅନନ୍ୟା ଶତପଥୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ  ରସ୍ମିବାଳା ପରିଡ଼ା, ବାବୁଲି ପଟ୍ଟନାୟକ ପ୍ରମୁଖ ସହଯୋଗ ପ୍ରଦାନ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଲକ୍ଷ୍ମଣ କୁମାର ବେହେରା,ବିଭିନ୍ନ ବିଭାଗୀୟ ଅଧିକାରୀ ଓ ସେମାନଙ୍କ କାର୍ଯ୍ୟାଳୟ ସଂସ୍ଥା ବିଭାଗ ଅଧିକାରୀ ଏବଂ କର୍ମଚାରୀ ଯୋଗଦେଇଥିଲେ l

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *