ଚାକିରି ଚୋରି ଘଟଣାରେ ରାଜ୍ୟ ସରକାରଙ୍କ ମୁଖା ଖସି ପଡିଛି
କେବଳ ଦଲାଲ ଓ ପରୀକ୍ଷାର୍ଥୀଙ୍କ ଗିରଫ ପର୍ଯ୍ୟାପ୍ତ ନୁହେଁ
ଯୁବ ସମାଜ ରାଜ୍ୟ ସରକାରଙ୍କ ଉପରୁ ଆସ୍ଥା ହରାଇଛନ୍ତି: ବିଜେଡି
ଭୁବନେଶ୍ୱର,( ୦୫/୧୦):- ପୋଲିସ ଏସ୍ଆଇ ପରୀକ୍ଷାର କେଳେଙ୍କାରୀ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ମାଧ୍ୟମରେ କେବଳ ଏଥିରେ ସମ୍ପୃକ୍ତ ବଡ଼ ମୁଣ୍ଡ ମାନଙ୍କୁ ଖସାଇ ଦେବାକୁ ବିଜୁ ଜନତା ଦଳ କହିଛି। ଶଙ୍ଖ ଭବନରେ ରବିବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ପ୍ରୀତିରଞ୍ଜନ ଘଡେଇ କହିଥିଲେ, କ୍ରାଇମବ୍ରାଞ୍ଚ ଏହି ଘଟଣାରେ ସମ୍ପୃକ୍ତ କେବଳ ଦଲାଲମାନଙ୍କୁ ଧରୁଛି ଓ ବଡ ମୁଣ୍ଡକୁ ଛାଡି ଦିଆଯାଉଛି।
ଶ୍ରୀ ଘଡେଇ କହିଥିଲେ, ଚାକିରି ଚୋର ସରକାରଙ୍କ କାର୍ଯ୍ୟରେ ରାଜ୍ୟର ଯୁବ ସମାଜ ବ୍ୟତିବ୍ୟସ୍ତ ହୋଇ ପଡିଲେଣି, ହତାଶ ହୋଇ ପଡିଲେଣି। ରାଜ୍ୟର ଯୁବ ସମାଜ ରାଜ୍ୟ ସରକାରଙ୍କ ଉପରେ ଆସ୍ଥା ହରାଇଲେଣି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୃହ ମନ୍ତ୍ରାଳୟର ଦାୟିତ୍ବରେ ଅଛନ୍ତି । ଏହି ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ ହାତରେ ଦେଇଛନ୍ତି। ଏହି ନିଯୁକ୍ତି ପାଇଁ ପ୍ରଥମ ଥର ମାର୍ଚ୍ଚ ୭ ଓ ୮ରେ ହେବାକୁ ଥିବା ପରୀକ୍ଷାକୁ ଶେଷ ମୁହୂର୍ତ୍ତରେ ବାତିଲ କରାଯାଇଥିଲା। ପରୀକ୍ଷା ବାତିଲର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ିନଥିଲା ବେଳେ ଓପିଆରବିର ଅଧ୍ୟକ୍ଷଙ୍କୁ ବିଦା କରି ନୂତନ ଅଧିକାରୀଙ୍କୁ ଦାୟିତ୍ଵ ଦିଆଯାଇଥିଲା। ଏହାପରେ, ଆଇଟିଆଇର ସହଯୋଗୀ ସଂସ୍ଥା ଭାବେ ପୂର୍ବରୁ ଥିବା ରିଚ ମାଇଣ୍ଡ୍କୁ ହଟାଯାଇ ସିଲିକନ୍ ଟେକ୍କୁ ଦାୟିତ୍ଵ ଦିଆଯାଇଥିଲା। ସିଲିକନ ଟେକ ପୁଣି ପଞ୍ଚସଫ୍ଟ ଟେକନୋଲୋଜିକୁ ସହଯୋଗୀ ଭାବେ ଗ୍ରହଣ କରିଥିଲା। ଆଉଟସୋସିଂର ମାଧ୍ୟମରେ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ପୋଲିସ ଏସ୍ଆଇ ଚାକିରି ବିକ୍ରି ପାଇଁ ଏକ ସୁଚିନ୍ତିତ ଯୋଜନା କରାଯାଇଥିଲା ।
ଶ୍ରୀ ଘଡେଇ ଆହୁରି କହିଥିଲେ, ରାଜ୍ୟ ସରକାରଙ୍କ ଚାକିରି ଚୋରି କାର୍ଯ୍ୟକ୍ରମ ଓଡିଶାବାସୀଙ୍କ ସାମ୍ନାରେ ମୁଖା ଖସି ଯାଇଛି । କ୍ରାଇମବ୍ରାଞ୍ଚ ମାଧ୍ୟମରେ ସେ ଏଥିରେ ସମ୍ପୃକ୍ତ ବଡ଼ ମୁଣ୍ଡକୁ ଖସାଇ ଦେବାକୁ ଉଦ୍ୟମ କରୁଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟର ଗୃହ ସଚିବ, ଡିଜି ପୋଲିସ ଓ ଓପିଆରବିର ଅଧ୍ୟକ୍ଷ ଏହି ଚାକିରି ଚୋରି କାର୍ଯ୍ୟକ୍ରମ ବିଷୟରେ ସ୍ପଷ୍ଟୀକରଣ ରଖନ୍ତୁ ଓ ସିବିଆଇ ତଦନ୍ତର ନିର୍ଦ୍ଦେଶ ଦିଅନ୍ତୁ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now