ଖୋର୍ଦ୍ଧା, (୧୮/୦୯): -ବୋଲଗଡ଼ ସଦର ମହକୁମାସ୍ଥ ତୃତୀୟାପଡ଼ା -୧ ଅଙ୍ଗନୱାଡ଼ି କେନ୍ଦ୍ର ପରିସରରୁ ଗୁରୁବାର ସକାଳ ୯ ଟା ରେ ନଡିଆ ଗଛରୁ ନଡ଼ିଆ ତୋଳୁଥିବା ବେଳେ ନଡ଼ିଆ ବାହୁଙ୍ଗାଟି ଗଛ ତଳେ ଯାଇଥିବା ଉଚ୍ଚ କ୍ଷମତା ସମ୍ପନ୍ନ ୩୩/କେ.ଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବା ଫଳରେ ନଡ଼ିଆ ତୋଳାଳୀ ଶ୍ରମିକ ବିଦ୍ୟୁତ୍ ଆଘାତରେ ପୋଡି ମୃତ୍ୟୁ ଘଟିଥିଲା ଏବଂ ସେ ଗଛରେ ଝୁଲି ରହିଥିଲେ।ଏହି ଘଟଣାକୁ ଗ୍ରାମବାସୀ ମାନେ ଦେଖି ନିକଟସ୍ଥ ସ୍ଥାନୀୟ ବିଦ୍ୟୁତ୍ ଫିଡରରୁ ବିଦ୍ୟୁତ୍ ସରବରାହ କାଟି ଦେଇଥିଲେ।

ଏ ସଂକ୍ରାନ୍ତରେ ସ୍ଥାନୀୟ ଲୋକେ ବୋଲଗଡ଼ ଅଗ୍ନିଶମ ବାହିନୀକୁ ଘଟଣା ସ୍ଥଳକୁ ଡ଼କାଇଥିଲେ। ଝୁଲି ରହିଥିବା ଯୁବକକୁ ଉଚ୍ଚା ସିଡି ପକାଇ ଅଗ୍ନିଶମ ବାହିନୀ ପକ୍ଷରୁ ଗଛରୁ ଉଦ୍ଧାର କରିବା ସମୟରେ ମୃତ ଯୁବକଟି ତିରିଶ ଫୁଟ ତଳକୁ ଖସି ପଡିଥିଲା। ଏହି ଘଟଣାକୁ ଦେଖି ଉପସ୍ଥିତ ଲୋକେ ଅଗ୍ନିଶମ ବାହିନୀର ଦାୟିତ୍ବହୀନତାକୁ ଦାୟୀ କରି କର୍ମଚାରୀ ମାନଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଥିଲେ।

ଏହି ଆକ୍ରମଣ ଘଟଣାର ଖବର ପାଇ ବୋଲଗଡ଼ ଥାନା ପୋଲିସ୍ ତୁରନ୍ତ ପହଞ୍ଚି ଉତ୍ୟକ୍ତ ଜନସାଧାରଣଙ୍କ କବଳରୁ ଅଗ୍ନିଶମ କର୍ମଚାରୀମାନଙ୍କୁ ଉଦ୍ଧାର କରିବା ସହ ନଡ଼ିଆ ତୋଳାଳୀର ମୃତ ଦେହକୁ ଜବତ କରି ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିବା ପରେ ଉତ୍ୟକ୍ତ ଲୋକମାନେ ଶବକୁ ନେଇ କ୍ଷତି ପୂରଣ ଦାବୀ କରି ଖୋର୍ଦ୍ଧା -ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ତହସିଲ ଛକରେ ଶବକୁ ରଖି ରାସ୍ତା ଅବରୋଧ କରିଥିଲେ ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଭୁବନେଶ୍ୱର ଓ ନୟାଗଡ଼ ପଟୁ ଶହ ଶହ ଯାନବାହାନ ଅଟକି ରହିଥିଲା ଦିନ ୧୨ ଟାରୁ 2 ଟା ପର୍ଯ୍ୟନ୍ତ।ଏହି ରାସ୍ତା ରୋକ କରିବା ଫଳରେ ବହୁ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ଘଟଣା ସ୍ଥଳରେ ବୋଲଗଡ଼ ତହସିଲଦାର ବିଜୟ କୁମାର ସେଠୀ, ବୋଲଗଡ଼ ବିଡ଼ିଓ ସୁମନ ସୁଧା କୁଣ୍ଡୁ, ଥାନା ଅଧିକାରୀଣି ସିଗ୍ଧାମୟୀ ବରାଳ ଉତ୍ୟକ୍ତ ଲୋକମାନଙ୍କୁ ବୁଝା ସୁଝା କରିଥିଲେ। ଏହା ସହିତ ତହସିଲଦାର ଶ୍ରୀ ସେଠୀ ମୃତ ଯୁବକ ନିକଟସ୍ଥ ଖଙ୍ଗୁରିଆ ଗ୍ରାମର ପଞ୍ଚାନନ ସାହି ର ବିକ୍ରମ ପରିଡାଙ୍କ ସାନ ପୁଅ ଆଲୋକ କୁମାର ପରିଡ଼ା ଓରଫ୍ ଜଗୁ(୩୦)ଙ୍କ ଶବସଂସ୍କାର ଓ ଶୁଦ୍ଧି କ୍ରିୟା ପାଇଁ ରାଜ୍ୟ ରେଡକ୍ରସ ପାଣ୍ଠିରୁ ୨୦ ହଜାର ଟଙ୍କା ପ୍ରଦାନ କରିଥିଲେ ଏହା ସହିତ ଟିପିସିଓ ଡି ଏଲ ବିଦ୍ୟୁତ୍ ବିଭାଗ ପକ୍ଷରୁ ନିୟମ ଅନୁଯାୟୀ କ୍ଷତି ପୂରଣ ଦେବା ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା।

ମୃତ ଆଲୋକ ବିବାହିତ ତାଙ୍କର ଚାରି ବର୍ଷର ପୁଅଟିଏ ଅଛି ସେ ଅତ୍ୟନ୍ତ ଗରିବ ପରିବାର ହୋଇଥିବାରୁ ଗାଁ ଗାଁ ବୁଲି ଲୋକମାନଙ୍କର ବାଡ଼ିରେ ଥିବା ନଡ଼ିଆ ଗଛରୁ ନଡ଼ିଆ ତୋଳି ଯାହା ପାରିଶ୍ରମିକ ପାଆନ୍ତି ସେହିଥିରେ ପରିବାର ପ୍ରତିପୋଷଣ କରୁଥିଲେ।ଏହି ଘଟଣାରେ ବୋଲଗଡ଼ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଛି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now