ପାର୍ବଣ ଋତୁ ସମୟରେ ରାଜ୍ୟବାସୀଙ୍କ ନିରାପତ୍ତା ତଥା ସୁରକ୍ଷା କୁ ଗୁରୁତ୍ଵ..
ଚାନ୍ଦା ଆଦାୟ କାରୀ ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ

କଟକ :- ଆଗକୁ ଆସୁଛି ପାର୍ବଣ ଋତୁ। ଏହି ସମୟରେ କିଛି ବ୍ୟକ୍ତିବିଶେଷ  ବେଆଇନ ଚାନ୍ଦା ଆଦାୟ କରି ପୂଜା ଉତ୍ସବ ପାଳନ କରିବା ଭଳି ଘଟଣା ବିଭିନ୍ନ ସମୟରେ ନଜରକୁ ଆସିଥାଏ । ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ  ଚାନ୍ଦା ଆଦାୟକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ  ଚାନ୍ଦା ଆଦାୟକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ସମସ୍ତ ଜିଲ୍ଲା ଏସପିଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି। ଏହ ସହ  ତୃଣମୂଳ ସ୍ତରରେ ଏହାକୁ କାର୍ଯ୍ୟକାରୀ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଅପରାହ୍ନରେ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟଠାରେ ଡିଜିପି ଶ୍ରୀ ଖୁରାନିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ  ପାର୍ବଣ ଋତୁ ସମୟରେ ରାଜ୍ୟବାସୀଙ୍କ ନିରାପତ୍ତା ତଥା ସୁରକ୍ଷାକୁ ଅଗ୍ରାଧିକାର ଦେଇ ସେ ଦିଗରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।



ଏହି ପାର୍ବଣ ଋତୁ ସମୟରେ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯିବା ଉପରେ ଡିଜିପି ବୈଠକରେ ଗୁରୁତ୍ଵାରୋପ କରିଥିଲେ। ସଦାସର୍ବଦା ସତର୍କତା ଏବଂ ଯେକୌଣସି ପ୍ରକାର ଅଘଟଣ ସମ୍ପର୍କରେ ଆଗୁଆ ସୂଚନା ପାଇବା ନିମନ୍ତେ ଉପଯୁକ୍ତ ପଦକ୍ଷେପ ନେବାସହ ଏଥିନିମନ୍ତେ ତୁରନ୍ତ ଯୋଜନାବଦ୍ଧ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ପରାମର୍ଶ ଦେଇଥିଲେ। ବିଶେଷକରି ବିଭିନ୍ନ ସମୟରେ ସୋସିଆଲ ମିଡିଆରେ ଗୁଜବ, ବିଭ୍ରାନ୍ତିକର ତଥ୍ୟ ସଂକ୍ରାନ୍ତରେ ସଦାସର୍ବଦା ନଜର ରଖିବା ଉପରେ ସେ ଗୁରୁତ୍ଵ ଦେଇଥିଲେ। ଏଥି ନିମନ୍ତେ ଜିଲ୍ଲାଗୁଡିକରେ କାର୍ଯ୍ୟ କରୁଥିବା ସାଇବର ସେଲ ଦ୍ଵାରା ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ୨୪ ଘଣ୍ଟିଆ ପାଟ୍ରୋଲିଂ କରିବାକୁ ଡିଜିପି ପରାମର୍ଶ ଦେଇଛନ୍ତି ।

ଏହାବ୍ୟତୀତ ସମ୍ବେଦନଶୀଳ ସ୍ଥାନ ଗୁଡିକରେ ପୋଲିସ ପାଟ୍ରୋଲିଂ, କଡାକଡି ଚେକିଂ,  ଅଭ୍ୟାସଗତ ଅପରାଧୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ସହରର ସମ୍ବେଦନଶୀଳ ସ୍ଥାନ ଗୁଡିକରେ ସିସିଟିଭି ଲଗାଇବା,  ଗୁଇନ୍ଦା ସୂଚନା ସଂଗ୍ରହ, ପୂଜା କମିଟି ସହ ଆଲୋଚନା, ବିଭିନ୍ନ ଗୋଷ୍ଠୀ ମାନଙ୍କ ସହ ବୈଠକ, ସ୍ଥାନୀୟ ଲୋକପ୍ରତିନିଧି ମାନଙ୍କ ସହ ସୁସମ୍ପର୍କ ସ୍ଥାପନ,  ଗୁଜବକାରୀଙ୍କୁ ଚିହ୍ନଟ,  ପୂଜା ହେଉଥିବା ସ୍ଥାନରେ ବ୍ୟାପକ ପୋଲିସ ମୁତୟନ, ଭସାଣି ସମୟରେ ସତର୍କତା ପଦକ୍ଷେପ ଆଦି ପ୍ରସଙ୍ଗରେ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ ସମସ୍ତ ଜିଲ୍ଲାର ଏସପି ତଥା ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ। ଏହାସହ ଯେକୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିର  ସମ୍ମୁଖୀନ ହେବାକୁ ସଦାସର୍ବଦା ପ୍ରସ୍ତୁତ ରହିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି।


ଏହା ସହ ପାର୍ବଣ ଋତୁ ସମୟରେ ବେଆଇନ ଗୋ ଚାଲାଣ ଏବଂ ବେଆଇନ ବାଣ ବିକ୍ରି ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ଏତଦବ୍ୟତୀତ ପୂଜା ସମୟରେ ବିଭିନ୍ନ ସ୍ଥାନରେ  କମିଟି ପକ୍ଷରୁ ମେଳାର ଆୟୋଜନ କରାଯାଇଥାଏ।  ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ସ୍ଥାନଗୁଡିକୁ ପରିଦର୍ଶନରେ ଯାଇ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଅନୁଧ୍ୟାନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ଉକ୍ତ ବୈଠକରେ  ଆରକ୍ଷୀ ମହାନିର୍ଦ୍ଦେଶକ (କ୍ରାଇମବ୍ରାଞ୍ଚ) ବିନୟତୋଷ ମିଶ୍ର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୂନିକୀକରଣ) ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା)  ସଞ୍ଜୟ କୁମାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏଚଆରପିସି) ୟତିନ୍ଦ୍ର କୋୟଲ, ଆଇଜିପି ସତୀଶ ଗଜଭିୟେ, ଆଇଜିପି (କ୍ରାଇମବ୍ରାଞ୍ଚ) ସଫିନ ଅହମ୍ମଦ, ଆଇଜିପି (କ୍ରାଇମବ୍ରାଞ୍ଚ) ଡଃ ସାର୍ଥକ ଷଡ଼ଙ୍ଗୀ, ଡିଆଇଜିପି (ପ୍ରୋଭିଜନିଂ) ଚରଣ ସିଂ ମିନା, ଡିଆଇଜିପି (ପର୍ସୋନେଲ) ଯୁଗଳ କିଶୋର କୁମାର ବନୋଥ,  ଏସପି ଭିନୀତ ଅଗ୍ରୱାଲଙ୍କ ସମେତ   ଆଭାସୀ ମାଧ୍ୟମରେ ଗୁଇନ୍ଦା ନିର୍ଦ୍ଦେଶକ  ଆର. ପି. କୋଚେଙ୍କ ସମେତ ସମସ୍ତ ଜିଲ୍ଲା ଏସପି, ରେଞ୍ଜ ଆଇଜି, ଡିଆଇଜି ପ୍ରମୁଖ ଉପସ୍ଥିତ ଥିଲେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *