କଟକ ତା ୦୫/୦୮:– ରୌପ୍ୟ ନଗରୀ କଟକର ଅନ୍ୟତମ ଐତିହ୍ୟ ତାରକସିକୁ ବିଶ୍ୱ ଦରବାରରେ ପହଂଚାଇବା ନିମନ୍ତେ କଟକଠାରେ ରୌପ୍ୟ ତାରକସି ସର୍ବସାଧାରଣ ସୁବିଧା କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଆଜି କଟକ ସିଡିଏ ସେକ୍ଟର ୬ ସ୍ଥିତ ବିଡାନାସୀ ପେଟାନାଳଠାରେ ଏହି ଭିତ୍ତିପ୍ରସ୍ତର ସ୍ଥାପନ କରି ଏହି କେନ୍ଦ୍ର କଟକର ପରମ୍ପରାକୁ ସଂରକ୍ଷଣ କରିବା ସହିତ ନବସୃଜନକୁ ଆପଣାଇ ତାରକସି କାରିଗରମାନଙ୍କୁ ସଶକ୍ତ କରିବା ସହ କଟକ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲି କହିଥିଲେ । ପ୍ରାୟ ସାଢେ ଆଠ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ୧୫୦୦ ବର୍ଗଫୁଟ ଆୟତନର ଏହି ସୁବିଧା କେନ୍ଦ୍ରରେ ଆଧୁନିକ ଉପକରଣ, କାରିଗରମାନଙ୍କୁ ତାଲିମ ଓ ବଜାର ସୁବିଧା ସବୁ କିଛି ଗୋଟିଏ ଛାତ ତଳେ ଯୋଗାଇ ଦିଆଯିବ । ଏହା କେବଳ ଏକ କୋଠା ନୁହେଁ ଏହା ଆଗାମୀ ପିଢୀର କାରିଗରମାନଙ୍କ ପାଇଁ ଏକ ପ୍ରୟୋଗଶାଳା ହେବ ।

ଆଜି କଟକ ସହରରେ ୫୦୦ କାରିଗର ଥିବାବେଳେ ଆଗକୁ ୫୦୦୦ କାରିଗର ପରିବାର ଯେପରି ସୃଷ୍ଟି ହୋଇପାରିବେ ସେ ଦିଗରେ ଯତ୍ନଶୀଳ ହୋଇ କାର୍ଯ୍ୟକ୍ରମ ହାତକୁ ନିଆଯିବ । କଟକର ସ୍ୱାଭିମାନ କଟକ ତାରକସିର ଚମକ ଯେଭଳି ବିଶ୍ୱ ଦରବାରରେ ସ୍ଥାନ ପାଇବ ସେ ଦିଗରେ ଏହି ସୁବିଧା କେନ୍ଦ୍ର କାର୍ଯ୍ୟ କରିବ । ଏହା ଷ୍ଟାର୍ଟ ଅପ୍ ମାନଙ୍କୁ ମଧ୍ୟ ଦିଗଦର୍ଶନ ଦେବ । ଭୋକାଲ ଫର ଲୋକାଲ ଏବଂ ଲୋକାଲ ଟୁ ଗ୍ଲୋବାଲ ମନ୍ତ୍ରରେ ଏହି ସୁବିଧା କେନ୍ଦ୍ରକୁ ଏକ ପର୍ଯ୍ୟଟନସ୍ଥଳୀ ଭାବରେ ବିକଶିତ କରାଯିବ । ଯେଉଁଠାରେ ଦର୍ଶକ ସ୍ୱଚକ୍ଷୁରେ ତାରକସି ସମାଗ୍ରୀ ପ୍ରସ୍ତୁତି ପ୍ରଣାଳୀ ଦେଖିପାରିବେ । ତାରକସି ଭଳି ଏକ କଠିନ କାର୍ଯ୍ୟକୁ କିଭଳି ଆମ କାରିଗର ମାନେ ପିଢୀ ପରେ ପିଢୀ ବଂଚାଇ ରଖିଛନ୍ତି ତାହା ଏହି ସୁବିଧା କେନ୍ଦ୍ରରେ ସଂରକ୍ଷିତ ହୋଇ ରହିବ । କଟକର ଏହି ରୌପ୍ୟ ତାରକସି ସର୍ବସାଧାରଣ ସୁବିଧା କେନ୍ଦ୍ରକୁ ଐତିହ୍ୟ ଶିଳ୍ପୀ ଗ୍ରାମର ମାନ୍ୟତା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ଆସନ୍ତା ଆଠ ମାସ ମଧ୍ୟରେ ଏହି ସୁବିଧା କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଶ୍ରୀମତୀ ପରିଡା ପ୍ରତିଶୃତି ଦେଇଛନ୍ତି ।
ଏହି ଅବସରରେ ବାରବାଟୀ କଟକ ବିଧାୟିକା ଇଂ ସୋଫିଆ ଫିରଦୋସ କହିଥିଲେ ତାରକସି କେବଳ ଆଭୂଷଣରେ ସୀମିତ ହୋଇ ରହିବ ନାହିଁ ଏହା ଆମ କାରିଗର ପରିବାରମାନଙ୍କୁ ଓ କଟକକୁ ଏହାର ଚମକରେ ରୁଦ୍ଧିମନ୍ତ କରିବ । ଏହାଦ୍ୱାରା ପ୍ରତ୍ୟେକ କଟକବାସୀଙ୍କ ସ୍ୱପ୍ନ ପୂରଣ ହେବ । ତେଲଙ୍ଗାନାର କରିମ ନଗର ଓ ବଡ ବଜାର ଭଳି ରୌପ୍ୟ ତାରକସି ପାଇଁ ଏହି ସୁବିଧା କେନ୍ଦ୍ର ନିଜର ପରିଚୟ ସୃଷ୍ଟି କରିବ । କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଏହି କମନ ଫାସିଲିଟି ସେଂଟର କାରିଗରମାନଙ୍କ ତାଲିମ କ୍ଷେତ୍ରରେ ଲାଭଦାୟକ ହୋଇପାରିବ ବୋଲି କହିଥିଲେ । ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ସ୍ୱାଗତ ଅଭିଭାଷଣ ପ୍ରଦାନ କରି କଟକ ତାରକସିର ଅନନ୍ୟ ହସ୍ତଶିଳ୍ପକୁ ସଂରକ୍ଷଣ କରିବା ଏବଂ କାରିଗରମାନଙ୍କୁ ପ୍ରୋତ୍ସାହିତ କରିବା ନିମନ୍ତେ ଏହି ରୌପ୍ୟ ତାରକସି ସର୍ବସାଧାରଣ ସୁବିଧା କେନ୍ଦ୍ର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଥିଲେ । ସେ କହିଥିଲେ କଟକର ତାରକସି କାରିଗରମାନଙ୍କୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ତାଲିମ ଦେଇ ଏହି କାଳଜୟୀ କଳାର ସ୍ଥାୟିତ୍ୱ୍ୱ ଏବଂ ବିଶ୍ୱସ୍ତରୀୟ ସ୍ୱୀକୃତି ଦିଗରେ ଉଦ୍ୟମ କରାଯିବା ନିମନ୍ତେ ଏହି କେନ୍ଦ୍ରରେ ଉନ୍ନତମାନର ଉପକରଣ ଯୋଗାଇ ଦିଆଯିବ । ଓଡ଼ିଶା ପୋଲିସ ହାଉସିଂ କର୍ପୋରେସନର ସିଏମଡି ସୌମେନ୍ଦ୍ର ପ୍ରିୟଦର୍ଶୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଖୁବ ଶୀଘ୍ର ଏହି ସୁବିଧା କେନ୍ଦ୍ର କାର୍ଯ୍ୟ ଶେଷ ହେବ ବୋଲି ପ୍ରତିଶୃତି ଦେଇଥିଲେ । ଶେଷରେ କଟକ ମହାନଗର ନିଗମ କମିଶନର କିରନଦୀପ କୌର ସହୋଟା ଧନ୍ୟବାଦ ଅର୍ପଣ କରିଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now