ବିଜେପି ସଂଖ୍ୟାଲଘୁ ସେଲ୍‌ ସଭାପତିଙ୍କ ପତ୍ନୀ ଧର୍ମଶାଳା ବିଧାୟକଙ୍କ ଦ୍ୱାରା ନିର୍ଯାତିତ

ଅପରାଧୀ ଉପରମୁହାଁ, ସରକାର ଉପାୟଶୂନ୍ୟ

ଯାଜପୁର ଜିଲ୍ଲାରେ କର୍ତ୍ତବ୍ୟରତ ମହିଳା ପୋଲିସ୍ ବି ସୁରକ୍ଷିତ ନାହାନ୍ତି

ସଂଖ୍ୟାଲଘୁ ସମ୍ପ୍ରଦାୟ ମହିଳାଙ୍କୁ ଧର୍ମଶାଳା ବିଧାୟକଙ୍କ ଅସଦାଚରଣ ଦୁର୍ଭାଗ୍ୟଜନକ : ବିଜେଡି

ଭୁବନେଶ୍ୱର: – ନାରୀ ନିର୍ଯାତନାକୁ ନେଇ ସମଗ୍ର ରାଜ୍ୟ ଉଦ୍‌ବିଗ୍ନ ଥିଲାବେଳେ ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ମହିଳାଙ୍କୁ ଧର୍ମଶାଳା ବିଧାୟକଙ୍କ ଅସଦାଚରଣ ଘଟଣାରେ ପୋଲିସ୍ ଏତଲା ଗ୍ରହଣ ନ କରିବା ଉଦ୍‌ବେଗଜନକ ବୋଲି କହିଛି ବିଜୁ ଜନତା ଦଳ ।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ଦଳର ପିଏସି ସଦସ୍ୟା  ଟୁକୁନି ସାହୁ କହିଛନ୍ତି ଯେ, ବିଜେପି ସରକାରରେ ରାଜ୍ୟରେ ମହିଳାମାନେ କୌଣସି କ୍ଷେତ୍ରରେ ସୁରକ୍ଷିତ ନାହାନ୍ତି । ପ୍ରତିଦିନ ରାଜ୍ୟରେ ଘଟୁଥିବା ନାରୀ ନିର୍ଯାତନା ଘଟଣା ପାଇଁ ଓଡ଼ିଶା ଦେଶରେ ନିନ୍ଦିତ ହେଉଛି ।

ଦଳର ମୁଖପାତ୍ର  ଇପ୍‌ସୀତା ସାହୁ କହିଥିଲେ ଯେ, ବିଜେପି ସରକାରରେ ମହିଳା ଓ ଛାତ୍ରୀମାନେ ପ୍ରତ୍ୟେକ ଦିନ ନିର୍ଯାତନାର ଶିକାର ହେଉଥିବା ବେଳେ ଯାଜପୁର ଜିଲ୍ଲାରେ ଏକ ଅଭାବନୀୟ ନାରୀ ନିର୍ଯାତନାର ଖବର ସାମ୍ନାକୁ ଆସିଛି । ବିଜେପି ସଂଖ୍ୟାଲଘୁ ସେଲ୍‌ର ସଭାପତିଙ୍କ ପତ୍ନୀଙ୍କୁ ତାଙ୍କ ଝିଅ ସାମ୍ନାରେ ଧର୍ମଶାଳା ବିଧାୟକଙ୍କ ଦ୍ୱାରା ନିର୍ଯାତନାର ଶିକାର ହୋଇ ପୋଲିସ୍‌ର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ତାଙ୍କର ଏତଲାକୁ ପୋଲିସ୍ ଏ ପର୍ଯ୍ୟନ୍ତ ଗ୍ରହଣ କରୁନାହିଁ । ତାଙ୍କ ସ୍ୱାମୀଙ୍କୁ ଧର୍ମଶାଳାରେ ବ୍ୟବସାୟ କରିବା ପାଇଁ ହେଲେ ମାସିକ ଦାଦାବାଟି ଦେବାକୁ ପଡ଼ିବ ବୋଲି ବିଧାୟକ ଧମକ ଦେଉଛନ୍ତି ବୋଲି ସେ ତାଙ୍କ ଏତଲାରେ ଦର୍ଶାଇଥିଲେ ମଧ୍ୟ ପୋଲିସ୍ ଏପର୍ଯ୍ୟନ୍ତ ବିଧାୟକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ସେହିପରି ଯାଜପୁର ଜିଲ୍ଲା ର ଜଣେ କର୍ତ୍ତବ୍ୟରତ ମହିଳା ଏଏସ୍‌ଆଇଙ୍କୁ ଥାନା ଭିତରେ ବିଜେପି ସମର୍ଥକମାନେ ଅସଭ୍ୟ ଭାଷାରେ ଗାଳି ଗୁଲଜ ସହ ଅପାମାନିତ କରିଥିଲେ । ଏହି ଘଟଣାକୁ ନେଇ ମହିଳା ଏଏସ୍‌ଆଇ ଯାଜପୁର ପୋଲିସ୍ ପ୍ରଶାସନ ନିକଟରେ ଫେରାଦ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏଥିରୁ ଜଣାପଡୁଛି ଧର୍ମଶାଳା ବିଧାୟକଙ୍କ ଧନବଳ ଆଗରେ ରାଜ୍ୟ ବିଜେପି ସଭାପତି ଓ ମୁଖ୍ୟମନ୍ତ୍ରୀ ମହୋଦୟ ଅସହାୟ ହୋଇପଡ଼ିଛନ୍ତି ।

ସେହିପରି ଦଳର ମୁଖପାତ୍ର ସୋଫିଆ ଆଲାମ କହିଥିଲେ ଯେ, ରାଜ୍ୟରେ ସଂଖ୍ୟାଲଘୁ ସମ୍ପ୍ରଦାୟର ମହିଳାମାନେ ନିର୍ଯାତନାର ଶିକାର ହୋଇ ଥାନାର ଦ୍ଵାରସ୍ତ ହେଉଥିଲେ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଦୁର୍ଭାଗ୍ୟଜନକ । ଏଠି ଅପରାଧୀ ଉପରମୁହାଁ ହୋଇଥିବା ବେଳେ ସରକାର ଉପାୟଶୂନ୍ୟ ହୋଇପଡ଼ିଛନ୍ତି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *