ଖୋର୍ଦ୍ଧା :- ବ୍ରାଉନ୍ ସୁଗର ବେପାର ମୂଳପୋଛ କରିବା ଉଦ୍ଦେଶ୍ୟରେ ଜିଲ୍ଲା ପୁଲିସ ପକ୍ଷରୁ ଚାଲିଛି ସ୍ବତନ୍ତ୍ର ଅପରେସନ | ଏନେଇ ପୁଲିସର ସ୍ବତନ୍ତ୍ର ଟିମ୍ ଓ ସ୍ପେଶାଲ ଷ୍ଟାଡ୍ ପକ୍ଷରୁ ଖୋଦ୍ଧା ସହିତ ଏହାର ଆଖପାଖ ଅଞ୍ଚଳରେ ଚଢ଼ଉ କରାଯାଇ ଗୋଟିଏ ପରେ ଗୋଟିଏ ବ୍ରାଉନ୍ସୁଗର ବେପାରୀକୁ ପୁଲିସ ଗିରଫ କରାଯାଉଛି। ଜିଲ୍ଲା ପୁଲିସ ରିପୋର୍ଟ ଦେଖୁଲେ ଗତ ୩ ମାସରେ ୮୨ଲକ୍ଷ ମୂଲ୍ୟର ନିଶା ସାମଗ୍ରୀ ଜବତ ହୋଇଥିବାବେଳେ ଏନେଇ ପୁଲିସ ୩୦ ଜଣଙ୍କୁ ଗିରଫ କରିଛି। ବ୍ରାଉନ୍ ସୁଗର ବାଲେଶ୍ବର, ଜଳେଶ୍ବର ପ୍ରଭୃତି ଅଞ୍ଚଳରୁ ବିଭିନ୍ନ ଗଳାବାଟ ଦେଇ ଖୋର୍ଦ୍ଧା ସହରକୁ ପ୍ରବେଶ କରୁଥିବାବେଳେ ଏବେ ପୁଣି ପଶ୍ଚିମବଙ୍ଗ ଓ ବିହାର ଲିଙ୍କ୍ ପୁଲିସ ପାଇଛି । ଯାହା ଗତ ଦିନର ଗିରଫ ଘଟଣା ସ୍ପଷ୍ଟ କରୁଛି | ଜିଲ୍ଲାରେ ନିଶା କାରବାରକୁ ସମ୍ପୂର୍ଣ ନାଶ କରିବାକୁ ଏସ୍ପି ସାଗରିକା ନାଥଙ୍କ ନିର୍ଦ୍ଦେଶକ୍ରମେ ୨ ଉପଖଣ୍ଡ ଏସ୍ଡିପିଓଙ୍କ ତତ୍ତ୍ୱାବଧାନରେ ୧୨ଟି ଥାନାରେ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିବା ବେଳେ, ଆଣ୍ଟି ନାର୍କୋଟିକୁ ଟାସ୍କଫୋର୍ସ ଏବଂ ଜିଲ୍ଲା ପୁଲିସର ସ୍ବତନ୍ତ୍ର ଟିମ୍ ମଧ୍ୟ କରାଯାଇଛି। ଏଥିସହିତ ସମ୍ପର୍କ ଯୋଜନା ଯୋଗେ ଜିଲ୍ଲାର ଯୁବବର୍ଗଙ୍କୁ ନିଶାରୁ ସ୍ଫୁରେଇ ରହିବାକୁ ସଚେତନତା କରାଯାଉଛି ବୋଲି ଏସ୍ପି କହିଛନ୍ତି।

ଏସ୍ପିଙ୍କ ସୂଚନା ଅନୁସାରେ, ଗତ ମେ’, ଜୁନ୍ ଓ ଚଳିତ ଜୁଲାଇ ମାସକୁ ମିଶାଇ ମୋଟ୍ ୧୫ଟି କେସ୍ ପୁଲିସ କରିଛି । ଏଥିରେ ୭୮୧୭୨ଗ୍ରାମ୍ ବ୍ରାଉନ୍ସୁଗର ଜବତ ହୋଇଛି | ଯାହାର ମୂଲ୍ୟ ୭୮ଲକ୍ଷ ୧୭ ହଜାର ୨ଶହ ଟଙ୍କା ହେବ। ସେହିପରି ୩୭ ୮ କେଳି
ଗଞ୍ଜେଇ ଜବତ ହୋଇଥିବାବେଳେ ଏହାର ମୂଲ୍ୟ ୩ ଲକ୍ଷ ୭୮ ହଜାର ଟଙ୍କା ହେବ ବୋଲି ଏସ୍ପି କହିଛନ୍ତି । ଏହି ଘଟଣାରେ ୩୦ ଜଣଙ୍କୁ ପୁଲିସ ଗିରଫ କରିଛି। ତନ୍ମଧ୍ୟରେ ୨୬ଜଣ ପୁରୁଷ ରହିଥିବାବେଳେ ୪ଜଣ ମହିଳା ରହିଛନ୍ତି | ସେମାନଙ୍କଠାରୁ ନିଶା ସାମଗ୍ରୀ ସମେତ ୧୦ଟି ଫୋନ୍ ଓ ୧୨ଟି ମୋଟର ସାଇକଲକୁ ପୁଲିସ ଜବତ କରିଥିବା ଏସ୍ପି କହିଛନ୍ତି। ଏ ସମ୍ପର୍କରେ ଏସ୍ପିଙ୍କ କହିବା କଥା ଖୋର୍ଦ୍ଧା ଅଞ୍ଚଳରୁ ଯଦିଓ ବ୍ରାଉନ୍ ସୁଗର କମିଛି ତଥାପି ବାହାରୁ ଆସୁଥିବା ଗ୍ୟାଙ୍ଗ୍ର ଗତିବିଧିକୁ ନଜର କରାଯାଉଛି I ଅଗାମୀ ଦିନରେ ଖୋର୍ଦ୍ଧାକୁ ବ୍ରାଇସୁଗରମୁକ୍ତ କରିବା ଲାଗି ପୁଲିସ ପଣ କରିଛି। ବଛାବଛା ଅଧିକାରୀଙ୍କୁ ନେଇ ଗଠିତ ଟିମ୍ ଏନେଇ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛନ୍ତି । ଅନ୍ୟପକ୍ଷରେ କମ୍ ସମୟରେ ଅଧିକ ରୋଜଗାର ନିଶାରେ ବହୁ ଯୁବକ ଓ ମହିଳା ଏଥିରେ ସାମିଲ୍ ହେଉଛନ୍ତି । ଖୋର୍ଦ୍ଧା ବରୁଣେଇସାହି ଗୁଣ୍ଡିଚାନଗରର ଜନୈକା ମହିଳା ମଧ୍ୟ ଏହି ବେପାରକୁ ସହରର ନିଛାଟିଆ ସ୍ଥାନ ଏବଂ ଉପକଣ୍ଠର ବିଭିନ୍ନ ଛକ ସ୍ଥାନରେ ସ୍କୁଟିରେ ଯାଇ ସକାଳ ଓ ସନ୍ଧ୍ୟାରେ ଗ୍ରାହକଙ୍କୁ ଯୋଗାଇଥିବା ଚର୍ଚ୍ଚା ହେଉଛି | ଯାହା ସ୍ଥାନୀୟ ଅଞ୍ଚଳରେ ଲୋକଙ୍କୁ ଅତିଷ୍ଠ କଲାଣି। ଉକ୍ତ ମହିଳାଙ୍କ ବିରୋଧରେ ପୂର୍ବରୁ ଜିଲ୍ଲାପାଳଙ୍କ ନିକଟରେ ସାମୂହିକ ଅଭିଯୋଗ ସାହିବାସିନ୍ଦା କରିଥିଲେ। ତେଣୁ ଏ ଦିଗରେ ପୁଲିସ ଓ ସ୍ବତନ୍ତ୍ର ଅପରେସନ ଟିମ୍ ଦୃଷ୍ଟି ଦେବାକୁ ଜନ ସଧାରଣ ରେ ଦାବି ହେଉଛି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
