୧୦ ବ୍ଲକରେ କାର୍ଯ୍ୟ କରୁଛି ଆରଆରଟିମ୍ କୁକୁଡା ବତକଙ୍କୁ ଦିଆଯାଉଛି ରାଣୀକ୍ଷେତ ଟୀକା
ଚଳିତ ବର୍ଷ ସଂଗ୍ରହ ହେଲାଣି ୧୯୧ ନମୁନା
ଖୋର୍ଦ୍ଧା:- ଚଳିତ ବର୍ଷ ବାର୍ଡ ଫ୍ଲୁ ପୁରୀ ଜିଲ୍ଲା ଡେଲାଙ୍ଗ ଅଂଚଳରେ ଦେଖାଯାଇଛି । ସାଧାରଣତଃ ବାର୍ଡ ଫ୍ଲୁ ଶୀତଦିନେ ଦେଖାଯାଇଥାଏ, ମାତ୍ର ଚଳିତ ବର୍ଷ ବର୍ଷାଦିନରେ ହେବା ନେଇ ଚିନ୍ତାରେ ବିଭାଗ ଓ ଚାଷୀ । ବାର୍ଡ ଫ୍ଲୁ କୁ ନେଇ ଜିଲ୍ଲାବ୍ୟାପି କୁକୁଡ଼ାଚାଷୀଙ୍କ ମନରେ ଏବେ ଛନକା ପଶିଛି । ଚିକେନ ଦୋକନ କୁ ଯିବାକୁ ଲୋକ ମୁଁହ ମୋଡୁଥିବାବେଳେ ସେଭଳି ବେପାର ହେଉନଥିବାରୁ ବେପାରୀ ମଧ୍ୟ ଚିନ୍ତାରେ । ଅନ୍ୟପକ୍ଷରେ ଜିଲ୍ଲାରେ ସେଭଳି ପରିସ୍ଥିତି ଦେଖାଯାଇନି । ବାର୍ଡ ଫ୍ଲୁ ଆଶଙ୍କା ରେ ପ୍ରାଣୀ ବିଭାଗ ପକ୍ଷରୁ ପକ୍ଷୀଙ୍କ ନମୁନା ସଂଗ୍ରହ କରାଯିବା ସହ ଟୀକାକରଣ ଚାଲିଛି । ଏଥିପାଇଁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । କୌଣସି ଚାଷୀ ଭୟବୀତ ନହେବାକୁ ଜିଲ୍ଲା ମୁଖ୍ୟ ପ୍ରାଣୀ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ କୁହାଯାଇଛି ।

ପ୍ରକାଶଥାଉକି, ଖୋର୍ଦ୍ଧା ଜିଲ୍ଲାରେ ବାର୍ଡ ଫ୍ଲୁ ଆଶଙ୍କା ପ୍ରତିବର୍ଷ ରହିଥିବାବେଳେ ୨୦୨୦ ଜାନୁୟାରୀ ମାସରେ ରାଜଧାନୀ ଓୟୁଏଟି ମଧ୍ୟରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିଲା ।ଏଥିରେ ୧୩୪୮କୁକୁଡ଼ା ମୃତୁ୍ୟ ହୋଇଥିବାବେଳେ ୧୦୨୪ଙ୍କୁ ମରାଯାଇଥିଲା । ଜିଲ୍ଲାକୁ ବାର୍ଡ ଫ୍ଲୁ ଭୂତାଣୁ ଆସିବା କିଛି ନୂଆ କଥା ନୁହେଁ । କିଛି ବର୍ଷ ବ୍ୟବଧାରେ ବାର୍ଡ଼ ଫ୍ଲୁ ଭୂତାଣୁ ଲେଉଟିବା ନଜିର ରହିଛି ।ଚଳିତ ବର୍ଷ ଡେଲାଙ୍ଗ ଅଂଚଳରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ଏବେ ଚିନ୍ତାରେ ପଡିଛନ୍ତି ଜିଲ୍ଲାର କୁକୁଡା ଓ ବତକ ଚାଷୀ । ଚଳିତ ବର୍ଷ ଢେଲାଙ୍ଗ ପରେ ଖୋର୍ଦ୍ଧାରେ ଏ ସଂକ୍୍ରମଣ କୁକୁଡାଙ୍କ ଠାରେ ଦେଖାଯାଉଥିବା ଅଭିଯୋଗ ହେଉଛି । ଖୋର୍ଦ୍ଧା ର ବାଜପୁର, ଝିଙ୍କିଝରୀ, ଡିହପୁର, ରାମଚଣ୍ଡୀ, ସିକୋ, ଟାଙ୍ଗୀ ଅଂଚଳର ବଡ଼ପୋଖରିଆ, ଛଣଗିରି, ଜଟଣୀ ଅଂଚଳର ତରାବୋଇ, ହରିପୁର ସମେତ ବେଗୁନିଆ, ବୋଲଗଡ ପ୍ରଭୃତି ଅଂଚଳରେ ଦୈନିକ କୁକୁଡ଼ା ମଡ଼କ ହେଉଥିବା ଅଭିଯୋଗ ହେଉଛି । ତେବେ ଏହାକୁ ଗୁରୁତର ସହ ଗ୍ରହଣ କରିଛି ପ୍ରାଣୀ ସମ୍ପଦ ବିଭାଗ ।
ଅତିରିକ୍ତ ଜିଲା ମୁଖ୍ୟ ପ୍ରାଣୀ ଅଧିକାରୀ ଡା. ଯଶୋବନ୍ତ ପ୍ରଧାନଙ୍କ ସୂଚନା ଅନୁସାରେ, ୨୦୧୯ରେ ହୋଇଥିବା ୨୦ତମ ପ୍ରାଣୀ ଗଣନା ରିପୋର୍ଟ ମୁତାବକ ଜିଲ୍ଲାରେ ୧୫,୭୪, ୭୧୪ କୁକୁଡା ରହିଛନ୍ତି । ପୁରୀ ର ଡେଲାଙ୍ଗ ରେ ଫ୍ଲୁ ଦେଖାଯାଇଛି । ଆମ ଜିଲ୍ଲା ନିକଟ ହୋଇଥିବାରୁ ଫ୍ଲୁ କୁ ଦୃଷ୍ଟିରେ ରଖି ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି । ବତକ, କୁକୁଡା ଓ ପକ୍ଷୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ସହ ରୋଗ ସଂକ୍ରମଣକୁ ପ୍ରତିରୋଧ କରିବାକୁ ପ୍ରସ୍ତୁତ ଆକ୍ସନ ପ୍ଲାନ ଅନୁଯାୟୀ କାର୍ଯ୍ୟ କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ବତକ, କୁକୁଡା ଓ ପକ୍ଷୀଙ୍କ ମଳ ଓ ଲାଳ ନମୁନା ସଂଗ୍ରହ କରାଯାଉଛି । ଜିଲ୍ଲାରେ ମୋଟ ୯୪୨ଟି କୁକୁଡା/ ବତକ ଫାର୍ମ ରହିଛି । ତନ୍ମଧ୍ୟରେ ବୋଲଗଡ ବ୍ଲକରେ ୬୯ଫାର୍ମ, ବେଗୁନିଆ ରେ ୫୯, ଖୋର୍ଦ୍ଧାରେ ୭୬, ଟାଙ୍ଗୀ ରେ ୨୦୧, ବାଣପୁର ରେ ୧୦୩, ଚିଲିକା ରେ ୧୪୨, ଜଟଣୀ ରେ ୧୨୩, ଭୁବନେଶ୍ୱର ରେ ୧୬, ବାଲିଅନ୍ତା ରେ ୧୦୮ ଏବଂ ବାଲିପାଟଣା ରେ ୪୫ଟି ଫାର୍ମ ରହିଛି ।

ତେବେ ଜିଲ୍ଲାର ୧୦ଟି ବ୍ଲକ ରେ ୧୦ଟି ରାପିଡ ରେସପନ୍ସ ଟିମ୍ କାର୍ଯ୍ୟ କରୁଛନ୍ତି । ପ୍ରତ୍ୟେକ ଟିମ୍ ରେ ଜଣେ ପଶୁ ଚିକିସôକ, ୨ଜଣ ପଶୁଧନ ନିରୀକ୍ଷକ, ୨ଜଣ ସହଯୋଗୀ ଏବଂ ମୋବାଇଲ ଭେର୍ଟନାରୀ ଗାଡି ବୁଲୁଛି ।ପ୍ରତ୍ୟେକ ଦିନ ଗ୍ରାମାଂଚଳରେ ରାଣୀକ୍ଷେତ ଟୀକା କୁକୁଡା ଓ ବତକଙ୍କୁ ଦେବା ସହ କେଉଁ ଅଂଚଳରେ କୁକୁଡା କି ବତକ ମରୁଛନ୍ତି ତାହାର ତଥ୍ୟ ସଂଗ୍ରହ କରୁଛନ୍ତି ।

ସେ ଆହୁରୀ ମଧ୍ୟ କହିଲେ, ରାପିଡ ରେସପନ୍ସ ଟିମ୍ ଜିଲ୍ଲାର ଗ୍ରାମାଂଚଳ ଓ ଫାର୍ମ ସମେତ ଚିଲିକା ଏବଂଏହାର ଉପକୂଳବର୍ତୀ ଗାଁ ଗୁଡିକରୁ ଚଳିତ ବର୍ଷ ଆଜି ସୁଦ୍ଧା ୧୯୧ଟି ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ କଟକ ଜିଲ୍ଲା ଫୁଲନଖରାସ୍ଥିତ ପ୍ରାଣୀ ଚିକିତ୍ସାଳୟ ତଥା ଗବେଷଣା କେନ୍ଦ୍ରକୁ ପଠାଯାଇଛି । ସେଠାରେ ଯଦି କୌଣସି ସନେ୍ଦହ କରାଯାଏ, ତେବେ ଭୋପାଳ ସ୍ଥିତ ପ୍ରାଣୀ ବିଜ୍ଞାନ କେନ୍ଦ୍ରକୁ ପରୀକ୍ଷା ପାଇଁ ପଠାଯିବ । ରିପୋର୍ଟ ଆସିବା ପରେ ବାର୍ଡ ଫ୍ଲୁ କି ନାହିଁ ସ୍ପଷ୍ଟ ହେବ ବୋଲି କହିଥିଲେ । ଗତବର୍ଷ ୪୮୩ଟି ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା । ତେବେ ଜନସାଧାରଣ, କୁକୁଡାଚାଷୀ ଓ ପଂଚାୟତ ନିର୍ବାଚତ ପ୍ରତିନିଧି ପ୍ରମୁଖଙ୍କୁ ଏନେଇ ସଚେତନତା କରାଯାଇଛି ।କୌଣସି ସ୍ଥାନରେ ପକ୍ଷୀଙ୍କ ମୃତୁ୍ୟ ହେଲେ ଏନେଇ ନିକଟସ୍ଥ ପ୍ରାଣୀସମ୍ପଦ କାର୍ଯ୍ୟାଳୟରେ ଜଣାଇବାକୁ ସଚେତନ କରାଯାଇଥିବା ଡା. ପ୍ରଧାନ ସୂଚନା ଦେଇଛନ୍ତି ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now