ରଥଯାତ୍ରା ସ୍ମରଣୀୟ ଓ ଦିବ୍ୟ ଅନୁଭବ ହେବ ବୋଲି କହି ମହାବିଭ୍ରାଟ କଲେ
ସମ୍ବାଦିକଙ୍କୁ ସରକାର ନିମନ୍ତ୍ରଣ କରି ପୋଲିସ୍ ଦ୍ୱାରା କ୍ଷତାକ୍ତ କଲେ
ଦଳୀୟ ନେତାଙ୍କୁ ଅତ୍ୟଧିକ କର୍ଡନ ପାସ୍ ରଥଟଣାରେ ବାଧକ ହେଲା
ମୃତାହତଙ୍କ ସଂଖ୍ୟା ସ୍ପଷ୍ଟ କରନ୍ତୁ ସରକାର
ଭୁବନେଶ୍ୱର: – (ଶୁଭ ଖବର)ଚଳିତବର୍ଷ ତ୍ରୁଟିଶୂନ୍ୟ ଓ ସ୍ମରଣୀୟ ରଥଯାତ୍ରା ହେବ ଏବଂ ଏକ ଦିବ୍ୟ ଅନୁଭୂତି ନେଇ ଭକ୍ତମାନେ ଫେରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ, କିନ୍ତୁ ଅବ୍ୟବସ୍ଥିତ ଓ ମହାବିଭ୍ରାଟରେ ରଥଯାତ୍ରା ସମ୍ପନ୍ନ ହେଲା ବୋଲି ବିଜୁ ଜନତା ଦଳ କହିଛି ।
ଆଜି ଶଙ୍ଖ ଭବନରେ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାପତି (ମୁଖ୍ୟାଳୟ) ତଥା ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ଯଥା ସମୟରେ ସେବାୟତଙ୍କ ଦ୍ବାରା ପହଣ୍ଡି ସମ୍ପନ୍ନ ହୋଇଥିଲେ ମଧ୍ୟ, ସରକାରଙ୍କ ଅପାରଗତା ଲାଗି ଶରଧାବାଲିରେ ୩ ରଥ ପହଞ୍ଚିବା ତ ଦୂରର କଥା ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ସିଂହଦ୍ଵାରରୁ ଘୁଞ୍ଚି ପାରିଲା ନାହିଁ । ପର୍ଯ୍ୟାପ୍ତ ସୁରକ୍ଷା କର୍ମୀ ଉପସ୍ଥିତ ଥିଲେ ମଧ୍ୟ ସରକାରଙ୍କ ଅପରିଣାମଦର୍ଶୀ ନିଷ୍ପତ୍ତି ଦ୍ଵାରା ପ୍ରଥମଥର ପାଇଁ ଅତ୍ୟଧିକ ସଂଖ୍ୟାରେ କର୍ଡନ ପାସ୍ ବଣ୍ଟନ, ରଥଟଣାରେ ବିଭ୍ରାଟ ସୃଷ୍ଟି କଲା । ରଥ ନିକଟରେ ବହୁ ସଂଖ୍ୟାରେ ଦଳୀୟ ନେତାଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ସାମ୍ବାଦିକ ମାନଙ୍କୁ ସରକାର ନିମନ୍ତ୍ରଣ କରି ପୋଲିସ୍ ଦ୍ଵାରା ମାଡ଼ ମରାଇ ଲହୁଲୁହାଣ କରିବା ରଥଯାତ୍ରା ଇତିହାସରେ ପ୍ରଥମ । ଅନେକ ବରିଷ୍ଠ ଓ ମହିଳା ସାମ୍ବାଦିକ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି । ଭିଡ଼ ନିୟନ୍ତ୍ରଣରେ ସରକାରଙ୍କ ପାରଦର୍ଶିତା ଅଭାବରୁ ଶହ ଶହ ସଂଖ୍ୟାରେ ଭକ୍ତ ଆହତ ହୋଇଛନ୍ତି ଓ କିଛି ଭକ୍ତ ମଧ୍ଯ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି । ପ୍ରଶାସନ ତୁରନ୍ତ ସ୍ପଷ୍ଟ କରନ୍ତୁ ରଥଯାତ୍ରାରେ କେତେ ସଂଖ୍ୟକ ଭକ୍ତ ମୃତାହତ ହୋଇଛନ୍ତି ।
ଶ୍ରୀ ଜେନା ଆହୁରି କହିଥିଲେ ଯେ, ବିଡ଼ମ୍ବନାର ବିଷୟ ଏହି ଘଟଣା ପରେ ଉଭୟ ଆଇନ ମନ୍ତ୍ରୀ ଓ ଶ୍ରୀମନ୍ଦିର ପ୍ରଶାସକ କହିଛନ୍ତି “ ଏହା ପ୍ରଭୁଙ୍କ ଇଚ୍ଛା”ରୁ ହୋଇଛି । ଯାହା କେବେ ଘଟିନଥିଲା, ସେଭଳି ବିଭ୍ରାଟ ଚଳିତବର୍ଷ ରଥଯାତ୍ରାରେ ଘଟିଲା । ମହାପ୍ରଭୁ ଅଣସର ଘରେ ଥିବା ସମୟରେ ୩ ଠାକୁରଙ୍କ ପାଇଁ ଲାଗି ହେବା ମୋଦକ ଚୋରି ହେଲା ଓ ମାରା ମୋଦକ ମହାପ୍ରଭୁଙ୍କୁ ଅର୍ପଣ କରାଗଲା ବୋଲି ସେବାୟତଙ୍କ ଅଭିଯୋଗକୁ ଆଇନ ମନ୍ତ୍ରୀ ଓ ପ୍ରଶାସନ ଅସ୍ଵୀକାର କଲେ । ଗତବର୍ଷ ରଥଯାତ୍ରା ପହଣ୍ଡି ସମୟରେ ବଡ଼ ଠାକୁର ରଥରୁ ପଡ଼ିଯିବାର ତଦନ୍ତ ରିପୋର୍ଟ ଆଜିଯାଏଁ ସାର୍ବଜନୀନ ହେଲା ନାହିଁ । ଗତବର୍ଷର ଅଘଟଣରୁ ଶିକ୍ଷାଲାଭ କରି ସରକାର ଯଦି ସତର୍କ ହୋଇଥାନ୍ତେ, ତାହେଲେ ଚଳିତବର୍ଷ ଏଭଳି ବିଭ୍ରାଟ ହୋଇନଥାନ୍ତା । ଏହି ବିଭ୍ରାଟର ନୈତିକ ଦାୟିତ୍ଵ ନେଇ ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
