ଦିଲ୍ଲୀପ କୁମାର ପଟ୍ଟନାୟକ
ଖୋର୍ଦ୍ଧା, ୧ା୧୦:- ଖୋର୍ଦ୍ଧାସ୍ଥିତ ବକ୍ସି ଜଗବନ୍ଧୁ ଉଚ୍ଚ ବିଦ୍ୟାଳୟର ୧୨୫ତମ ପ୍ରତିଷ୍ଠା ବର୍ଷ ପୂର୍ତ୍ତି ଉପଲକ୍ଷେ ଗୁରୁବାର ଏକ ସ୍ୱଚ୍ଛତା ଅଭିଯାନ ଓ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ୧୨୫ ବର୍ଷ ପୂର୍ତ୍ତି ଉତ୍ସବ କମିଟିର ଗଣମାଧ୍ୟମ ସଂଯୋଜକ ଉମାଶଙ୍କର ପ୍ରସାଦଙ୍କ ଆବାହକତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଗୁରୁବାର ସକାଳ ୭ଟାରୁ ବିଦ୍ୟାଳୟର ଏନ.ସି.ସି, ସ୍କାଉଟ୍ ଓ ଏନ.ଏସ.ଏସ.ର ୪୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ, ବହୁ ପୂରାତନ ଛାତ୍ର ତଥା ଆଲୁମନି ସଦସ୍ୟ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀ ଏକତ୍ରିତ ହୋଇ ସ୍ୱଚ୍ଛତା ଅଭିଯାନରେ ସାମିଲ ହୋଇଥିଲେ। ସେମାନେ ବିଦ୍ୟାଳୟ ପରିସର ସମେତ ଆସନ୍ତା ୩ ତାରିଖରେ ମହାମହିମ ରାଜ୍ୟପାଳଙ୍କ ଗସ୍ତକୁ ଦୃଷ୍ଟିରେ ରଖି ତାଙ୍କ କାର୍ଯ୍ୟକ୍ରମ ହେବାକୁ ଥିବା ଖେଳପଡ଼ିଆକୁ ସଫାସୁତୁରା କରିଥିଲେ।

ପରେ ‘ସ୍ୱଚ୍ଛ ଭାରତ, ସୁସ୍ଥ ଭାରତ, ସ୍ୱଚ୍ଛ ଖୋର୍ଦ୍ଧା, ସୁନ୍ଦର ଖୋର୍ଦ୍ଧା’ ସ୍ଲୋଗାନ ଦେଇ ଛାତ୍ରଛାତ୍ରୀ, ପ୍ରାକ୍ତନ ଛାତ୍ର ଓ ଶିକ୍ଷକମାନେ ଏକ ସଚେତନତା ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ। ବିଦ୍ୟାଳୟରୁ ବାହାରିଥିବା ଏହି ଶୋଭାଯାତ୍ରା ପୁରୁଣା ବସଷ୍ଟାଣ୍ଡ, ଟ୍ରାଫିକ ଛକ, ବ୍ୟାଙ୍କ ଛକ ଓ ନୂଆ ବସଷ୍ଟାଣ୍ଡ ଦେଇ ଯାଇଥିଲେ । ଏହା ମାଧ୍ୟମରେ ସହରବାସୀଙ୍କୁ ପରିବେଶର ସ୍ୱଚ୍ଛତା ଓ ସୁସ୍ଥ ଜୀବନଯାପନ ସମ୍ପର୍କରେ ସଚେତନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ଏବଂ ପୂର୍ବତନ ବିଧାୟକ ତଥା ବିଦ୍ୟାଳୟର ପୂର୍ବତନ ଛାତ୍ର ରାଜେନ୍ଦ୍ର କୁମାର ସାହୁ ଯୋଗଦେଇଥିଲେ। ୧୨୫ ବର୍ଷ ପୂର୍ତ୍ତି କମିଟିର ମୁଖ୍ୟ ସଂଯୋଜକ ବିକ୍ରମ ଦାଶ, ଅନ୍ୟତମ ସଂଯୋଜକ ସତ୍ୟବ୍ରତ ଦାସ, ଲକ୍ଷ୍ମୀନାରାୟଣ ଭଞ୍ଜ, ପ୍ରମୋଦ ରାୟ, ଜବାହରଲାଲ ସୁବୁଦ୍ଧି, ଦେବପ୍ରସାଦ ମଜୁମଦାର, ରବୀନ୍ଦ୍ର ସାହୁ, ସନ୍ତୋଷ କର, ସୁରେନ୍ଦ୍ର କୁମାର ମହାନ୍ତି, ରବିନାରାୟଣ ମହାନ୍ତି, ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ପଣ୍ଡା, ନାରାୟଣ ଦୋରା, ଚିନ୍ମୟ ମାର୍ଥା, ଶ୍ରୀରାମ ଭୂୟାଁ ଓ ଚନ୍ଦ୍ରକାନ୍ତ ଦାସଙ୍କ ସମେତ ବହୁ ଶିକ୍ଷକ, ଶିକ୍ଷୟିତ୍ରୀ ଓ ପୁରାତନ ଛାତ୍ର ଉପସ୍ଥିତ ଥିଲେ।
ସ୍ୱଚ୍ଛତା ଅଭିଯାନ ପରେ ବିଦ୍ୟାଳୟର ମିନି ହଲରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା। ମଣିପାଲ ହସ୍ପିଟାଲର ଡାକ୍ତର ସୁବାଷ ଚନ୍ଦ୍ର ପାଢ଼ୀ, ସର୍ବଜିତ ମହାପାତ୍ର, ଡାକ୍ତର ରାଜଶ୍ରୀ ପ୍ରଧାନ, ଚିରଞ୍ଜୀବୀ ଦାସ ଓ ଚିନ୍ମୟ ସାହୁ ଶିବିରରେ ଯୋଗଦେଇ ଛାତ୍ରଛାତ୍ରୀ ଓ ପୂରାତନ ଛାତ୍ର ଙ୍କ ଚକ୍ଷୁ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ନାଟ୍ୟକାର ତଥା ସ୍ୱାସ୍ଥ୍ୟକର୍ମୀ ସୁବାଷ ଚନ୍ଦ୍ର ମଲ୍ଲିକ ଏହି ଶିବିର ପରିଚାଳନାରେ ସହଯୋଗ କରିଥିଲେ।

ଏହି ଶିବିରରେ ମୋଟ ୪୯ ଜଣଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରେ ୩୨ ଜଣ ଛାତ୍ରଛାତ୍ରୀ ଓ ୧୭ ଜଣ ପୂର୍ବତନ ଛାତ୍ରଛାତ୍ରୀ ରହିଥିଲେ। ବିଦ୍ୟାଳୟର ୧୨୫ ବର୍ଷ ପୂର୍ତ୍ତି ଉତ୍ସବ ପରିପ୍ରେକ୍ଷୀରେ ଆୟୋଜିତ ଏହି ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
