ବିଭିନ୍ନ ବ୍ଲକ ଓ ପୌରାଞ୍ଚଳରେ ହେବ ଅଭିଯୋଗ ଶୁଣାଣି ଶିବିର; ସକାଳ ୧୦ଟା ୩୦ରୁ ଅପରାହ୍ନ ୧ଟା ଯାଏଁ ଅଭିଯୋଗ ଗ୍ରହଣ
ଦିଲ୍ଲୀପ କୁମାର ପଟ୍ଟନାୟକ
ଖୋର୍ଦ୍ଧା, ୩୦/୯-ଖୋର୍ଦ୍ଧା ଜିଲ୍ଲାରେ ଜନସାଧାରଣଙ୍କ ଅଭିଯୋଗର ଶୁଣାଣି ଓ ତ୍ୱରିତ ସମାଧାନ ନିମନ୍ତେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରର ଆସନ୍ତା ଅକ୍ଟୋବରରୁ ଡିସେମ୍ବର ୨୦୨୬ ପର୍ଯ୍ୟନ୍ତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଏହି ସମୟ ମଧ୍ୟରେ ଜିଲ୍ଲାର ବିଭିନ୍ନ ବ୍ଲକ ଓ ପୌରାଞ୍ଚଳରେ ନିର୍ଦ୍ଧାରିତ ତାରିଖ ଅନୁଯାୟୀ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ। କେବଳ ସରକାରୀ କାର୍ଯ୍ୟଦିବସରେ ଏହି ଶିବିରଗୁଡ଼ିକ ଆୟୋଜନ କରାଯିବ ବୋଲି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ପକ୍ଷରୁ ଜାରି ସୂଚନାରେ କୁହାଯାଇଛି।
ପ୍ରକାଶିତ କାର୍ଯ୍ୟସୂଚୀ ଅନୁଯାୟୀ, ଅକ୍ଟୋବର ୫ ତାରିଖରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଜିଲ୍ଲା ପରିଷଦ ସଭାଗୃହରେ ପ୍ରଥମ ଜନଶୁଣାଣି ଶିବିର ଅନୁଷ୍ଠିତ ହେବ। ଏହାପରେ ଅକ୍ଟୋବର ୧୨ ତାରିଖରେ ବୋଲଗଡ଼ ବ୍ଲକ ଏବଂ ଅକ୍ଟୋବର ୨୬ ତାରିଖରେ ଟାଙ୍ଗୀ ବ୍ଲକରେ ଜନଶୁଣାଣି ଶିବିର ଆୟୋଜନ କରାଯିବ।

ସେହିପରି ନଭେମ୍ବର ୨ ତାରିଖରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଜିଲ୍ଲା ପରିଷଦ ସଭାଗୃହରେ ଜନଶୁଣାଣି ହେବ। ନଭେମ୍ବର ୯ ତାରିଖରେ ଜଟଣୀ ପୌରପରିଷଦ କାର୍ଯ୍ୟାଳୟରେ, ନଭେମ୍ବର ୧୬ ତାରିଖରେ ବେଗୁନିଆ ବ୍ଲକରେ, ନଭେମ୍ବର ୨୩ ତାରିଖରେ ବାଲିଅନ୍ତା ବ୍ଲକରେ ଏବଂ ନଭେମ୍ବର ୩୦ ତାରିଖରେ ବାଣପୁର ବ୍ଲକରେ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ।
ଡିସେମ୍ବର ମାସରେ ମଧ୍ୟ ଚାରିଟି ସ୍ଥାନରେ ଜନଶୁଣାଣି ଶିବିର ଆୟୋଜନ ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ଡିସେମ୍ବର ୭ ତାରିଖରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଜିଲ୍ଲା ପରିଷଦ ସଭାଗୃହରେ, ଡିସେମ୍ବର ୧୪ ତାରିଖରେ ବାଲିପାଟଣା ବ୍ଲକରେ, ଡିସେମ୍ବର ୨୧ ତାରିଖରେ ଚିଲିକା ବ୍ଲକରେ ଏବଂ ଡିସେମ୍ବର ୨୮ ତାରିଖରେ ଭୁବନେଶ୍ୱର ବ୍ଲକରେ ଜନଶୁଣାଣି ଶିବିର ଅନୁଷ୍ଠିତ ହେବ।
ସମସ୍ତ ଶିବିର ସକାଳ ୧୦ଟା ୩୦ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ। ଏହି ଶିବିରଗୁଡ଼ିକରେ ଜନସାଧାରଣ ନିଜ ନିଜ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ଅଭିଯୋଗ ଜିଲ୍ଲା ପ୍ରଶାସନ ସମ୍ମୁଖରେ ଉପସ୍ଥାପନ କରିପାରିବେ।
ଏଥିସହ ଜନସାଧାରଣ ନିଜ ଅଞ୍ଚଳର ଉପଖଣ୍ଡ, ବ୍ଲକ ଓ ତହସିଲ ସ୍ତରରେ କାର୍ଯ୍ୟରତ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ଭେଟି ନିଜର ଅଭିଯୋଗ ଓ ସମସ୍ୟା ସମ୍ପର୍କରେ ଜଣାଇପାରିବେ। ଏହାଦ୍ୱାରା ସ୍ଥାନୀୟ ସ୍ତରରେ ରହିଥିବା ଜନସମସ୍ୟାଗୁଡ଼ିକର ସମାଧାନ ଦିଗରେ ପ୍ରଶାସନିକ ପଦକ୍ଷେପ ନିଆଯାଇପାରିବ।
ଜନସାଧାରଣ ନିର୍ଦ୍ଧାରିତ ତାରିଖ ଓ ସମୟ ଅନୁଯାୟୀ ଜନଶୁଣାଣି ଶିବିରରେ ଯୋଗଦେଇ ନିଜ ଅଭିଯୋଗ ଉପସ୍ଥାପନ କରିବାକୁ ଜିଲ୍ଲାପାଳଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
