ଖୋର୍ଦ୍ଧା, ୩୦/୧୦: ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ବିଶ୍ୱ ମିତବ୍ୟୟିତା ଦିବସ ପାଳନ କରାଯାଇଛି। ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଏକ ସ୍ୱତନ୍ତ୍ର ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓ ଆର୍ଥିକ ସାକ୍ଷରତା ଶିବିର ଆୟୋଜିତ ହୋଇଥିଲା।

କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଞ୍ଚୟକୁ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଅଭିହିତ କରିଥିଲେ। ମିତବ୍ୟୟିତା ଅବଲମ୍ବନ କରି ନିଜର ଆର୍ଥିକ ସ୍ଥିତିକୁ କିପରି ସୁଦୃଢ଼ କରାଯାଇପାରିବ, ସେ ସମ୍ପର୍କରେ ସେ ମତ ରଖିଥିଲେ।
ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ ଯୋଗଦେଇ ବ୍ୟକ୍ତି, ପରିବାର ଓ ରାଷ୍ଟ୍ରର ଭବିଷ୍ୟତ ପାଇଁ ସ୍ୱଳ୍ପ ସଞ୍ଚୟର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେହିପରି ଡିଏସ୍ପି ସାଇବର କ୍ରାଇମ୍ ରବିନାରାୟଣ ଭଞ୍ଜ ଡିଜିଟାଲ କାରବାର ସମୟରେ ସତର୍କତା ଓ ସାଇବର ଠକେଇରୁ ସୁରକ୍ଷା ସମ୍ପର୍କରେ ସଚେତନ କରିଥିଲେ।
ଶିବିରରେ ବିଭିନ୍ନ କ୍ଷୁଦ୍ର ସଞ୍ଚୟ ଯୋଜନା, ନିୟମିତ ସଞ୍ଚୟ, ନିବେଶର ସୁଫଳ ଓ ଆର୍ଥିକ ସାକ୍ଷରତାର ଗୁରୁତ୍ୱ ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିସହ ଡିଜିଟାଲ ଆର୍ଥିକ କାରବାରରେ ସତର୍କତା ଅବଲମ୍ବନ ଓ ସାଇବର ଠକେଇ ରୋକିବାର ପଦକ୍ଷେପ ବିଷୟରେ ମଧ୍ୟ ଅବଗତ କରାଯାଇଥିଲା।
ଏହି ଅବସରରେ ଡାକ ବିଭାଗ, ଭୁବନେଶ୍ୱରର ବରିଷ୍ଠ ଅଧୀକ୍ଷକ ରତନ ଜାନା, ଖୋର୍ଦ୍ଧା ଜିଲ୍ଲାର ମୁଖ୍ୟ ଜିଲ୍ଲା ପ୍ରବନ୍ଧକ, ବିଭିନ୍ନ ବିଭାଗର ଅଧିକାରୀ, ଅଙ୍ଗନବାଡ଼ି କର୍ମୀ, ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା, ବରିଷ୍ଠ ନାଗରିକ ଓ ପୋଷ୍ଟାଲ ଏଜେଣ୍ଟମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ସହକାରୀ ନିର୍ଦ୍ଦେଶକ, ସଞ୍ଚୟ ଓ ଆର୍ଥିକ ସେବା, ଖୋର୍ଦ୍ଧାର ମମତା ନାୟକ ପରିଚାଳନା କରିଥିଲେ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now