ଖୋର୍ଦ୍ଧା,୧୪ା୯: ଆଜି ଥିଲା ଆଶ୍ୱିନ ଶୁକ୍ଳପକ୍ଷ ମୂଳାଷ୍ଟମୀ ଅର୍ଥାତ୍ ପାର୍ବଣର ପ୍ରଥମ ପର୍ବ । ଏହି ଅବସରରେ ଆଜିଠାରୁ ଆରମ୍ଭ ହୋଇଛି ବିଭିନ୍ନ ଶକ୍ତିପୀଠରେ ଷୋଳ ପୂଜା । ମା ଉଗ୍ରତାରାଙ୍କ ପୀଠରେ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଛି । ଓଡିଶାର ପ୍ରସିଦ୍ଧ ଶକ୍ତିପୀଠମାନଙ୍କ ମଧ୍ୟରେ ମା’ ଉଗ୍ରତାରାଙ୍କ ପୀଠ ଅନ୍ୟତମ । ଏହି ପୀଠଟି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଭୂଷଣ୍ଡପୁରର ମନୋରମ ପ୍ରାକୃତିକ ପରିବେଶ ମଧ୍ୟରେ ଅବସ୍ଥିତ । ମା’ଙ୍କ ଅପାର କରୁଣାରୁ ଏଠାରେ ବର୍ଷର ବିଭିନ୍ନ ସମୟରେ ରାଜ୍ୟର ଅନେକ ସ୍ଥାନରୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ବିଶେଷକରି ଶାରଦୀୟ ଉତ୍ସବରେ ଗ୍ରହ ଶାନ୍ତି ପାଇଁ ଶ୍ରଦ୍ଧାଳୁମାନେ ମା’ଙ୍କୁ ବିଶେଷ ପୂଜାର୍ଚ୍ଚନା କରିଥାନ୍ତି । ମା’ ପ୍ରସନ୍ନ ହେଲେ ଭକ୍ତଙ୍କ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ବର୍ତମାନ ମା’ ଉଗ୍ରତାରାଙ୍କ ପୀଠରେ ଷୋଡଶ ଉପଚାର ପୂଜା ଚାଲିଛି ।

ପ୍ରସିଦ୍ଧ ତନ୍ତ୍ରପୀଠ ଭାବେ ମା’ ଉଗ୍ରତାରଙ୍କ ମନ୍ଦିରର ସ୍ୱତନ୍ତ୍ର ସ୍ଥାନ ରହିଛି । ବିଶ୍ୱର ଥିବା ଚାରୋଟି ତାରା ପୀଠ ମଧ୍ୟରୁ ଏହି ପୀଠ ଅନ୍ୟତମ । ମା’ଙ୍କ ପ୍ରତିମା ବେଶ ଶାନ୍ତ ଓ କମନୀୟ । ରାଜା କପିଳେନ୍ଦ୍ର ଦେବ ହଜାର ହଜାର ବର୍ଷ ପୂର୍ବେ ମା’ଙ୍କୁ ଏଠାରେ ସ୍ଥାପନା କରିଥିବାର କଥିତ ରହିଛି । ତନ୍ତ୍ର ସାଧନା ପାଇଁ ଉଭୟ ହିନ୍ଦୁ ଓ ବୌଦ୍ଧ ଧର୍ମାବଲମ୍ବୀମାନେ ମା’ଙ୍କ ସାନ୍ନିଧ୍ୟ ଲାଭ କରୁଥିବା ଦେବୀ ଭାଗବତରେ ଉଲ୍ଲେଖ ରହିଛି । ଶାରଦୀୟ ଉତ୍ସବରେ ମା’ଙ୍କ ପୀଠରେ ଷୋଳଦିନ ବ୍ୟାପୀ ପ୍ରତ୍ୟହ ସ୍ୱତନ୍ତ୍ର ପୂଜାର୍ଚ୍ଚନା, ତନ୍ତ୍ରପାଠ, ଚଣ୍ଡୀପାଠ, ନବଗ୍ରହ ପୂଜା ଓ ଦଶମହାବିଦ୍ୟା ପାଠ କରାଯାଇଥାଏ । ଏହି ପାର୍ବଣ ଅବସରରେ ମା’ଙ୍କୁ ସ୍କନ୍ଧମାତା, ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଂଟା, କୁଷ୍ମାଣ୍ଡ, କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀ, ସିଦ୍ଧିଦାତ୍ରୀ ବେଶରେ ସଜ୍ଜିତ କରାଯାଇ ଥାଏ । ଗ୍ରହରାଜ ବୃହସ୍ପତିଙ୍କ ଇଷ୍ଟଦେବୀ ହେଉଛନ୍ତି ମା’ ଉଗ୍ରତାରା । ତେଣୁ ଗ୍ରହଶାନ୍ତି ପାଇଁ ଶ୍ରଦ୍ଧାଳୁମାନେ ଏହି ପାର୍ବଣରେ ମା’ଙ୍କ ଶରଣାପନ୍ନ ହୋଇଥାନ୍ତି ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now