ତାପଙ୍ଗ ଦଳବେହେରାଙ୍କ ୨୫୫ତମ ଜୟନ୍ତୀ : ତାଙ୍କର ବୀରତ୍ଵ ଗାଥା ଯୁବପିଢ଼ି ଜାଣନ୍ତୁ

ଖୋର୍ଦ୍ଧା:- ତାପଙ୍ଗ ଦଳବେହେରା ସ୍ମୃତି କମିଟି ଓ କଳିଙ୍ଗ ପାଇକ ସଙ୍ଗଠନ ପକ୍ଷରୁ ମିଳିତଭାବେ ତାପଙ୍ଗ ଦଳବେହେରାଙ୍କ ସ୍ମୃତି ପୀଠ ତାପଙ୍ଗଠାରେ ୨୫୫ତମ ଜୟନ୍ତୀ ଉତ୍ସବ ମଙ୍ଗଳବାର ପାଳିତ ହୋଇଯାଇଛି। ଦଳବେହେରାଙ୍କ ସ୍ମୃତିପୀଠରେ ପୁଷ୍ପମାଲ୍ୟ ଅର୍ପଣ ପରେ ସ୍ମୃତି ପରିଷଦର ସଭାପତି ଇଂ.ଶିଶିର କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଏକ ସଭା ହୋଇଥିଲା। ପ୍ରାରମ୍ଭରେ ସ୍ମୃତି କମିଟିର ସମ୍ପାଦକ ସଂଗ୍ରାମ କେଶରୀ ଜଗଦେବ ଅତିଥିଙ୍କ ପରିଚୟ ଓ ସ୍ବାଗତ ଭାଷଣରେ ତାପଙ୍ଗ ଦଳବେହେରାଙ୍କ ବୀରତ୍ବର ଗାଥା, ତାପଙ୍ଗଗଡ଼ର ଗୌରବମୟ ଇତିହାସ ସମ୍ପର୍କରେ କହିଥିଲେ।



ଏହି କାର୍ଯ୍ୟକ୍ରମରେ ରୋଡ଼ଙ୍ଗଗଡ଼ ବକ୍ସି ଜଗବନ୍ଧୁଙ୍କ ଦାୟାଦ ପୂର୍ବତନ ବିଧାୟକଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ମୁଖ୍ୟ ଅତିଥ୍, ରାଜ୍ୟ କୃଷକ ମୋର୍ଗର ସଭାପତି ସୁରଥ ବିଶ୍ଵାଳ ମୁଖ୍ୟ ବକ୍ତା, ଶିକ୍ଷାବିତ୍ ପଦ୍ମନାଭ ବିଶ୍ଵାଳ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦଳବେହେରା ସ୍ମୃତି ପରିଷଦର କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ହରିଚନ୍ଦନ, ଉପଦେଷ୍ଟା ରମଜାନ୍ ଖାଁ, କଳିଙ୍ଗ ପାଇକ ସଙ୍ଗଠନର ସଭାପତି ଭୀମସେନ ପ୍ରଧାନ, ମୃତ୍ୟୁଞ୍ଜୟ ଛୋଟରାୟ, ସତ୍ୟବାଦୀ ବଳିୟାରସିଂହ, ଅମରେନ୍ଦ୍ର ମହାପାତ୍ର, ଭାଗୀରଥ୍ ମଙ୍ଗରାଜ, ବ୍ରଜବନ୍ଧୁ ପରିଡ଼ା, କବି କଣ୍ଡୁରି ଚରଣ ଦାସ ପ୍ରମୁଖ ଦଳବେହେରାଙ୍କ ବୀରତ୍ବକୁ ମନେପକାଇଥିଲେ। ୧୮୧୭ରେ ବକ୍ସିଙ୍କ ନେତୃତ୍ବରେ ଆରମ୍ଭ ହୋଇଥିବା ବିଦ୍ରୋହ ଅଗ୍ନିସିଖା ପାଇକ ବିଦ୍ରୋହ ବ୍ୟାପକ ରୂପ ଧାରଣ କରିଥିଲା। ଏହା ଚାରିଆଡ଼େ ବ୍ୟାପି ଯାଇଥିଲା। ସବୁଠି ପାଇକ ବୀରମାନେ ରଣହୁଙ୍କାର ଦେଇଥିଲେ। ବକ୍ସିଙ୍କ ବଳିଷ୍ଠ ସହ‌ଯୋଗୀ ତାପଙ୍ଗ ଦଳବେହେରା ମାଧବ ଚନ୍ଦ୍ର ରାଉତରାୟ ନେତୃତ୍ବରେ ତାପଙ୍ଗ ଯୁଦ୍ଧ ୧୮୨୭ ମସିହାରେ ୭ଦିନ ଧରି ଚାଲିଥିଲା I ଦଳବେହେରାଙ୍କ ବୀରତ୍ଵ ଗାଥା ପାଠ୍ୟ ପୁସ୍ତକରେ ସ୍ଥାନ ପାଇବା, ରାଜ୍ୟ ସରକାରଙ୍କ ପକ୍ଷରୁତାଙ୍କ ଜନ୍ମୋତ୍ସବ ପାଳନ ଏବଂ ଜାତୀୟ ରାଜପଥ ପାର୍ଶ୍ଵରେ ଏକ ସୁଉଚ୍ଚ ପ୍ରତିମୂର୍ତି ନିର୍ମାଣ ପାଇଁ ଦାବି ଉପସ୍ଥାପିତ ହୋଇଥିଲା। ସ୍ମୃତି ପରିଷଦର ପୂର୍ବତନ ଉପଦେଷ୍ଟା ନିମେଇ ଶ୍ରୀଚନ୍ଦନଙ୍କ ବିୟୋଗରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ହାରାମଣି ମହିଳା ସମିତି ଓ ଗ୍ରାମବାସୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଦଳେଇ ମନୋଜ କୁମାର ବୈରିଗଞ୍ଜନ ଧନ୍ୟବାଦ ଦେଇଥିଲେ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *