ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଂକିଆରେ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ତତ୍ପର ହୋଇଛି ପ୍ରାଣୀ ବିଭାଗ। ଜଂକିଆ ମୁଣ୍ଡାଆମ୍ବ ରେ ଥିବା କୁକୁଡ଼ା ଫାର୍ମ ରୁ ପ୍ରାୟେ ୪୫୦୭ହଜାର କୁକୁଡ଼ା ମରା ଯାଇଥିବାବେଳେ ଦ୍ୱିତୀୟ ଦିନ ଅଭିଯାନରେ ଉକ୍ତ ଫାର୍ମ ରେ ଥିବା ୭୦୩ ବତକଙ୍କୁ ପ୍ରାଣୀ ବିଭାଗ ତରଫରୁ ମରା ଯାଇ ସମ୍ପୂର୍ଣ ଅଞ୍ଚଳକୁ କୁକୁଡ଼ା ଶୂନ୍ୟ କରାଯାଇଛି ବୋଲି ଖୋର୍ଦ୍ଧା ସହ ପ୍ରାଣୀ ନିର୍ଦ୍ଦେଶକ ମାନସ କୁମାର ଚାନ୍ଦ ଜଣାଇଛନ୍ତି।

ଏହି ଫାର୍ମ ଟିକୁ ସମ୍ପୂର୍ଣ ସଫା କରିବା ସହିତ ସାନିଟାଇଜର ପକାଯାଇ ଜୀବାଣୁ ମୁକ୍ତ କରିବା ଉଦ୍ଦେଶ୍ୟରେ ଏହାକୁ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ସିଲ କରାଯାଇଛି। ସେହିପରି ଏହି ଅଞ୍ଚଳ ଠାରୁ ୧ କିଲୋମିଟର ମଧ୍ୟରେ କୌଣସି ଚିକେନ ଦୋକାନ ନ ଖୋଲିବା ସହିତ ବାହାର କୁକୁଡ଼ା ଏହି ଅଞ୍ଚଳକୁ କିମ୍ବା ଏଠାରୁ କୁକୁଡ଼ା ବାହାର ଅଂଚଳକୁ ନେଇ ବିକ୍ରି କରିବା ନିଷେଧ କରିଛି ପ୍ରଶାସନ। କିଛି ଦିନ ପାଇଁ କୁକୁଡ଼ା ମାଂସ ଜାତୀୟ ଖାଦ୍ୟ ନ ଖାଇବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ସେହିପରି ପ୍ରାଣୀ ଚିକିତ୍ସକ ଓ କର୍ମଚାରୀଙ୍କ ଏକ ଟିମ୍ କୁକୁଡ଼ା ଚାଷ ହେଉଥିବା ବିଭିନ୍ନ ଅଞ୍ଚଳକୁ ଯାଇ ଯାଞ୍ଚ ଆରମ୍ଭ କରିଛନ୍ତି। ଯେଉଁଠାରେ କୁକୁଡ଼ା ଅଛନ୍ତି ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା କଥା ବୁଝିଥିଲେ । ଯଦି କୌଣସି କୁକୁଡ଼ା ଠାରେ ବାର୍ଡ ଫ୍ଲୁ ଗୁଣ ଦେଖିବାକୁ ମିଳୁଛି ତେବେ ତୁରନ୍ତ ଉକ୍ତ କୁକୁଡ଼ାଙ୍କୁ ମାରିବା ପାଇଁ ସେମାନଙ୍କୁ ଖବର ଦେବାକୁ ପରାମର୍ଶ ଦେଇଥିଲେ। କୁକୁଡ଼ା ପାଇଁ ବ୍ୟବହାର ହେଉଥିବା ଲିଟର ଗୁଡ଼ିକର ବିଶୋଧନ କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ। ଆଜି ରାମେଶ୍ବର, ଗୋଳବାଇ, କାୟା ପ୍ରଭୃତି ବିଭିନ୍ନ ସ୍ଥାନକୁ ଚିକିତ୍ସକ ମାନେ ଯାଇଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧାର ଡ. ମାନସ କୁମାର ଚାନ୍ଦ, ଡ.ରଶ୍ମିକାନ୍ତ ପାଲଟାସିଂହ, ଜଂକିଆର ଡ. ଗାୟତ୍ରୀ ଖୁଣ୍ଟିଆ, ବୋଲଗଡ଼ର ଡ.ରାଜେଶ ସେଠୀ, ବେଗୁନିଆର ଡ. ବନ୍ଦିତା ବେହେରା ଓ ନାଚୁଣୀର ଡ. ଅମିତ୍ ବେହେରା ସମେତ ବହୁ ପ୍ରାଣୀ ଚିକିତ୍ସା କର୍ମଚାରୀ ମାନେ ଯୋଗଦେଇଥିଲେ।

Subha Khabar is now on Whatsapp
Join and get latest news update delivered to you via whatsapp
Join Now