ଶ୍ରାଦ୍ଧବାର୍ଷିକୀରେ କୃତବିଦ୍ୟଙ୍କୁ ସ୍ମାରକୀ ସମ୍ମାନ
ଖୋର୍ଦ୍ଧା: – ଖୋର୍ଦ୍ଧା ଆଇନ ମହାବିଦ୍ୟାଳୟ ଆନୁକୂଲ୍ୟରେ ଆକାଶବାଣୀ(ଅଲ ଇଣ୍ଡିଆ ରେଡିଓ)ର ଖ୍ୟାତନାମା ଓଡିଆ ସମ୍ବାଦ ଉଦ୍ଘୋଷକ ସ୍ୱର୍ଗତ ଉପେନ୍ଦ୍ର କୁମାର ପାହାଡ଼ସିଂହଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକ ଉତ୍ସଵ ମହାବିଦ୍ୟାଳୟର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି ।

ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିବେକାନନ୍ଦ ଛୋଟରାୟଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବ ରେ ପୂର୍ବତନ ସାଂସଦ ତଥା କବି ଡକ୍ଟର ପ୍ରସନ୍ନ କୁମାର ପାଟ୍ଟଶାଣୀ ସ୍ୱର୍ଗତ ପାହାଡ଼ସିଂହଙ୍କ ବହୁମୁଖୀ ପ୍ରତିଭା ସଂପର୍କରେ ଆଲୋକପାତ କରିଥିଲେ । ସେ କହିଥିଲେ ଉପେନ୍ଦ୍ର ବାବୁ ରେଡିଓରେ ଘୋଷଣା କରୁଥିବା କଣ୍ଠରୁ ଆମେ କେବଳ ତାଂକ ସ୍ୱରକୁ ଧ୍ୟାନର ସହ ଶୁଣୁନଥିଲୁ, ସମ୍ବାଦକୁ ମନପ୍ରାଣ ଦେଇ ବିଶ୍ୱାସ କରୁଥିଲୁ । ତାଂକ କଣ୍ଠ ଯେପରି ଏକ ଆସ୍ଥାର ସ୍ୱର ଥିଲା । ଓଡିଆ ଭାଷା ଓ ସଂସ୍କୃତିର ପ୍ରତୀକକୁ ସେ ହିଁ ସ୍ପଷ୍ଟଭାବେ ଉଚ୍ଚାରଣ କରୁଥିଲେ । ସଭାରେ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଐତିହାସିକ ସତ୍ୟବାଦୀ ବଳିଆରସିଂହ । ସ୍ୱର୍ଗତ ଉପେନ୍ଦ୍ର କୁମାର ପାହାଡ଼ସିଂହଙ୍କ ନିଜ ଜନ୍ମସ୍ଥାନ ତରାବୋଇ ହୋଇଥିବାରୁ ଖୋର୍ଦ୍ଧାର ବରପୁତ୍ର ଭାବେ ସହରରେ ଏକ ପୂର୍ଣ୍ଣାବୟବ ପ୍ରତିମୂତ୍ତିି ସ୍ଥାପନ କରିବାପାଇଁ ସେ ନିବେଦନ କରିଥିଲେ । କିଛି ବର୍ଷ ତଳେ ଖୋର୍ଦ୍ଧା ଆଇନ ମହାବିଦ୍ୟାଳୟ ପକ୍ଷରୁ ସ୍ୱର୍ଗତ ପାହାଡ଼ସିଂହଙ୍କୁ ସମ୍ବର୍ଦ୍ଧିତ କରାଯିବା ମୁହୂର୍ତ୍ତର ସ୍ମୃତିଚାରଣ କରିଥିଲେ । ମହାବିଦ୍ୟାଳୟର ପ୍ରତିଷ୍ଠାତା ସଂପାଦକ ମାନସିଂହ ତାଂକର ବକ୍ତବ୍ୟରେ କହିଥିଲେ ପାହାଡାସିଂହ ନିଜକୁ ନିଜେ ଗଢିଥିଲେ । ନିଜ ରାଜ୍ୟର କଟକ ସହର ଓ ବାହାରେ ନୂଆଦିଲ୍ଲୀରେ ଅଲ୍ ଇଣ୍ଡିଆ ନିଉଜ୍ (ଆକାଶବାଣୀ)ର ନାମକରା ପ୍ରସିଦ୍ଧ ଉଦ୍ଘୋଷଣାକୁ ସବୁଦିନ ପାଇଁ ସ୍ମରଣ କରି ରଖିବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସହାୟତା ନେବା ଉଚିତ । ଏହି ଉତ୍ସବରେ ରେଡିଓ ସଂସ୍କୃତିକୁ ଚିରସବୁଜ ଓ ଚିରସ୍ଥାୟୀ କରି ରଖିବା ପାଇଁ ଓଡିଶାରେ ପ୍ରୟାସ ଜାରି ରଖିଥିବା ସୁବ୍ରତ କୁମାର ପତି, ପ୍ରିଣ୍ଟ ମିଡିଆ ଓ ଇଲେକ୍ଟ୍ରୋନିକ ମିଡିଆର ନୀର୍ଭିକ ନିରପେକ୍ଷ, ନୀତିନିଷ୍ଠ ସମ୍ବାଦିକ ତଥା ସାହିତ୍ୟିକ ସମରେନ୍ଦ୍ର ବଳିଆରସିଂହ ଓ ସମାଜସେବୀ ତଥା ସମବାୟ ଆନ୍ଦୋଳନର ଅଗ୍ରଣୀ ନେତା ଶ୍ରୀରଂଜନ ମଙ୍ଗରାଜଙ୍କୁ ଉପେନ୍ଦ୍ର କୁମାର ପାହାଡାସିଂହ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଭୂୟସୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।
‘ୟୁନିଫର୍ମ ସିଭିଲ କୋଡର ସାଂପ୍ରତିକ ଆବଶ୍ୟକତା ଅଥବା ଅସାଂବିଧାନିକ’ ପ୍ରସଂଗରେ ତର୍କ ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ରୁକ୍ସାନା ଫରିନ୍, ଦ୍ୱିତୀୟରେ ପ୍ରଜ୍ଞାପ୍ରଜନା ପଢିଆରୀ, ତୃତୀୟରେ ନିହାରକାନ୍ତ ସାହୁ ପ୍ରଭୃତିଙ୍କୁ ସମ୍ମାନିତ କରାଯାଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ ସୁପ୍ରିମକୋର୍ଟ ଅଧିବକ୍ତା ପ୍ରଶାନ୍ତ ବର୍ମା, ବରିଷ୍ଠ ଶିକ୍ଷାବିତ୍ ଭୀମସେନ ପ୍ରଧାନ, କଳିଙ୍ଗ ପାଇକ ସଂଗଠନର ଉପସଭାପତି ରାମଚଣ୍ଡୀ ଦଳବେହେରା ମୃତ୍ୟୁଞ୍ଜୟ ଛୋଟରାୟ, ଡ. ରାଜେନ୍ଦ୍ର ସାମନ୍ତରାୟ ପ୍ରଭୃତି ବିଶିଷ୍ଟ ବ୍ୟକ୍ତିମାନେ ଉପେନ୍ଦ୍ର ପାହାଡାସିଂହଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରି ତାଙ୍କର ଗୁଣାବଳିର ଚର୍ଚ୍ଚା କରିଥିଲେ । ଉତ୍ସଵର ସଫଳତା ପାଇଁ ସଭାରେ ଉପସ୍ଥିତ ଅତିଥି ତଥା ଛାତ୍ରଛାତ୍ରୀମାନଂକୁ ଉପେନ୍ଦ୍ର ପାହାଡାସିଂହଙ୍କ ସୁପୁତ୍ର ଦିଲୀପ ପାହାଡାସିଂହ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପିକା ଅର୍ଚ୍ଚିତା ମହାରଣା ଶ୍ରାଦ୍ଧବାର୍ଷିକ ଉତ୍ସଵର ସଂଯୋଜନା କରିଥିଲେ । ସନ୍ଦୀପ ମାନସିଂହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now