ପିଏମଜି ଛକରେ ୮ମ ଦିନରେ ଆମରଣ ଅନଶନ, ୪୨ ଦିନରେ ପହଞ୍ଚିଲା ଆନ୍ଦୋଳନ
ଭୁବନେଶ୍ୱର, ୧୧/୧୧: ଟାଟା ପାୱାର ବିଦ୍ୟୁତ ବିଭାଗରେ ଦୀର୍ଘବର୍ଷ ଧରି କାର୍ଯ୍ୟରତ ଠିକା ଶ୍ରମିକଙ୍କ ଛଟେଇକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଛଟେଇ ନିଷ୍ପତ୍ତିର ପ୍ରତିବାଦରେ ଭୁବନେଶ୍ୱର ପିଏମଜି ଛକରେ ଠିକା ଶ୍ରମିକମାନଙ୍କ ଆନ୍ଦୋଳନ ଜାରି ରହିଛି। ଆନ୍ଦୋଳନ ୪୨ ଦିନରେ ପହଞ୍ଚିଥିବା ବେଳେ ଆମରଣ ଅନଶନ ଆଜି ଅଷ୍ଟମ ଦିନରେ ପ୍ରବେଶ କରିଛି।

ଏହି ପରିପ୍ରେକ୍ଷୀରେ ଆନ୍ଦୋଳନରତ ଶ୍ରମିକମାନେ ଏକ ସାମ୍ବାଦିକ ସମ୍ମିଳନୀ କରି ଟାଟା ପାୱାର କମ୍ପାନୀର ସିଇଓଙ୍କ ପୂର୍ବ ମନ୍ତବ୍ୟ ଓ ଉପସ୍ଥାପିତ ତଥ୍ୟକୁ ନେଇ ଆପତ୍ତି ଉଠାଇଛନ୍ତି। ଶ୍ରମିକମାନଙ୍କ ଅଭିଯୋଗ ଅନୁଯାୟୀ, ସାମ୍ବାଦିକ ସମ୍ମିଳନୀରେ ଦିଆଯାଇଥିବା ତଥ୍ୟ ବାସ୍ତବ ସ୍ଥିତି ସହ ମେଳ ଖାଉନାହିଁ।
ଶ୍ରମିକ ପ୍ରତିନିଧିଙ୍କ କହିବା ଅନୁଯାୟୀ, ସେମାନେ ଦୀର୍ଘ ୧୫ରୁ ୨୦ ବର୍ଷ ଧରି ଲାଇନମ୍ୟାନ୍, ମିଟର ରିଡର୍, ବିଲ୍ କଲେକ୍ଟର, ହେଲ୍ପର ଆଦି ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଥିଲେ। ହଠାତ୍ ଛଟେଇ ଯୋଗୁଁ ସେମାନଙ୍କ ପରିବାରର ଜୀବିକା ସଙ୍କଟରେ ପଡ଼ିଥିବା ସେମାନେ କହିଛନ୍ତି।
ଆନ୍ଦୋଳନକାରୀଙ୍କ ପ୍ରମୁଖ ଦାବି ମଧ୍ୟରେ ଛଟେଇ ହୋଇଥିବା ସମସ୍ତ ଠିକା କର୍ମଚାରୀଙ୍କୁ ପୁନଃ ନିଯୁକ୍ତି, ଭବିଷ୍ୟତରେ ଛଟେଇ ନକରିବା ପାଇଁ ଲିଖିତ ପ୍ରତିଶ୍ରୁତି, ଦୀର୍ଘଦିନର ଅଭିଜ୍ଞ କର୍ମଚାରୀଙ୍କ ଚାକିରି ସୁରକ୍ଷା ଏବଂ ସରକାରଙ୍କ ଧାର୍ଯ୍ୟ ସର୍ବନିମ୍ନ ମଜୁରୀ ପ୍ରଦାନ ଆଦି ରହିଛି। ଏଥିସହ ହେଲ୍ପରମାନଙ୍କୁ ଶ୍ରମ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ସେମିସ୍କିଲ୍ ମଜୁରୀ, ଟାର୍ଗେଟ୍ ଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ବନ୍ଦ ଏବଂ ଛଟେଇ, ମଜୁରୀ ଓ ଶ୍ରମ ଆଇନ ଉଲ୍ଲଂଘନ ସମ୍ପର୍କରେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଇଛି। ଏଥିସହ ଟାଟା ପାୱାରକୁ ଓଡ଼ିଶାରୁ ବିଦା କରିବାକୁ ମଧ୍ୟ ଶ୍ରମିକମାନେ ଦାବି ଜଣାଇଛନ୍ତି।
ଆନ୍ଦୋଳନକାରୀଙ୍କ କହିବା ଅନୁଯାୟୀ, ୪୨ ଦିନ ଧରି ଆନ୍ଦୋଳନ ଏବଂ ୮ ଦିନ ଧରି ଆମରଣ ଅନଶନ ଚାଲିଥିଲେ ମଧ୍ୟ ସରକାର ଓ କମ୍ପାନୀ ପକ୍ଷରୁ ସେମାନଙ୍କ ଦାବି ପ୍ରତି ଆଶାନୁରୂପ ପଦକ୍ଷେପ ନିଆଯାଇନାହିଁ। ନ୍ୟାୟସଙ୍ଗତ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ଏବଂ ଆବଶ୍ୟକ ପଡ଼ିଲେ ଏହାକୁ ଆହୁରି ତୀବ୍ର କରାଯିବ ବୋଲି ଶ୍ରମିକ ପ୍ରତିନିଧିମାନେ ଚେତାବନୀ ଦେଇଛନ୍ତି। ଏହି ଆନ୍ଦୋଳନର ପରିଣାମ ପାଇଁ ଟାଟା ପାୱାରର ସିଇଓ ଓ ରାଜ୍ୟ ଶକ୍ତି ବିଭାଗ ଦାୟିତ୍ୱରେ ଥିବା ମନ୍ତ୍ରୀଙ୍କୁ ନୈତିକ ଦାୟିତ୍ୱ ନେବାକୁ ପଡ଼ିବ ବୋଲି ଆନ୍ଦୋଳନକାରୀମାନେ ମତ ଦେଇଛନ୍ତି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
