ଦିଲ୍ଲୀପ କୁମାର ପଟ୍ଟନାୟକ
ଖୋର୍ଦ୍ଧା, ୧୧।୧୦:- ଖୋର୍ଦ୍ଧାସ୍ଥିତ ପୂର୍ତ୍ତ ବିଭାଗ ଡାକବଙ୍ଗଳାଠାରେ ‘ଭଏସ୍ ଅଫ୍ ମିଡିଆ’ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ଧନେଶ୍ୱର ବିଧାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ସଂଗଠନର ରାଜ୍ୟ ସଭାପତି ପ୍ରଭାତ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ରାଜ୍ୟ ସମ୍ପାଦକ ସୁକାନ୍ତ କୁମାର ପରିଡ଼ା, ରାଜ୍ୟ ଉପସଭାପତି ପି. ତ୍ରିପତି ବାଲାଜୀ ପାତ୍ର ଓ ବି.ଭି. ଶଙ୍କର, ରାଜ୍ୟ କୋଷାଧ୍ୟକ୍ଷ ସରୋଜ କୁମାର ମୁଦୁଲି ଏବଂ ଉତ୍ତର ଜୋନ୍ ସଭାପତି ସାଦିକ୍ ହୁସେନ୍ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୫୦ରୁ ଊର୍ଦ୍ଧ୍ୱ ସାମ୍ବାଦିକ ଏଥିରେ ଯୋଗଦେଇଥିଲେ।

ବୈଠକରେ ସଂଗଠନର ଆଗାମୀ ବାର୍ଷିକ ଉତ୍ସବ ଆୟୋଜନ ସହ ସାମ୍ବାଦିକଙ୍କ ସମ୍ମାନ, ସୁରକ୍ଷା ଓ ବୃତ୍ତିଗତ ଅଧିକାର ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ସାମ୍ବାଦିକମାନେ ନିର୍ଭୀକ ଓ ନିରପେକ୍ଷ ଭାବେ ସାମ୍ବାଦିକତା କରିବା ସହ ସେମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ସଂଗଠନକୁ ଅଧିକ ସୁଦୃଢ଼ କରିବା ଉପରେ ମତପ୍ରକାଶ ପାଇଥିଲା।
ରାଜ୍ୟ ସଭାପତି ପ୍ରଭାତ କୁମାର ମିଶ୍ର ସଂଗଠନର ଉଦ୍ଦେଶ୍ୟ, କାର୍ଯ୍ୟଧାରା ଓ ଭବିଷ୍ୟତ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ସାମ୍ବାଦିକଙ୍କ ମଧ୍ୟରେ ଏକତା ବଜାୟ ରଖିବା, ସେମାନଙ୍କ ନ୍ୟାଯ୍ୟ ଦାବି ଓ ଅଧିକାର ପାଇଁ ସମୂହ ସ୍ୱର ଉତ୍ତୋଳନ କରିବା ଏବଂ ସାମ୍ବାଦିକତାର ମର୍ଯ୍ୟାଦା ରକ୍ଷା କରିବା ଦିଗରେ ସଂଗଠନର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମତ ରଖିଥିଲେ।
ଏହି ଅବସରରେ ସାମ୍ବାଦିକ ସତ୍ୟନାରାୟଣ ଦାଶଙ୍କୁ ‘ଭଏସ୍ ଅଫ୍ ମିଡିଆ’ର ଖୋର୍ଦ୍ଧା ଜିଲ୍ଲା ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ନୂତନ ଦାୟିତ୍ୱ ପାଇଁ ସେ ରାଜ୍ୟ ସଭାପତିଙ୍କ ସମେତ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ କୃତଜ୍ଞତା ଜଣାଇବା ସହ ସଂଗଠନର କାର୍ଯ୍ୟକୁ ଆଗକୁ ନେବା ପାଇଁ ସମସ୍ତଙ୍କ ସହଯୋଗ ଓ ଆଶୀର୍ବାଦ କାମନା କରିଥିଲେ।
ସାମ୍ବାଦିକଙ୍କ ଏକତା, ସମ୍ମାନ, ସୁରକ୍ଷା ଓ ନ୍ୟାଯ୍ୟ ଅଧିକାରର ସୁରକ୍ଷା ସହ ସଂଗଠନର ଆଗାମୀ କାର୍ଯ୍ୟକ୍ରମକୁ ଅଧିକ ସକ୍ରିୟ ଓ ଗତିଶୀଳ କରିବାର ସଂକଳ୍ପ ସହ ବୈଠକ ଶେଷ ହୋଇଥିଲା।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
