ଖୋର୍ଦ୍ଧା: ବାଘମାରୀ ଥାନା ଅଧୀନ ଅଟ୍ରି ସ୍ଥିତ କଙ୍କଡ଼ାହାଡ଼ ପୋଖରୀ ନିକଟରେ ଏସ୍କଫ୍ କଫ୍ ସିରପ୍ର ବେଆଇନ କାରବାର ନେଇ ସୂଚନା ପାଇ ପୋଲିସ ଚଢ଼ାଉ କରିଛି। ଅକ୍ଟୋବର ୧ ତାରିଖରେ ଖୋର୍ଦ୍ଧା ଏସ୍ପି ଓ ଏସ୍ଡିପିଓଙ୍କ ତତ୍ତ୍ୱାବଧାନରେ ଏବଂ ବାଘମାରୀ ଥାନା ଆଇଆଇସିଙ୍କ ନିର୍ଦ୍ଦେଶନାରେ ଏହି ଚଢ଼ାଉ କରାଯାଇଥିଲା।

ଚଢ଼ାଉ ସମୟରେ କୋଡିନ୍ ଫସଫେଟ୍ ଥିବା ୬୮ ବୋତଲ ଏସ୍କଫ୍ କଫ୍ ସିରପ୍, ୨ଟି ମୋବାଇଲ୍ ଫୋନ୍ ଏବଂ ଗୋଟିଏ ସୁଜୁକି ଜିକ୍ସର୍ ମୋଟରସାଇକେଲ୍ ଜବତ କରାଯାଇଛି।
ଏହି ଘଟଣାରେ ବେଗୁନିଆ ଥାନା ଅଧୀନ କଡବ ଗ୍ରାମର ପ୍ରଫୁଲ୍ଲ ପଟ୍ଟନାୟକ (୬୫) ଏବଂ ଆଦର୍ଶ ଥାନା ଅଧୀନ ବାସେଲିସାହି ର ଦେବୀପ୍ରସାଦ ସାହୁ (୨୦)ଙ୍କୁ ପୋଲିସ ଗିରଫ କରିଛି। ଅନ୍ୟତମ ଅଭିଯୁକ୍ତ କଡ଼ବ ଗ୍ରାମର ରଞ୍ଜନ ପଟ୍ଟନାୟକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ପୋଲିସ ପ୍ରକାଶ କରିଛି।
ଜବତ ହୋଇଥିବା ନିଶାଯୁକ୍ତ ସିରପ୍ର ଉତ୍ସ ଓ ଏହା କେଉଁଠାକୁ ପଠାଯିବାର ଥିଲା, ସେ ସମ୍ପର୍କରେ ଅଭିଯୁକ୍ତମାନେ ଏପର୍ଯ୍ୟନ୍ତ ସ୍ପଷ୍ଟ ତଥ୍ୟ ଦେଇନଥିବା ପୋଲିସ କହିଛି। ଏନେଇ ବାଘମାରୀ ଥାନାରେ କେସ୍ ନମ୍ବର ୩୩୩, ତାରିଖ ୦୧.୧୦.୨୦୨୬, ଏନ୍ଡିପିଏସ୍ ଆଇନର ଧାରା ୨୧(ସି)/୨୯ ଅନୁଯାୟୀ ମାମଲା ରୁଜୁ ହୋଇଛି।ତଦନ୍ତ ଅଧିକାରୀ ଭାବେ ଏସ୍ଆଇ ପୁଷ୍ପଲତା ଲେଙ୍କା, ବାଘମାରୀ ଥାନା ତଦନ୍ତ କରୁଛନ୍ତି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
