ତୃଣମୂଳସ୍ତରରୁ ସଂଗଠନ ସୁଦୃଢ଼ କରିବାକୁ ଟାସ୍କ ;
ଜୋନ୍ଠାରୁ ପଞ୍ଚାୟତସ୍ତର ପର୍ଯ୍ୟନ୍ତ ହେବ କାର୍ଯ୍ୟର ସମୀକ୍ଷା : କୁସୁମ କୁମାର
ଦିଲୀପ କୁମାର ପଟ୍ଟନାୟକ
ଖୋର୍ଦ୍ଧା, ୨୩/୯: ଆଗାମୀ ପୌରପରିଷଦ ଓ ପଞ୍ଚାୟତ ନିର୍ବାଚନକୁ ନଜରରେ ରଖି ଖୋର୍ଦ୍ଧା ଜିଲ୍ଲାରେ କଂଗ୍ରେସ ସଂଗଠନକୁ ତୃଣମୂଳସ୍ତରରୁ ଅଧିକ ସୁଦୃଢ଼ କରିବା ଉପରେ ଦଳ ଗୁରୁତ୍ୱ ଦେଇଛି। ଜୋନଠାରୁ ଆରମ୍ଭ କରି ପଞ୍ଚାୟତ ଓ ବୁଥ୍ସ୍ତର ପର୍ଯ୍ୟନ୍ତ ସଂଗଠନକୁ ସକ୍ରିୟ କରିବା ସହ ନେତା ଓ କର୍ମୀମାନଙ୍କ କାର୍ଯ୍ୟଧାରାର ନିୟମିତ ସମୀକ୍ଷା କରାଯିବ। ଦଳୀୟ ଶୃଙ୍ଖଳା ଭଙ୍ଗ କରୁଥିବା ନେତା ଓ କର୍ମୀଙ୍କ ବିରୋଧରେ ମଧ୍ୟ ଆବଶ୍ୟକ ଶୃଙ୍ଖଳାଗତ ପଦକ୍ଷେପ ନିଆଯିବ ବୋଲି ଅଖିଳ ଭାରତୀୟ କଂଗ୍ରେସ କମିଟିର ସଚିବ ତଥା ଓଡ଼ିଶା ସହପ୍ରଭାରୀ ଜେ.ଟି. କୁସୁମ କୁମାର କହିଛନ୍ତି।
ସ୍ଥାନୀୟ ଜୟୀରାଜଗୁରୁ ଟାଉନ ହଲ ଠାରେ ଆୟୋଜିତ ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୁସୁମ କୁମାର ଦଳର ଆଗାମୀ ସାଂଗଠନିକ କାର୍ଯ୍ୟକ୍ରମ ସମ୍ପର୍କରେ ନେତା ଓ କର୍ମୀଙ୍କୁ ଦିଗଦର୍ଶନ ଦେଇଥିଲେ। ନିର୍ବାଚନ ଆସିଲେ ମାତ୍ର ସଂଗଠନକୁ ସକ୍ରିୟ କରିବା ପରିବର୍ତ୍ତେ ସାରାବର୍ଷ ଲୋକଙ୍କ ସହ ଯୋଡ଼ିହୋଇ ରହିବାକୁ ସେ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ।
ବୈଠକରେ ଉଦବୋଧନ ଦେଇ କୁସୁମ କୁମାର ଦେଶରେ ବେକାରି ସମସ୍ୟା ବୃଦ୍ଧି ପାଉଥିବା ଅଭିଯୋଗ କରିଥିଲେ। ବିଶେଷକରି ଯୁବକ ଓ ଯୁବତୀମାନଙ୍କ ନିଯୁକ୍ତି ସୁଯୋଗ, ଶିକ୍ଷିତ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ ଭଳି ଘଟଣାକୁ ନେଇ ସେ ସରକାରଙ୍କୁ ସମାଲୋଚନା କରିଥିଲେ। ଏହି ପ୍ରସଙ୍ଗରେ ଛାତ୍ର ଓ ଯୁବବର୍ଗଙ୍କ ମଧ୍ୟରେ ଅସନ୍ତୋଷ ରହିଥିବା ଦଳ ପକ୍ଷରୁ କୁହାଯାଇଥିଲା।

ସେହିପରି ଦରଦାମ ବୃଦ୍ଧିକୁ ନେଇ ମଧ୍ୟ ବୈଠକରେ ସରକାରଙ୍କ ଉପରେ ଆକ୍ରୋଶ ପ୍ରକାଶ ପାଇଥିଲା। ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟବୃଦ୍ଧି ସାଧାରଣ ଲୋକଙ୍କ ପାରିବାରିକ ବଜେଟକୁ ପ୍ରଭାବିତ କରୁଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବାରେ ସରକାର ବିଫଳ ହୋଇଥିବା କଂଗ୍ରେସ ନେତାମାନେ ଅଭିଯୋଗ କରିଥିଲେ।
ଆଗାମୀ ପୌରପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଦଳକୁ ସଂଗଠିତ ଭାବେ ମଇଦାନକୁ ଓହ୍ଲାଇବା ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଏଥିପାଇଁ ପ୍ରଥମେ ତୃଣମୂଳସ୍ତରରେ ଦଳର ଉପସ୍ଥିତି ଓ କାର୍ଯ୍ୟକଳାପ ବଢ଼ାଇବା ଆବଶ୍ୟକ ବୋଲି କୁହାଯାଇଥିଲା।
ସେ କହିଥିଲେ ଜୋନ ସ୍ତରରୁ ପଞ୍ଚାୟତସ୍ତର ପର୍ଯ୍ୟନ୍ତ ଦଳର ନେତା ଓ କର୍ମୀମାନେ କିଭଳି ସଂଗଠନ କାର୍ଯ୍ୟ କରୁଛନ୍ତି, ଲୋକଙ୍କ ସହ କେତେ ନିକଟତର ହୋଇପାରିଛନ୍ତି ଏବଂ ଦଳୀୟ କାର୍ଯ୍ୟକ୍ରମ କେତେ ତଳସ୍ତରକୁ ପହଞ୍ଚୁଛି, ତାହାର ନିୟମିତ ସମୀକ୍ଷା କରାଯିବ। ଆବଶ୍ୟକସ୍ଥଳେ ନିଜେ ଜୋନ ଓ ପଞ୍ଚାୟତସ୍ତରକୁ ଯାଇ ସଂଗଠନର ସ୍ଥିତି ଅନୁଧ୍ୟାନ କରିବେ ବୋଲି ସେ ସୂଚନା ଦେଇଥିଲେ।
ଦଳୀୟ ଏକତା ଓ ଶୃଙ୍ଖଳା ଉପରେ ମଧ୍ୟ ବୈଠକରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ସଂଗଠନ ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି କରୁଥିବା କିମ୍ବା ଦଳୀୟ ନିଷ୍ପତ୍ତି ବିରୋଧରେ କାର୍ଯ୍ୟ କରୁଥିବା ନେତା ଓ କର୍ମୀଙ୍କ ବିରୋଧରେ ଦଳୀୟ ନିୟମ ଅନୁଯାୟୀ ଶୃଙ୍ଖଳାଗତ ପଦକ୍ଷେପ ନିଆଯିବ ବୋଲି ସହପ୍ରଭାରୀ ସ୍ପଷ୍ଟ କରିଥିଲେ।
ଏଥିସହ ନିର୍ବାଚନ ସମୟରେ ଟିକେଟ୍କୁ ନେଇ ଦଳ ମଧ୍ୟରେ ମତଭେଦ ଯେପରି ସଂଗଠନକୁ ପ୍ରଭାବିତ ନକରେ, ସେଥିପ୍ରତି ସତର୍କ ରହିବାକୁ କର୍ମୀମାନଙ୍କୁ କୁହାଯାଇଥିଲା। ଦଳ ପକ୍ଷରୁ ଯେଉଁ ପ୍ରାର୍ଥୀଙ୍କୁ ଟିକେଟ ପ୍ରଦାନ କରାଯିବ, ସମସ୍ତ ନେତା ଓ କର୍ମୀ ଏକଜୁଟ ହୋଇ ତାଙ୍କୁ ସହଯୋଗ କରିବାକୁ କୁସୁମ କୁମାର ପରାମର୍ଶ ଦେଇଥିଲେ।
ବୈଠକରେ ଜିଲ୍ଲା କଂଗ୍ରେସ ସଭାପତି ରାଜୀବ ପଟ୍ଟନାୟକ ଏମ.ଏମ.ଡି.ଆର ସଂଶୋଧନ ଆଇନ ଏବଂ ପାଠ୍ୟପୁସ୍ତକରେ ଥିବା ତ୍ରୁଟି ପ୍ରସଙ୍ଗ ଉଠାଇଥିଲେ। ଏହି ଦୁଇ ପ୍ରସଙ୍ଗକୁ ନେଇ ସେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ଆଗାମୀ ଦିନରେ ଜନସାଧାରଣଙ୍କ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗକୁ ନେଇ ଦଳ ପକ୍ଷରୁ ଆନ୍ଦୋଳନକୁ ଅଧିକ ତୀବ୍ର କରାଯିବ ବୋଲି କହିଥିଲେ।
ବୈଠକରେ ଉପସ୍ଥିତ ନେତାମାନେ ଜିଲ୍ଲାର ବିଭିନ୍ନ ସାଂଗଠନିକ ସମସ୍ୟା, ତୃଣମୂଳସ୍ତରରେ ଦଳର ସ୍ଥିତି, କର୍ମୀମାନଙ୍କ ଭୂମିକା ଏବଂ ଆଗାମୀ ନିର୍ବାଚନ ପାଇଁ ସଂଗଠନକୁ ପ୍ରସ୍ତୁତ କରିବା ନେଇ ଆଲୋଚନା କରିଥିଲେ।
ଏହି ଅବସରରେ ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟ, ପୂର୍ବତନ ଜିଲ୍ଲା ସଭାପତି ଜାନକୀ ବଲ୍ଲଭ ପଟ୍ଟନାୟକ, ପୃଥ୍ୱୀ ବଲ୍ଲଭ ପଟ୍ଟନାୟକ, ସୋନାଲି ସାହୁ, ପ୍ରଦୀପ ସ୍ୱାଇଁ, ସନ୍ତୋଷ ଜେନା, ସ୍ୱାଗତିକା ପଟ୍ଟନାୟକ, ବେଣୁ ଭୋଇ, ଲଲାଟେନ୍ଦୁ ଶତପଥୀ, ସତ୍ୟଜିତ୍ ପଟ୍ଟନାୟକ, ଅଶୋକ ମଙ୍ଗରାଜ, ତପନ ଚକ୍ରବର୍ତ୍ତୀ, ଶିଶିର ପରିଡ଼ା, ସଦାଶିବ ମହାପାତ୍ର, ରଞ୍ଜିତ ମହାପାତ୍ର, ଜୟଶ୍ରୀ ପଟ୍ଟନାୟକ, ନଳିନୀ ବେହେରା, ଅମିତ ମହାନ୍ତି, ବିଭାଂଶୁ ପଟ୍ଟନାୟକ, ଶିଶିର ମହାନ୍ତି, ଜୟନ୍ତ ଦାସ, ସୌମ୍ୟ ପଟ୍ଟନାୟକ ଓ ସୌମ୍ୟ ବରାଳଙ୍କ ସମେତ ସମସ୍ତ ବ୍ଲକ୍ ସଭାପତି, ଏନ.ଏ.ସି ସଭାପତି ଓ ଜିଲ୍ଲା କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
