ଦିଲୀପ କୁମାର ପଟ୍ଟନାୟକ
ଖୋର୍ଦ୍ଧା, ସେପ୍ଟେମ୍ବର ୨୧: ଲୋକଙ୍କ ବ୍ୟକ୍ତିଗତ ଓ ସାମୂହିକ ସମସ୍ୟାର ତ୍ୱରିତ ସମାଧାନ ସହ ସରକାରୀ ଅଧିକାରୀଙ୍କ ନିକଟରେ ସିଧାସଳଖ ଅଭିଯୋଗ ଜଣାଇବାର ସୁଯୋଗ ଦେବା ଉଦ୍ଦେଶ୍ୟରେ ସୋମବାର ଚିଲିକା ବ୍ଲକ ସମ୍ମିଳନୀ କକ୍ଷରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି।
ଏହି ଶିବିରରେ ଚିଲିକା ବ୍ଲକର ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକେ ସେମାନଙ୍କର ବିଭିନ୍ନ ସମସ୍ୟା ଓ ଅଭିଯୋଗ ପ୍ରଶାସନିକ ତଥା ବିଭିନ୍ନ ବିଭାଗର ଅଧିକାରୀଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। ଜନସେବା, ସ୍ଥାନୀୟ ବିକାଶ ଓ ବିଭିନ୍ନ ସରକାରୀ ସୁବିଧା ସମ୍ପର୍କିତ ଅନେକ ଅଭିଯୋଗ ଏହି ଶୁଣାଣିରେ ଗ୍ରହଣ କରାଯାଇଥିଲା।
ଜିଲ୍ଲା ପରିଷଦ, ଖୋର୍ଦ୍ଧାର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ ଏବଂ ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକ ପରମାର ସ୍ମିଥ ପୁରୁଷୋତ୍ତମ ଦାସଙ୍କ ଅଧ୍ୟକ୍ଷତାରେ ଏହି ଶୁଣାଣି ଅନୁଷ୍ଠିତ ହୋଇଥିଲା। ଉପସ୍ଥିତ ଅଧିକାରୀମାନେ ଅଭିଯୋଗଗୁଡ଼ିକ ଶୁଣିବା ସହ ସମ୍ପୃକ୍ତ ବିଭାଗକୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ।
ଶିବିରରେ ଖୋର୍ଦ୍ଧା ଉପ-ଜିଲ୍ଲାପାଳ ସଙ୍କଳ୍ପ ସ୍ୱସ୍ତିକ ସାହୁ, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସଞ୍ଜୟ ଚନ୍ଦ୍ର ରାୟ, ଚିଲିକା ବିଡିଓ ପୁନମ ମହାପାତ୍ର, ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ଅଭିଯୋଗ ପ୍ରକୋଷ୍ଠ ର ସହକାରୀ ଉପ ଜିଲ୍ଲାପାଳ ଭୁବନେଶ୍ୱରୀ କହଁରଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ଜିଲ୍ଲା ପ୍ରଶାସନର ସୂଚନାନୁସାରେ ଶିବିରରେ ମୋଟ ୪୩ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୩୯ଟି ବ୍ୟକ୍ତିଗତ ଅଭିଯୋଗ ଥିବାବେଳେ ୪ଟି ଗ୍ରାମୀଣ ସମସ୍ୟା ସମ୍ପର୍କିତ ଅଭିଯୋଗ ରହିଥିଲା। ଶୁଣାଣି ସମୟରେ ୬ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା।
ଅନ୍ୟ ଅଭିଯୋଗଗୁଡ଼ିକୁ ସମ୍ପୃକ୍ତ ବିଭାଗ ତୁରନ୍ତ ଯାଞ୍ଚ କରି ଆବଶ୍ୟକ ପଦକ୍ଷେପ ନେବା ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଫଇସଲା କରିବାକୁ ଅଧିକାରୀମାନଙ୍କୁ କୁହାଯାଇଥିଲା। କେବଳ ଅଭିଯୋଗ ଗ୍ରହଣ କରି ରଖି ନଦେଇ ଏହାର ଅଗ୍ରଗତି ଉପରେ ନିୟମିତ ନଜର ରଖି ଅଭିଯୋଗର ଚୂଡ଼ାନ୍ତ ସମାଧାନ ସୁନିଶ୍ଚିତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା।
ଗୋଟିଏ ସ୍ଥାନରେ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହିବା ଯୋଗୁଁ ଅଭିଯୋଗକାରୀମାନେ ସମ୍ପୃକ୍ତ ଅଧିକାରୀଙ୍କ ସହ ସିଧାସଳଖ ଆଲୋଚନା କରିବାର ସୁଯୋଗ ପାଇଥିଲେ। ଶିକ୍ଷା, ସ୍ୱାସ୍ଥ୍ୟ, ପରିବହନ, ସମାଜ କଲ୍ୟାଣ, ଉଦ୍ୟାନ କୃଷି ସମେତ ବିଭିନ୍ନ ବିଭାଗର ପ୍ରତିନିଧି ଏହି ଶିବିରରେ ଯୋଗ ଦେଇଥିଲେ।
ଅଭିଯୋଗଗୁଡ଼ିକର ବାସ୍ତବ ସ୍ଥିତି ଅନୁଧ୍ୟାନ କରି ଉପଯୁକ୍ତ ପଦକ୍ଷେପ ନେବା ସହ ମାମଲାଗୁଡ଼ିକର ଅଗ୍ରଗତି ଉପରେ ନଜର ରଖି ଶୀଘ୍ର ଫଇସଲା କରିବାକୁ ଅଧିକାରୀଙ୍କୁ କୁହାଯାଇଥିଲା।
ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କୁସୁମ କୁମାରୀ ପ୍ରହରାଜ, ସହକାରୀ ନିର୍ଦ୍ଦେଶକ, ଉଦ୍ୟାନ କୃଷି ଶ୍ରିୟା ଶାଶ୍ୱତୀଙ୍କ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ, ବିଭାଗୀୟ କର୍ମଚାରୀ ଏବଂ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର ପ୍ରତିନିଧିମାନେ ଉପସ୍ଥିତ ଥିଲେ।
ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଏଭଳି ମିଳିତ ଜନ ଅଭିଯୋଗ ଶୁଣାଣି ମାଧ୍ୟମରେ ଦୂରଦୂରାନ୍ତରୁ ଆସୁଥିବା ଲୋକମାନେ ବରିଷ୍ଠ ଅଧିକାରୀଙ୍କ ନିକଟରେ ନିଜ ସମସ୍ୟା ସିଧାସଳଖ ଉପସ୍ଥାପନ କରିବା ସହ ତାହାର ସମାଧାନ ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଜାଣିପାରୁଛନ୍ତି। ବାକି ଅଭିଯୋଗଗୁଡ଼ିକର ଶୀଘ୍ର ଫଇସଲା ପାଇଁ ସମ୍ପୃକ୍ତ ବିଭାଗକୁ ତ୍ୱରିତ ଅନୁସରଣମୂଳକ ପଦକ୍ଷେପ ନେବାକୁ କୁହାଯାଇଛି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
