୩୦ ଦିନ ମଧ୍ୟରେ ସର୍ତ୍ତହୀନ ସାର୍ବଜନୀନ କ୍ଷମା ପ୍ରାର୍ଥନା ଦାବି; ଜବାବ ନ ମିଳିଲେ ଆଇନଗତ ପଦକ୍ଷେପ ପାଇଁ ଚେତାବନି
ଖୋର୍ଦ୍ଧା, ୨୫ା୮: ସ୍ୱର୍ଗତ କୁନ୍ତଳା ଦେବୀଙ୍କ ସମ୍ପର୍କରେ କଥିତ ଅପମାନଜନକ ମନ୍ତବ୍ୟକୁ କେନ୍ଦ୍ର କରି ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କୁ ଆଇନଗତ ନୋଟିସ ଜାରି ହୋଇଛି। ଖୋର୍ଦ୍ଧା ଦେୱାନୀ ଅଦାଲତର ଆଇନଜୀବୀ ଏମ.ଆର. ମହାନ୍ତିଙ୍କ ପକ୍ଷରୁ ଅଗଷ୍ଟ ୨୧ରେ ଜାରି ଏହି ନୋଟିସରେ ୩୦ ଦିନ ମଧ୍ୟରେ ବୈଦ୍ୟୁତିକ ଗଣମାଧ୍ୟମ ଜରିଆରେ ସର୍ତ୍ତହୀନ ସାର୍ବଜନୀନ କ୍ଷମା ପ୍ରାର୍ଥନା କରିବାକୁ ଦାବି କରାଯାଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ଦାବି ପୂରଣ ନହେଲେ ପରବର୍ତ୍ତୀ ଆଇନଗତ ପଦକ୍ଷେପ ନିଆଯିବ ବୋଲି ନୋଟିସରେ ଚେତାବନୀ ଦିଆଯାଇଛି। ନୋଟିସରେ ଦର୍ଶାଯାଇଥିବା ଅଭିଯୋଗ ଅନୁଯାୟୀ, ଏପ୍ରିଲ ୧୦ରେ କେତେକ ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରସାରିତ ଏକ ବକ୍ତବ୍ୟରେ ଭଗବାନ ଦଳବେହେରାଙ୍କ ଦିବଙ୍ଗତ ମାତା କୁନ୍ତଳା ଦେବୀଙ୍କ ସମ୍ପର୍କରେ ବିଧାୟକଙ୍କ ପକ୍ଷରୁ କଥିତ ଭାବେ ଅପମାନଜନକ ଓ ମାନହାନିକର ମନ୍ତବ୍ୟ ଦିଆଯାଇଥିଲା। ଏହି ମନ୍ତବ୍ୟ ତାଙ୍କ ପରିବାରର ଭାବାବେଗକୁ ଆଘାତ କରିବା ସହ ଦିବଙ୍ଗତ ମାତାଙ୍କ ସାମାଜିକ ସମ୍ମାନକୁ କ୍ଷୁଣ୍ଣ କରିଥିବା ନୋଟିସଦାତା ଅଭିଯୋଗ କରିଛନ୍ତି। ନୋଟିସରେ କୁହାଯାଇଛି ଯେ, ଘଟଣା ପରେ ଏପ୍ରିଲ ୧୩ରେ ଖୋର୍ଦ୍ଧାରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ବିଧାୟକଙ୍କୁ ସର୍ତ୍ତହୀନ କ୍ଷମା ପ୍ରାର୍ଥନା କରିବାକୁ ଦାବି କରାଯାଇଥିଲା। ସେଥିପାଇଁ ଏକ ମାସ ସମୟ ଦିଆଯାଇଥିଲେ ମଧ୍ୟ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ମିଳିନଥିବା ନୋଟିସଦାତାଙ୍କ ପକ୍ଷରୁ ଦାବି କରାଯାଇଛି। ପରେ ମେ ୪ରେ ପୁଣି ଏକ ସ୍ମାରକପତ୍ର ଦିଆଯାଇଥିଲା। ତଥାପି ଦାବି ଉପରେ ବିଧାୟକଙ୍କ ପକ୍ଷରୁ ଉତ୍ତର ମିଳିନଥିବା ଅଭିଯୋଗ କରାଯାଇଛି। ଏହାପରେ ଅଗଷ୍ଟ ୨୧ରେ ଆଇନଜୀବୀଙ୍କ ମାଧ୍ୟମରେ ଔପଚାରିକ ଆଇନଗତ ନୋଟିସ ପଠାଯାଇଥିବା ଜଣାପଡ଼ିଛି। ନୋଟିସରେ ଏହାକୁ ‘ଶେଷ ସୁଯୋଗ’ ଭାବେ ଦର୍ଶାଇ ୩୦ ଦିନ ମଧ୍ୟରେ ସର୍ତ୍ତହୀନ ସାର୍ବଜନୀନ କ୍ଷମା ପ୍ରାର୍ଥନା କରିବାକୁ ଦାବି ରହିଛି।
ନୋଟିସରେ ସ୍ୱର୍ଗତ କୁନ୍ତଳା ଦେବୀଙ୍କ ରାଜନୈତିକ ପୃଷ୍ଠଭୂମିର ମଧ୍ୟ ଉଲ୍ଲେଖ ରହିଛି। ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମୟରେ ସେ ଖୋର୍ଦ୍ଧା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା ନୋଟିସରେ ଦାବି କରାଯାଇଛି।

ଏହି ମାମଲାର ଆଇନଗତ ପକ୍ଷ ମଧ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଭାରତୀୟ ନ୍ୟାୟ ସଂହିତା, ୨୦୨୩ର ଧାରା ୩୫୬ରେ ମାନହାନି ସମ୍ପର୍କିତ ଦଣ୍ଡବିଧାନ ରହିଛି। ସେହିପରି ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୨୨୨ ଅନୁଯାୟୀ ମାନହାନି ସମ୍ପର୍କିତ ଅଭିଯୋଗରେ ଅଦାଲତ କେଉଁ ପ୍ରକ୍ରିୟାରେ ସଂଜ୍ଞାନ ନେବ, ତାହାର ବ୍ୟବସ୍ଥା ରହିଛି।
ଆଇନ ବିଶେଷଜ୍ଞମାନଙ୍କ ମତରେ, କଥିତ ମନ୍ତବ୍ୟର ସମ୍ପୂର୍ଣ୍ଣ ଭିଡିଓ କିମ୍ବା ଅଡିଓ, ତାହାର ପ୍ରସଙ୍ଗ, କାହାକୁ ଉଦ୍ଦେଶ୍ୟ କରି ମନ୍ତବ୍ୟ ଦିଆଯାଇଥିଲା, ତାହାର ଅର୍ଥ ଓ ପ୍ରସାରଣର ପରିସର ଆଦି ତଦନ୍ତ କିମ୍ବା ବିଚାର ସମୟରେ ଗୁରୁତ୍ୱ ବହନ କରିପାରେ।

ରାଜନୈତିକ ମତଭେଦ ଓ ତୀବ୍ର ସମାଲୋଚନା ଗଣତାନ୍ତ୍ରିକ ବ୍ୟବସ୍ଥାର ଅଂଶ ହୋଇଥିଲେ ମଧ୍ୟ ସାର୍ବଜନୀନ ଜୀବନରେ ବ୍ୟକ୍ତିଗତ ମର୍ଯ୍ୟାଦା ଓ ଆଇନଗତ ସୀମା ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ। ବିଶେଷକରି ଜଣେ ଦିବଙ୍ଗତ ବ୍ୟକ୍ତିଙ୍କ ସମ୍ମାନ ସମ୍ପର୍କରେ ଉଠିଥିବା ଅଭିଯୋଗ ଏହି ବିବାଦକୁ ଅଧିକ ସମ୍ବେଦନଶୀଳ କରିଛି।
ନୋଟିସରେ ଦିଆଯାଇଥିବା ୩୦ ଦିନର ସମୟସୀମା ଶେଷ ହେବା ପର୍ଯ୍ୟନ୍ତ ବିଧାୟକଙ୍କ ପକ୍ଷରୁ କି ପଦକ୍ଷେପ ନିଆଯାଉଛି, ତାହା ଉପରେ ଏବେ ନଜର ରହିଛି। କ୍ଷମା ପ୍ରାର୍ଥନା କିମ୍ବା ଆପୋଷ ସମାଧାନର ପଥ ଖୋଲିଲେ ବିବାଦର ଏକ ପର୍ଯ୍ୟାୟରେ ଅବସାନ ଘଟିପାରେ। ଅନ୍ୟପକ୍ଷରେ ନୋଟିସର ଉତ୍ତର ନମିଳିଲେ କିମ୍ବା ଦାବି ପ୍ରତ୍ୟାଖ୍ୟାନ ହେଲେ ନୋଟିସଦାତା ଘୋଷଣା କରିଥିବା ପରବର୍ତ୍ତୀ ଆଇନଗତ ପଦକ୍ଷେପ ନେବେ କି ନାହିଁ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
