ଅବ୍ୟବସ୍ଥା ଘେରରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର
ନୟାଗଡ଼ ,(୦୧/୦୨): କେନ୍ଦ୍ର ଓ ରାଜ୍ୟ ସରକାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଜନସାଧାରଣଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗେଇ ଦେବାପାଇଁ ଉନ୍ନତ ମାନର ଚିକିତ୍ସା ଓ ସ୍ବଚ୍ଛତା ଉପରେ ଗୁରୁତ୍ବ ଦେଉଛନ୍ତି । କିନ୍ତୁ କିଛି ସ୍ବାସ୍ଥ୍ୟ ବିଭାଗର କର୍ମଚାର ଓ ଅଧିକାରୀ ମାନେ ଏହାର ବ୍ୟତିକ୍ରମ କରୁଥିବାର ଦେଖିବାକୁ ମିଳୁଛି ।ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରୁଛନ୍ତି । ଏପରି ଏକ ଅବ୍ୟବସ୍ଥା ଘେରରେ ରହିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର।

ସୂଚନା ଅନୁସାରେ ଶନିବାର ଦିନ ସ୍ବାସ୍ଥ୍ୟ ବିଭାଗର କାୟାକଳ୍ପ ଟିମ ରାଜସୁନାଖଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପରିଦର୍ଶନରେ ଆସିଥିଲେ । ରୋଗୀ ମାନଙ୍କ ପାଇଁ ପଡ଼ିଥିବା ବେଡ ଉପରେ କୌଣସି ବେଡସିଟି ପଡିନଥିବା ଦେଖିବାକୁ ପାଇଥିଲେ । ରୋଗୀମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଗାଧୁଆ ଘର , ପାଇଖାନା , ପରିଶ୍ରାଗାର ଓ ପରିମଳ ବ୍ୟବସ୍ଥା ଗୁଡିକରେ ସ୍ବଚ୍ଛତା ରହୁନଥିବା ଦେଖିଥିଲେ । ଏହି ଅବ୍ୟବସ୍ଥା ନେଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଓ କର୍ମଚାରୀଙ୍କୁ ତାଗିଦ୍ କରିଥିଲେ । ପରେ ତରବରିଆ ଭାବେ ରୋଗୀଙ୍କ ବେଡ ଉପରେ କର୍ମଚାରୀମାନେ ବେଡସିଟି ପକାଇବା ସହିତ ସଫାସୁତରା କରିଥିଲେ । ସ୍ୱାସ୍ଥ୍ୟକେନ୍ଦ୍ରର ଔଷଧ ବିତରଣ କେନ୍ଦ୍ରରେ ଆବଶ୍ୟକୀୟ ଥିବା ଔଷଧ ରଖା ଯାଇନଥିବା ବେଳେ ତାହା ତରବରିଆ ଭାବେ ଅଧିକାରୀମାନେ ତଦାରଖ କରିବା ପୂର୍ବରୁ କିଛି ଔଷଧ ଅଧିକାରୀଙ୍କ ସମ୍ମୁଖରେ ରଖାଯାଉଥିବାର ଦେଖିବାକୁ ମିଳିଥିଲା । ଏପରି ଅବ୍ୟବସ୍ଥାକୁ ନେଇ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଏବଂ କର୍ମଚାରୀ ମାନଙ୍କ ସହିତ ଆଲୋଚନା କରିଥଲେ। ଏହି କାୟାକଳ୍ପ ଟିମ ପକ୍ଷରୁ ଅତିରିକ୍ତ ନିର୍ଦ୍ଦେଶକ ଡ.ବିଜୟ କୁମାର ଧଳ , ପ୍ରଶାନ୍ତ କୁମାର ଦାସ ବିଦ୍ୟାଳୟ ସ୍ବାସ୍ଥ୍ୟ ପରାମର୍ଶଦାତା, ପି ଏଚ ଏଫ୍ ଆଇ ସର୍ବେଶ୍ଵର ସାହୁ , ଡିପିଏମ ପ୍ରକାଶ ଚନ୍ଦ୍ର ବାନାର୍ଜୀ , ସନନ୍ତ କୁମାର ମହାପାତ୍ର ପ୍ରମୁଖ ପରିଦର୍ଶନ କରିଥିଲେ । ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ଥାନୀୟ ଅଞ୍ଚଳର କିଛି କର୍ମଚାରୀ ବହୁ ବର୍ଷ ଧରି ଗାଦି ମାଡ଼ି ରହି ମନମାନି ଚଳାଇଛନ୍ତି। ଅନ୍ୟତ୍ର ବଦଳି ହେଇଥିଲେ ମଧ୍ୟ ପୁନର୍ବାର ଏହି ସ୍ଵାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ହୋଇ ଦୁର୍ନୀତିରେ ଲିପ୍ତ ରହି ରୋଗୀ ଓ ସମ୍ପର୍କୀୟ ମାନଙ୍କୁ ଦୁର୍ବବ୍ୟବହାର କରୁଥିବାର ବହୁ ଅଭିଯୋଗ ହେଉଛି ।

ସେହିପରି ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକୀୟ ଡାକ୍ତର ପଦବୀ ଖାଲି ପଡ଼ିଥିବା ବେଳେ ପାଳିରେ ଚାଲିଛି ରୋଗୀ ସେବା। ଯାହା ଫଳରେ ରୋଗୀ ମାନେ ବହୁ ଦୂରଦୂରାନ୍ତକୁ ଚିକିତ୍ସା ପାଇଁ ବାଧ୍ୟ ବାଧକତାରେ ଯାଉଛନ୍ତି। ଏହାକୁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଦୃଷ୍ଟି ଦେବା ସହିତ ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now