ରାଜ୍ୟରେ ଗୃହ ବିଭାଗ ସଂପୂର୍ଣ୍ଣ ଅଚଳ:ବିଭିନ୍ନ କୋର୍ଟରେ ଭୟର ବାତାବରଣ : ବିଜେଡି

ଓଡିଶା ଇତିହାସରେ ପ୍ରଥମ; କଟକ, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲା କୋର୍ଟରେ ବୋମା ଆତଙ୍କ

ଭୁବନେଶ୍ୱର, (୦୮/୦୧): – ଆଜି ରାଜ୍ୟରେ  ଅଜଣା ବ୍ୟକ୍ତିଙ୍କ ଦ୍ବାରା ବିଭିନ୍ନ କୋର୍ଟକୁ ଧମକପୂର୍ଣ ଇ-ମେଲ ଆସିବା ପରେ ସବୁଆଡେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ରାଜ୍ୟରେ ବିଭିନ୍ନ କୋର୍ଟକୁ ଏହି ବୋମା ଧମକ ଦର୍ଶାଉଛି ଗୃହ ବିଭାଗ ଅସହାୟ ହୋଇଯାଇଛି। ବିଜେପି ଦଳ ଓଡ଼ିଶାରେ ଶାସନ ଭାର ଗ୍ରହଣ କରିବା ଦିନଠୁ ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ବିଜେଡି ଅଭିଯୋଗ କରିଛି।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି, ଓଡିଶା ଇତିହାସରେ ପ୍ରଥମ ଘଟଣା, କଟକ, ସମ୍ବଲପୁର ଓ ଦେବଗଡ଼ କୋର୍ଟରେ ବୋମାର ଆତଙ୍କ। କୋର୍ଟକୁ ବୋମାରେ ଉଡାଇ ଦେବାକୁ ଆସିଛି ଧମକପୂର୍ଣ ଇ-ମେଲ । କିଛି ସମୟ ମଧ୍ୟରେ କୋର୍ଟ ପରିସରରେ ବିସ୍ଫୋରଣ ହେବା ନେଇ ଅଜ୍ଞାତ ବ୍ୟକ୍ତି ଧମକ ଦେଇଥିଲେ । ଧମକପୂର୍ଣ ଇ-ମେଲ ମିଳିବା ପରେ କାର୍ଯ୍ୟ ବନ୍ଦ ସହ କୋର୍ଟ ପରିସର ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ କର୍ମଚାରୀ, ଓକିଲ ଓ ମହଜିଲ କୋର୍ଟ ପରିସରକୁ ବାହାରି ଆସିଛନ୍ତି । ସେହିପରି କଟକରେ ହାଇଆଲର୍ଟ ମଧ୍ୟ ଜାରି କରାଯାଇଛି।



ଆମ ନ୍ୟାୟିକ ପ୍ରତିଷ୍ଠାନଗୁଡ଼ିକ ସମେତ ବିଚାରପତି, ଓକିଲ, ମକଦ୍ଦମାଚାରୀ, କୋର୍ଟ କର୍ମଚାରୀ ତଥା ସାଧାରଣ ଲୋକଙ୍କ ସୁରକ୍ଷା ସର୍ବୋପରି I ଭାରପ୍ରାପ୍ତ ଅଧୁକାରୀମାନେ ମିଳିଥିବା ଧମକର ତୁରିତ, ପୁଙ୍ଖାନୁପୁଙ୍ଖ ଏବଂ ଉପଯୁକ୍ତ ଯାଞ୍ଚ କରନ୍ତୁ । ଧମକ କେଉଁଠୁ ଆସିଲା ଏବଂ ଏଥିରେ କେଉଁମାନେ ସମ୍ପୃକ୍ତ ସେମାନଙ୍କୁ ତୁରନ୍ତ ଠାବ କରି ଏହାର ନିଷ୍କର୍ଷ ସର୍ବସମ୍ମୁଖକୁ ଆଣରୁ ବୋଲି ବିଜେଡି ଦାବି କରିଛି।

ରାଜ୍ୟରେ ଭୟର ବାତାବରଣ ସୃଷ୍ଟିହେଇଛି । ଅପରାଧୀ ମାନେ ବିଜେପି ସରକାରକୁ ଡରିବା ତ ଦୂରର କଥା ଓଲଟା ଇ-ମେଲ ଧମକ ଦେଇଛନ୍ତି । କିଛି ଦିନ ପୂର୍ବରୁ ମଧ୍ୟ ରାଜ୍ୟର ଜଣେ ସାମ୍ବାଦିକଙ୍କୁ ଏଭଳି ଇ-ମେଲ ଜରିଆରେ ଧମକ ଦିଆଯାଇଥିଲା । ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ କି ଏ ସଂପର୍କରେ ସ୍ପଷ୍ଟତା ଦେଲେ ନାହିଁ । ଏଥୁରୁ ସ୍ପଷ୍ଟ ବାରି ହେଉଛି ଆଇନଶୃଙ୍ଖଳା ନିୟନ୍ତ୍ରଣ କରିବାରେ ଗୃହ ବିଭାଗ ସଂପୂର୍ଣ ବିଫଳ ହୋଇଛି।

ଡ. ମହାନ୍ତି ଆହୁରି ମଧ୍ୟ କହିଥିଲେ ଯେ, ପୋଲିସ ପ୍ରଶାସନ ମଧ୍ୟ ସମ୍ପୂର୍ଣ ନିଷ୍କ୍ରିୟ ହୋଇ ପଡିଛନ୍ତି । ନିକଟରେ ଡିଜିପି ବିଜେଡି ପ୍ରତିନିଧିଙ୍କୁ ଭେଟିବାକୁ ଅସହଜ ମନେ କରିଥିଲେ। ଏଥିପାଇଁ ପୋଲିସ ପ୍ରଶାସନ ଏବଂ ରାଜ୍ୟ ସରକାର ଜନସାଧାରଣଙ୍କ ପ୍ରତି ଉତ୍ତରଦାୟୀ ହେବା ଦରକାର। ଭୟର ବାତାବରଣ ଦୂର କରିବା ପାଇଁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବା ସହ ସାଧାରଣ ଜୀବନଯାପନକୁ ସ୍ଵାଭାବିକ କରନ୍ତୁ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *