ଖୋର୍ଦ୍ଧା,(୦୮/୦୧):- ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ସନ୍ନିକଟ ମାର୍କେଟ କମ୍ପ୍ଲେକ୍ସ ର ଏକ ଅଳଙ୍କାର ଦୋକାନରୁ ସୁନା ଅଳଙ୍କାର ଲୁଟ୍ ଘଟଣାର ଆଜି ପର୍ଦ୍ଦାଫାଶ କରିଛି ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ। ୨ କେଜି ୬୩୮ଗ୍ରାମ ରୂପା, ଟିଭିଏସ ଆପାଚି ମଟର ସାଇକଲ, ୨ଟି ଲୁହାରଡ ଜବତ ସହ ଅଭିଯୁକ୍ତ ବାଲୁଗାଁର ଚନ୍ଦନ ନାୟକଙ୍କୁ ସିସିଟିଭି ଫୁଟେଜକୁ ଆଧାର ରେ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ । ଅଭିଯୁକ୍ତ ଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ଚୋରି ମାମଲା ରହିଛି।

ଗତ ଡିସେମ୍ବର ୧୪ ତାରିଖ ରାତିରେ ଅଭିଯୁକ୍ତ ଲୁହାରଡରେ ଦୋକାନ ଗ୍ରିଲ ସଟର ତାଡି ସୁନା ଅଳଙ୍କାର ଲୁଟ୍ କରି ନେଇଥିଲେ। ଦୋକାନୀ ମାଲିକ ଦିନେଶ ସାଥୁଆଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା(ନଂ.୫୩୩/୨୫) ରୁଜୁ କରିଥିଲା। ଥାନାଧିକାରୀ ସଞ୍ଜୟ ନାୟକ ଙ୍କ ତତ୍ତ୍ୱାବଧାନରେ ଏସଆଇ ଦିନେଶ ପିଙ୍ଗୁଆଙ୍କ ନେତୃତ୍ୱରେ ଏଏସଆଇ ଫୁଲମଣି ହେମ୍ବ୍ରମ, ହାବିଲଦାର ଏ.ସାମନ୍ତରାୟ ପ୍ରମୁଖଙ୍କୁ ନେଇ ଏକ ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଥିଲା।

ଅଭିଯୁକ୍ତ ଲୁଟ୍ ପରେ ଚୋରି ସାମଗ୍ରୀ ବିକ୍ରି କରିବାକୁ ଉଦ୍ୟମ କରି ବିଫଳ ହେବା ପରେ ଘର ପଛପଟେ ଲୁଚାଇ ରଖିଥିଲେ। ଆଜି ପୂର୍ବାହ୍ନରେ ପୋଲିସ ଟିମ ଅଭିଯୁକ୍ତ ଠିକଣାରେ ଚଢାଉ ବେଳେ ସେ ଘଟଣା ସମ୍ପର୍କରେ ମାନିଥିଲେ। ତା’ ଠାରୁ ରୂପା ଅଳଙ୍କାର ଜବତ କରାଯାଇଛି ବୋଲି ଆଦର୍ଶ ଥାନାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ ପି ଶ୍ରୀନିବାସ ମହାନ୍ତି ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଥାନାଧିକାରୀ ସଞ୍ଜୟ ନାୟକ, ଅତିରିକ୍ତ ଆଇଆଇସି ଭାଗ୍ୟଲକ୍ଷ୍ମୀ ବେହେରା, ତଦନ୍ତ ଅଧିକାରୀ ଦିନେଶ ପିଙ୍ଗୁଆ ପ୍ରମୁଖ ଉପସ୍ଥିତ ଥିଲେ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now