ଖୋର୍ଦ୍ଧା ୨୨।୮: – ବାଲୁଗାଁ ବାଣପୁର ଅଞ୍ଚଳରୁ ବହୁ ଲୋକ ଅଧିକ ରୋଜଗାର କରିବାର ଆଶାରେ ବିଦେଶକୁ ଯାଇ କାମ କରିଆସୁଥିବା ବେଳେ ବାରମ୍ବାର ବିଦେଶରେ ଓଡିଆ ଶ୍ରମିକଙ୍କ ମୃତ୍ୟୁ ଘଟୁଥିବାର ଘଟଣା ମାନ ସାମ୍ନାକୁ ଆସୁଛି।ଏପରି ସ୍ଥଳେ ପୁଣିଥରେ ବିଦେଶରେ ବାଣପୁର ଅଞ୍ଚଳର ଜଣେ ଓଡିଆ ଶ୍ରମିକ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁ ଘଟିଥିବ ଖବର ହସ୍ତଗତ ହୋଇଛି। ବାଣପୁର ଥାନା ଅନ୍ତର୍ଗତ ଗାଲୁଆ ଗ୍ରାମର ଭାଗିରଥି ବାରିକିଙ୍କ ପୁଅ ମନୋଜ କୁମାର ବାରିକି(୪୦)ଙ୍କର ସୁଦୂର ସାଉଦିଆରବରେ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ସୁଚନା ମିଳିଛି। ଗୁରୁବାର ସନ୍ଧ୍ଯାରେ ମୃତ୍ଯୁର ଖବର ପାଇ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିବା ବେଳେ ବର୍ତ୍ତମାନ ମନୋଜଙ୍କ ମୃତଦେହ ଗ୍ରାମକୁ ଫେରାଇ ଆଣିବାର ଚିନ୍ତାରେ ପଡି ପରିବାର ପକ୍ଷରୁ ସ୍ଥାନୀୟ ପ୍ରଶାସନୀକ ଅଧିକାରୀ ଓ ଜନ ପ୍ରତିନିଧିଙ୍କୁ ଅନୁରୋଧ କରିଛନ୍ତି।
ସୂଚନା ମୁତାବକ ଗାଲୁଆ ଗ୍ରାମର ମନୋଜ ଗତ ୩ବର୍ଷ ହେଲା ସୂଦୂର ସାଉଦିଆରବର ଏବିଆର କନଷ୍ଟ୍ରକ୍ସନ କୋ. ଲିମିଟେଡ କମ୍ପାନୀରେ ଶ୍ରମିକ ଭାବେ କାମ କରି ପରିବାର ପ୍ରତିପୋଷଣ କରି ଆସୁଥିବା ବେଳେ ଗ୍ରାମରେ ମନୋଜଙ୍କ ପତ୍ନୀ, ଦୁଇଟି ଛୋଟ ଛୋଟ ପୁଅ ଓ ବାପା ମା ରୁହନ୍ତି। ମନୋଜ ବିଦେଶରେ କର୍ଯ୍ୟରତ ଥିବା ବେଳେ ଗତ ୨୧ତାରିଖ ଗୁରୁବାର ସାଉଦିଆରବରେ କୌଣସି କାର୍ଯ୍ୟରେ ମନୋଜ ବଜାର ଯାଇ ଥିବା ବେଳେ ସେଠାରେ ସଡକ ଦୁର୍ଘଟଣାର ଶିକାର ହୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ତେବେ ବର୍ତ୍ତମାନ ପରିବାର ଲୋକେ ରୋଜଗାରକ୍ଷମ ସଦସ୍ୟଙ୍କ ମୃତ୍ୟୁରେ ମନୋଜଙ୍କ ଛୋଟ ଛୋଟ ପିଲାଙ୍କ ସମେତ ସ୍ତ୍ରୀ, ବୃଦ୍ଧ ପିତା, ମାତା ଦୁଃଖରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ଏଥିପ୍ରତି ଦୃଷ୍ଟି ଦେଇ ମୃତଦେହ ଗ୍ରାମକୁ ଫେରାଇ ଆଣିବା ପାଇଁ ପରିବାର ଲୋକଙ୍କ ସହ ଗ୍ରାମବାସୀ ସ୍ଥାନୀୟ ଓ ଜିଲ୍ଲା ପ୍ରଶାସନ, ପୁରୀ ସାଂସଦ ଓ ରାଜ୍ଯ ସରକାରଙ୍କ ସମେତ ବୈଦେଶିକ ମନ୍ତ୍ରଣାଳୟକୁ ନିବେଦନ କରିଛନ୍ତି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now