ଘଟଣା ପରଠାରୁ ପୀଡ଼ିତାଙ୍କ ପରିବାରକୁ ଅଜ୍ଞାତବାସରେ ରଖିବା ରହସ୍ୟ କଣ ?
ଘଟଣାରେ ପ୍ରଭାତୀ ପରିଡାଙ୍କ ଘନିଷ୍ଠ ସହଯୋଗୀଙ୍କ ହାତ ରହିଛି
ଭୁବନେଶ୍ୱର, ୦୩/୦୮: ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ପରେ ବିଜୁ ଜନତା ଦଳ ଆଜି ରାଜ୍ୟ ବିଜେପି ସରକାରଙ୍କୁ ଦାୟୀ କରିବା ସହିତ ରାଜ୍ୟରେ ଛାତ୍ରୀ ଓ ନାରୀଙ୍କୁ ସୁରକ୍ଷା ପ୍ରଦାନ କ୍ଷେତ୍ରରେ ସମ୍ପୂର୍ଣ ବିଫଳ ହୋଇଛନ୍ତି ବୋଲି କହିଛି। ରାଜ୍ୟ ସରକାର ଅପରାଧୀ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାରେ ସମ୍ପୂର୍ଣ ବିଫଳ ହୋଇଛନ୍ତି ଯେଉଁଥିପାଇଁ ଓଡିଶା ଆଜି ଅପରାଧୀ ମାନଙ୍କ ଚରାଭୂଇଁ ପାଲଟିଛି। ଦୁଷ୍କର୍ମ, ଅସଦାଚରଣ, ହତ୍ୟା ଇତ୍ୟାଦି ନିତିଦିନିଆ ଘଟଣାରେ ପରିଣତ ହୋଇଥିବା ବେଳେ ଝିଅ ମାନଙ୍କୁ ଜାଳିଦେଇ ହତ୍ୟା କରିବା ଏକ ନୂଆ ଅପରାଧ ସୃଷ୍ଟି ହୋଇଛି ବୋଲି ବିଜୁ ଜନତା ଦଳ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ, ଟୁକୁନି ସାହୁ ଓ ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି !
ଶ୍ରୀମତୀ ମଲ୍ଲିକ କହିଥିଲେ, ବଳଙ୍ଗା ଘଟଣାକୁ ଦୁଇ ସପ୍ତାହ ବିତିଯିବା ପରେ ମଧ୍ୟ ଏଥିରେ ସମ୍ପୃକ୍ତ ଅପରାଧୀ ମାନେ ଧରାନପଡିବା ପୋଲିସ ପ୍ରଶାସନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି I ବଳଙ୍ଗା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ନିର୍ବାଚନମଣ୍ଡଳୀ ହୋଇଥିବାରୁ, ଏହି ମାମଲାରେ ତାଙ୍କର କିଛି ଘନିଷ୍ଠ ସହଯୋଗୀ ତଥା ବିଜେପି କର୍ମୀଙ୍କ ସମ୍ପୃକ୍ତି ରହିଛି ବୋଲି ଜନସାଧାରଣରେ ସନ୍ଦେହ ପ୍ରକାଶ ପାଉଛି। ଅପରାଧୀ ମାନଙ୍କୁ ଘଣ୍ଟ ଘୋଡ଼ାଇବାକୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ। ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଭାବେ ପୀଡ଼ିତାଙ୍କ ମୃତ୍ୟୁ ପରେ ପୋଲିସ ଏଥିରେ ଅନ୍ୟ କାହାର ସମ୍ପୃକ୍ତି ନାହିଁ ବୋଲି ମନ୍ତବ୍ୟ ରଖିବା ଘଟଣାକୁ ଅଧିକ ସନ୍ଦେହ ଘେରକୁ ନେଉଛି! ଏହାଛଡା, ପୂର୍ବରୁ ଘଟିଯାଇଥିବା ଏଫଏମ କଲେଜ ଛାତ୍ରୀ ଆତ୍ମଦାହ ଘଟଣା ଓ ଗୋପାଳପୁର ବେଳାଭୂମିରେ ଜଣେ ଛାତ୍ରୀକୁ ଗଣଦୁଷ୍କର୍ମ ଘଟଣା ଓଡିଶା ପାଇଁ ଦେଶ ବିଦେଶରେ ଲଜ୍ଯା ଓ ନିନ୍ଦା ଆଣିଛି। ରାଜ୍ୟରେ, ଛାତ୍ରୀ, ନାରୀ ଅସୁରକ୍ଷିତ ହୋଇ ପଡିଛନ୍ତି, କିନ୍ତୁ ରାଜ୍ୟ ସରକାର ନିଦାବିଷ୍ଣୁ ସାଜି ବସି ରହିଛନ୍ତି।
ଶ୍ରୀମତୀ ସାହୁ କହିଥିଲେ, ଗତ ଏକ ବର୍ଷର ବିଜେପି ଶାସନରେ, ରାଜ୍ୟରେ ମହିଳା ମାନେ ଅସୁରକ୍ଷିତ ହୋଇ ପଡିଛନ୍ତି I ଆଜି ରାଜ୍ୟର ପ୍ରତ୍ୟେକ ମା ମାନେ ନିଜ ଝିଅ ମାନଙ୍କୁ ପଦାକୁ ଛାଡିବାକୁ ଭୟ କରୁଛନ୍ତି I ଦୁଇ ଦୁଇଟି ସମ୍ବେଦନଶୀଳ ଘଟଣା ଘଟିଗଲା, ସରକାର ପୀଡ଼ିତାଙ୍କୁ ନ୍ୟାୟ ଦେବା ପରିବର୍ଭେ, ତାଙ୍କ ପରିବାରକୁ କୋଡିଏ ଲକ୍ଷ ଟଙ୍କା ଦେଇ ତାଙ୍କ ଉପରେ ଚାପ ପକେଇ ପରିବାରର ମୁହଁ ବନ୍ଦ କରୁଛନ୍ତି ଓ ତାଙ୍କ ଠାରୁ ରାଜନୀତି କରାନଯାଉ ବୋଲି ମନ୍ତବ୍ୟ ଦିଆଇଛନ୍ତି। ଏହାକୁ ଆମେ ଦୃଢ଼ ନିନ୍ଦା କରୁଛୁ । ପୀଢ଼ିତାକୁ ନ୍ୟାୟ ଦେବା ପାଇଁ ଓ ରାଜ୍ୟର ନାରୀ ମାନଙ୍କୁ ସୁରକ୍ଷିତ ରଖିବା ପାଇଁ ବିଜୁ ଜନତା ଦଳ ଲଢେଇ ଜାରି ରଖୁବ ବୋଲି ଶ୍ରୀମତୀ ସାହୁ କହିଥିଲେ।
ଡ. ସାମନ୍ତସିଂହାର କହିଥିଲେ, ରାଜ୍ୟରେ ଗୋଟିଏ ମାସ ଭିତରେ ଘଟିଥିବା ଦୁଇ ଦୁଇଟି ଘଟଣାକୁ ଆତ୍ମହତ୍ୟା କୁହାଯାଉଥିଲେ ବି, ବାସ୍ତବରେ ଏହା ହତ୍ୟା I ଯେଉଁଭଳି ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି, ସରକାରୀ ବ୍ୟବସ୍ଥା ଓ ପୋଲିସ ପ୍ରଶାସନର ଭୂମିକା ନିଶ୍ଚିତ ଭାବେ ସନ୍ଦେହ ଘେରରେ ରହିଛି। ରାଜ୍ୟ ବିଜେପି ସରକାର ଏକ ନାରୀହନ୍ତା ସରକାରରେ ପରିଣତ ହୋଇଛି I ଏଫଏମ କଲେଜ ଘଟଣାରେ, ଯେଉଁ ପୋଲିସ ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ, ସେମାନେ ଏବେବି ନିଜ ସ୍ଥାନରେ ସୁରକ୍ଷିତ ଅଛନ୍ତି। ସେହିପରି, ସ୍ଥାନୀୟ ବିଧାୟକ ଓ ସାଂସଦଙ୍କ ଭୂମିକା ସନ୍ଦେହ ଘେରରେ ରହିଥିଲେ ମଧ୍ୟ ସେମାନଙ୍କୁ ତଦନ୍ତ ପରିସର ଭୁକ୍ତ କରାଗଲା ନାହିଁ I ବିଜେପି ନେତା ଓ କର୍ମୀମାନେ ସନ୍ଦିଗ୍ଧ ଅପରାଧୀ ଥିଲେ, ସେମାନଙ୍କୁ ସାତଖୁନ ମାଫ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ। ରାଜ୍ୟ ବିଜେପି ସରକାର ଏହି ବାର୍ଭା ଦେଉଛି। ବଳଙ୍ଗା ଘଟଣାରେ, ପୀଡ଼ିତାଙ୍କ ମୃତ୍ୟୁ ପରେ ପୋଲିସ ଏଥିରେ ଅନ୍ୟ କାହାର ସମ୍ପୃକ୍ତି ନାହିଁ ବୋଲି ଏକ ନୂଆ ଓରୀ ଆଣିଛି। ପୋଲିସର ଏହି ନୂଆ ଥିଓରୀ ସାଧାରଣ ଲୋକଙ୍କ ପାଖରେ ଗ୍ରହଣୀୟ ହୋଇପାରୁ ନାହିଁ। ଜଳ ଜଳ ହୋଇ ଦିଶୁଛି ପୋଲିସ ଅପରାଧୀଙ୍କୁ ଘଣ୍ଟ ଘୋଜାଇବା ପାଇଁ ଓ ତାର ରାଜନୈତିକ ଆକା ମାନଙ୍କୁ ସୁରକ୍ଷା ଦେବା ପାଇଁ ଏଭଳି ଏକ ନୂଆ ଥିଓରୀ ଆଣିଛି। ଘଟଣା ଘଟିବା ପରେ, ସ୍ଥାନୀୟ ବିଧାୟକ ତଥା ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଙ୍କ ସ୍ବାମୀ ପୀଡ଼ିତାଙ୍କ ଘରେ ପହଞ୍ଚି ତାଙ୍କ ପରିବାର ସଦସ୍ୟଙ୍କୁ ଅଜ୍ଞାତବାସରେ ରଖିଥିଲେ I ପୀଡ଼ିତାଙ୍କ ମୃତ୍ୟୁ ପରେ, ପୀଡିତାଙ୍କ ପିତାଙ୍କ ମୁହଁରୁ ରାଜନୀତି କରାନଯାଉ ବୋଲି କୁହାଉଛନ୍ତି। ଏହି ସବୁ ଘଟଣା ସମଗ୍ର ପ୍ରସଙ୍ଗକୁ ଅଧିକ ସନ୍ଦେହ ଘେରକୁ ଠେଲିଦେଇଛି ପ୍ରକୃତ ଅପରାଧୀଙ୍କୁ ଖସାଇ ଦେବା ପାଇଁ, ପୀଡିତା ଯେତେବେଳେ ସତ୍ୟ ବୟାନ ଦେବା ପାଇଁ ଆଉ ଏ ଦୁନିଆରେ ନାହାନ୍ତି, ସେତିକିବେଳେ ପୋଲିସ ଆତ୍ମହତ୍ୟା ଥିଓରୀ ଉପସ୍ଥାପନା କରୁଛି, ଯାହା ଆଦୌ ଗ୍ରହଣୀୟ ନୁହେଁ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
