ଖୋର୍ଦ୍ଧା:- ବେଳକୁ ବେଳ ଖୋର୍ଦ୍ଧା ବନଖଣ୍ଡ ଅଧିନ ଖୋର୍ଦ୍ଧା ଓ ଟାଙ୍ଗି ବନାଂଚଳ ରେ ଜଙ୍ଗଲୀ ବାରହାଙ୍କ ଉତ୍ପାତ ବଢୁଛି ।କେତେବେଳେ ବାରହା ମଣିଷକୁ ଗୋଡାଉଛି ତ ଆଉକେତେବେଳେ ମଣିଷର ଶିକାର ହେଉଛି ବାରହା । ସେହିଭଳି ମେଘୁଆ ପାଗ ଓ ରାତି ସମୟରେ ଚାଷୀଙ୍କର ବାଡିରେ ପଶି ବ୍ୟାପକ ପରିବା ଫସଲ ନଷ୍ଟ କରୁଥିବା ଅଭିଯୋଗ ହେଉଛି । ଧାନ ଫସଲ ହେଉ କି ପନିପରିବା ଫସଲ ହେଉ । ଚାଷୀ ଅମଳ କରିବା ପୂର୍ବରୁ ବାରହା ନଷ୍ଟ କରୁଛନ୍ତି । ଗୋଟିଏ ରାତିରେ ବାରହା ପଲ୍ଲ ଏକର ଏକର ଜମିକୁ ନଷ୍ଟ କରି ଦେଉଛନ୍ତି ।ଯେତିକି ଖାଉଛନ୍ତି ତାଠାରୁ ଅଧିକ ଜମିର ଫସଲକୁ ନଷ୍ଟ କରିଦେଉଛନ୍ତି । ବଜାର ରେ ପରିବା ଦରରେ ତାତି ଥିବାବେଳେ ପରିବା ଚାଷୀ ର ଫସଲକୁ ବାରହା ନଷ୍ଟ କରିବା ଦ୍ୱାରା ଚାଷୀ ଗୁମୁରି ଗୁମୁରି କାନ୍ଦୁଛି ।ବନବିଭାଗରେ ଅଭିଯୋଗ କଲେ ସେଇ ଚିରାଚରିତ ଉତର ଫର୍ମ ପୂରଣ କରିଦିଅ କ୍ଷତିପୂରଣ ମିଳିବ ।ମାତ୍ର ବନବିଭାଗର ଏ କ୍ଷତିପୂରଣ ଚାଷୀ ପାଇଁ ସମୁଦ୍ରକୁ ଶଙ୍ଖେ ସଦୃଶ ହୋଇଥିବା ଚାଷୀ ଅଭିଯୋଗ ଆଣିଛି ।

ପ୍ରକାଶଥାଉକି, ଖୋର୍ଦ୍ଧା ଓ ବେଗୁନିଆ ବ୍ଲକର ଅଧିକାଂଶ ଗ୍ରାମମାନଙ୍କରେ ଚାଷୀ ବିଲରେ ପନିପରିବା ଓ ଧାନ ଚାଷ କରି ବେଶ ଦୁଇ ପଇସା ପାଇ ପରିବାର ଗୁଜୁରାଣ ମେଂଟାଇଥାନ୍ତି । ମାତ୍ର ବନବିଭାଗର ଖାମଖିଆଲ ନିତି ଯୋଗୁ ବେଳକୁ ବେଳ ବାରହା ଉତ୍ପାତ ବୃଦ୍ଧି ପାଉଛି । ଫଳରେ ବାଡି ଏବଂ ଚାଷ ଜମିରେ ଫସଲ କରି ପରିବାର ପୋଷୁଥିବା କ୍ଷୁଦ୍ରଚାଷୀ ଏବେ ବାରହା ଉତ୍ପାତ ଯୋଗୁ ହତାଷ ହୋଇଛି ।ବାରହା ଗୁଡିକ ଚାଷ ଜମି ସମେତ ବାଡି ଓ ଅଗଣାରେ ରାତିରେ ଦଳ ଦଳ ହୋଇ ପଶି ଫସଲ ନଷ୍ଟ କରିବା ସହିତ ଦଳିଚକଟି ପକାଇବା ଦ୍ୱାରା ଗଛ ତଳେ ପଡି ମାଟିରେ ପୋତି ହୋଇଯାଉଛି ।ପରିବା ଚାଷୀ ଜିତେନ୍ଦ୍ର ସ୍ୱାଇଁଙ୍କ କହିବା ଅନୁସାରେ, ସେ ପ୍ରାୟ ଦେଢଏକର ଜମିରେ କଲରା, ମକା, ବାଇଗଣ, କାକୁଡି, ଭେଣ୍ଡି ଓ ସାରୁ ଚାଷ କରିଛନ୍ତି । ଫସଲ ବାହାରିଲେ ତାକୁ ବିକ୍ରି କରି ପରିବାର ପାଇଁ ରଖିବା ସହ ପୁଣି ଆଉ ଏକ ଫସଲ ଲାଗି ବିହନ କିଣିବାରେ ବ୍ୟବହାର କରାଯାଇଥାନ୍ତା । ମାତ୍ର ବାରହାପଲ ପସି ମକା, କାକୁଡି, ସାରୁ, କଲରା ଫସଲକୁ ଉଜାଡି ଦେଇଛନ୍ତି । ଯାହା ବର୍ତମାନ ଆଦାୟ ଯୋଗ୍ୟ ନୁହେଁ ବୋଲି ସେ କହିଛନ୍ତି । ଯଦି ବି କିଛି ଆଦାୟ ହେଲା ସେଥିରୁ ବିହନ ଖର୍ଚ୍ଚ ବାହାରିବ କି ନାହିଁ ସେ ଆଶଙ୍କା କରିଛନ୍ତି ।

ସେହିପରି ବର୍ତମାନ ଖରିଫ ଧାନ ତଳି ବିଲରେ ପଡିଥିବାବେଳେ ବାରହା ପଲ୍ଲ କ୍ଷେତଗୁଡିକର ହିଡ଼ଗୁଡିକୁ ତାଡ଼ି ଦେଉଥିବାରୁ ଚାଷୀ ଧାନ ଫସଲ ପାଇଁ ବନ୍ଧାଇ ରଖିଥବା ପାଣି ବୋହିଯାଉଛି । ବିଲଗୁଡିକରେ ବାରହା ପଶି ତଳିଧାନ ନଷ୍ଟ କରୁଥିବା ଅଭିଯୋଗ ହେଉଛି । ବାର୍ହାପଲ ଚାଷ ଜମିରେ ଦଳାଚକଟା କରି ରାତିରେ ଫସଲ ନଷ୍ଟ କରୁଥିବାବେଳେ ଦନ୍ତା ବାର୍ହା ଆକ୍ରମଣ ଆଶଙ୍କାରେ ଲୋକେ ରାତିରେ ଘରୁ ବାହାରିବାକୁ ଭୟ କରୁଛନ୍ତି ।ବାରହା ଉତ୍ପାତ ଫଳରେ କେତେକ ଚାଷୀ ଏବେ ଧାନ/ ପରିବା ଫସଲ କରିବାକୁ ଅନିଚ୍ଛା ପ୍ରକାଶ କରୁଥିବା କହିଛନ୍ତି । ମାତ୍ର ବନବିଭାଗ କ୍ଷତିପୁରଣ ସମୁଦ୍ରକୁ ଶଙ୍ଖେ ସଦୃଶ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । କ୍ଷୟକ୍ଷତି ବାବଦକୁ ବନ ବିଭାଗ ୧୫ଶହ ଟଙ୍କା ଦେବା ପାଇଁ ଯେଉଁ ପ୍ରତିଶୃତି ଦେଉଛି, ତାହାତୁ ମଧ୍ୟ ଦେବାରେ ଅହେତୁକ ଅଣଦେଖା କରିଥିବା ଚାଷୀମାନେ କହିଛନ୍ତି । ଫଳରେ ଏଥିରେ ଅତିଷ୍ଟ ହୋଇ ଚାଷୀମାନେ ବାଧ୍ୟ ହୋଇ ଚାଷ ରୁ ବିମୁଖ ହେଉଥିବା ଅଭିଯୋଗ କରିଛନ୍ତି ।
ବନବିଭାଗର ଖାମଖିଆଲ ନିତି ଯୋଗୁ ଜିଲ୍ଲାର ପ୍ରାୟ ସମସ୍ତ ବ୍ଲକର ବିଭିନ୍ନ ଗ୍ରାମରେ ଏଭଳି ବାରହା ପଲଙ୍କ ଦୌରାତ୍ମ୍ୟ ଦେଖାଦେଇଛି । ତେଣୁ ବନବିଭାଗ ଏ ଦିଗରେ ଦୃଷ୍ଟିଦେଇ ବନ୍ୟ ପ୍ରାଣୀଙ୍କ ସୁରକ୍ଷା ସହିତ କ୍ଷେତ ବାଡିର ସୁରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି । ଅନ୍ୟପକ୍ଷରେ ବନ ବିଭାଗ ଏ ସଂକ୍ରାନ୍ତରେ ଏଯାବତ୍ କୌଣସି ପଦକ୍ଷେପ ନେଉନଥିବାରୁ ଶିକାରୀମାନଙ୍କ ପାଇଁ ବାର୍ହା ଶିକାର କରିବା ସୁଯୋଗ ସୃଷ୍ଟି ହେଉଛି ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now