ଝାଡ଼ାବାନ୍ତିରେ  ଜିଲ୍ଲାରେ ଗଡିଲା ପ୍ରଥମ ମୁଣ୍ଡ ! 

ଜଟଣୀ ରାଣୀପୁର ଗାଁରେ ଝାଡ଼ାବାନ୍ତି ଆକ୍ରାନ୍ତ

ଖୋର୍ଦ୍ଧା:-  ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ତ୍ତମାନ ଡାଇରିଆ କାରଣରୁ ଅନେକ ଲୋକ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏହାର ମୁକାବିଲା ପାଇଁ ସରକାର ସଂପୂର୍ଣ୍ଣ ତତ୍ପରତା ଅବଲମ୍ବନ କରୁଛନ୍ତି। ତେବେ ଏହାରି ମଧ୍ୟରେ ଜଟଣୀ ବେଣାପଞ୍ଜରୀ ପଞ୍ଚାୟତ ରାଣୀପୁର ଗାଁରେ ବିଗତ କିଛି ଦିନ ହେଲାଣି ଲୋକମାନେ ଝାଡ଼ାବାନ୍ତି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଘରେ ଘରେ ଲୋକଙ୍କୁ ଝାଡ଼ାବାନ୍ତି ହେଉଛି। ରୋଗରେ ଆକ୍ରାନ୍ତ ହୋଇ କିଛି ଲୋକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ଆଉ କିଛି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ଅନେକ ରୋଗୀ ସୁସ୍ଥ ହୋଇ ଘରକୁ ମଧ୍ୟ ଫେରିଥିବା ଜଣାପଡ଼ିଛି। ତେବେ ରାଣୀପୁର ଗାଁର ବିଚିତ୍ରାନନ୍ଦ ମାହାନା (୬୦) ନାମକ ଜଣେ ବ୍ୟକ୍ତି କିଛି ଦିନ ହେଲା ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗତ କାଲି ଚିକିତ୍ସାଧୀନ ଅବସ୍ଥାରେ  ମୃତ୍ୟୁବରଣ କରିଛନ୍ତି।ଅନ୍ୟପଟେ ସବୁଠୁ ବଡ଼ କଥା ହେଉଛି ଖୋର୍ଦ୍ଧା ଜିଲ୍ଲାରେ ଝାଡ଼ାବାନ୍ତି ରୋଗରେ ଏହା ପ୍ରଥମ ମୃତ୍ୟୁ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, ମୃତ ବିଚିତ୍ରାନନ୍ଦ ବିଗତ ୬ଦିନ ହେଲାଣି ଝାଡ଼ାବାନ୍ତି ରୋଗରେ ପୀଡ଼ିତ ହୋଇ ଘରେ ଥିଲେ। ପରିବାର ଲୋକ ତାଙ୍କୁ କେବଳ ଔଷଧ ଦେଉଥିଲେ। ହେଲେ ରୋଗ ଭଲ ହେବାର ନାଁ ଧରୁ ନଥିଲା। ଧିରେ ଧିରେ ରୋଗ ବଢ଼ି ବଢ଼ି ଚାଲିଥିଲା। ସେ ଶଯ୍ୟାଶାୟୀ ହୋଇ ଯାଇଥିଲେ। ତେବେ କାଲି ଗୁରୁତର ହେବାରୁ ପରିବାର ଲୋକ ଓ ଗ୍ରାମବାସୀମାନେ ମିଶି ୧୦୮ ଆମ୍ବୁଲାନ୍ସରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଡାକ୍ତର ତାଙ୍କ ଅବସ୍ଥା ଦେଖି ସିଧା ଏମ୍ସକୁ ରେଫର୍ କରିଥିଲେ। ଅନ୍ୟପଟେ ଲୋକମାନେ ରୋଗରେ ଆକ୍ରାନ୍ତ ହେବା ପରେ ରାଣୀପୁର ଗାଁରେ ବିଗତ ୪/୫ ଦିନ ହେଲା ସ୍ବାସ୍ଥ୍ୟବିଭାଗ ଟିମ୍ ପହଞ୍ଚି ଲୋକଙ୍କୁ ସଚେତନ କରିବା ସହ ରାସ୍ତାଘାଟରେ ବ୍ଲିଚିଂ ପକାଇବା, ଲୋକଙ୍କୁ ହାଲୋଜିନ୍ ଔଷଧ, ଓଆରଏସ୍ ଆଦି ବଣ୍ଟନ କରୁଛି। ତେବେ ବିଶେଷସୂତ୍ରରୁ ଜଣାପଡ଼ିଛି ଯେ, ଗାଁରେ ୭ଦିନ ହେଲାଣି ଏଭଳି ରୋଗ ବଢ଼ି ଚାଲିଛି। ପାଖା ପାଖି ୪୨ଜଣ ଲୋକ ଏଥିରେ ଆକ୍ରାନ୍ତ ହୋଇ ଚିକିତ୍ସା ହେଉଥିବା ସୂଚନା ମିଳିଛି। ପ୍ରଶାସନ ଏହି ରୋଗକୁ ସହଜରେ ଝାଡ଼ାବାନ୍ତି ହେଉଥିବା କହି ଅବହେଳା କରୁଛି। ଫଳରେ ଆଜି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତେଣୁ ପ୍ରଶାସନ ଏହାକୁ ଗୁରୁତର ସହ ନେଇ ଆକ୍ରାନ୍ତ ଥିବା ଲୋକଙ୍କୁ କିପରି ଭଲ ଚିକିତ୍ସା ମିଳିବ ତା ଉପରେ ପଦକ୍ଷେପ ନେଉ। ନହେଲେ ଆଗାମୀ ଦିନରେ ଏହା ଆଖ ପାଖ ଅଞ୍ଚଳକୁ ବ୍ୟାପିବାର ସମ୍ଭାବନା ଥିବା ନେଇ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି।


ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସୁପରିଟେଣ୍ଡେଣ୍ଟ ଡା. ଜିତେନ୍ଦ୍ର କୁମାର ପଣ୍ଡା କହିଛନ୍ତି ଯେ, ରାଣୀପୁର ଗାଁରେ ବିଗତ କିଛି ଦିନ ହେଲା ଲୋକେ ଝାଡ଼ାବାନ୍ତିରେ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ସେମାନେ ଭୋଜିଭାତ ଖାଇ ଏଭଳି ଫୁଡ୍ ପଏଜନ୍ କାରଣରୁ ଝାଡ଼ାବାନ୍ତି ହୋଇଥିଲା। ଏହା ଡାଇରିଆ ନୁହଁ। ସ୍ୱାସ୍ଥ୍ୟ ଟିମ୍ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଲୋକକୁ ସଚେତନ କରି ଔଷଧ ପ୍ରଦାନ କରୁଛି। ଅନ୍ୟପଟେ କାଲି ସକାଳେ ମୃତ ବିଚିତ୍ରାନନ୍ଦ ରୋଗରେ ଆକ୍ରାନ୍ତ ହୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ। ସେ କିଛି ଦିନ ହେଲା ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଦୁର୍ବଳ ହୋଇଯାଇଥିଲେ। ଗୁରୁତର ଥିବାରୁ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତରିତ କରିଥିଲୁ ଓ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *