ଭୁବନେଶ୍ୱର, (୧୬/୧୨):- ଧଉଳିରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାକୁ ନେଇ ପର୍ଯ୍ୟଟନ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେଇଥିବା ବିବୃତି ଲଜ୍ଜାଜନକ ଓ ନିନ୍ଦନୀୟ । ଗୋପାଳପୁର ଗଣଦୁଷ୍କର୍ମ ଘଟଣା ପରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଥିଲେ ଯେ, ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀ ଓ ଲଭର୍ସ ପଏଣ୍ଟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ । କିନ୍ତୁ ଧଉଳି ଗଣଦୁଷ୍କର୍ମ ଘଟଣା ପରେ ମାନ୍ୟବର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସରକାରଙ୍କୁ ଦେଇଥିବା ପରାମର୍ଶକୁ ଗ୍ରହଣ କରିବା ପରିବର୍ତ୍ତେ ଶ୍ରୀମତୀ ପରିଡ଼ା ଅତ୍ୟନ୍ତ ଲଜ୍ଜାଜନକ ଭାବେ କରିଥିବା କାଉଣ୍ଟରକୁ ଦୃଢ଼ ନିନ୍ଦା କରିଛି ବିଜୁ ଜନତା ଦଳ ।
ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି ଯେ, ସରକାରଙ୍କ ଅପାରଗ ପଣିଆ ପାଇଁ ଦୁଷ୍କର୍ମ ଓ ଗଣଦୁଷ୍କର୍ମକାରୀ ମାନେ ଭୟଶୂନ୍ୟ ହୋଇ ଏଭଳି କାଣ୍ଡ ଭିଆଇବାକୁ ତିଳେ ମାତ୍ର ପଛାଉନାହାନ୍ତି । ଏଭଳି ଦୁଃଖଦ ଘଟଣାରେ ମାନ୍ୟବର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସରକାର ଏବଂ ପୋଲିସ୍ ପ୍ରଶାସନକୁ କ୍ରିୟାଶୀଳ ଓ ସଶକ୍ତ ହେବା ସହ ଘଟଣା ଘଟିବା ପରେ ତନାଘନା କରିବା ଅପେକ୍ଷା ଏହାର ନିରାକରଣ ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । ପର୍ଯ୍ୟଟନ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ମନ୍ତ୍ରୀ ଶ୍ରୀମତୀ ପରିଡ଼ା, ଗୋପାଳପୁର, ରାମଚଣ୍ଡୀ, ଧଉଳି ଭଳି ଦୁଃଖଦ ଓ ହୃଦୟ ବିଦାରକ ଘଟଣା ପାଇଁ ନୈତିକ ଦାୟିତ୍ଵ ନେବା ପରିବର୍ତ୍ତେ ମାନ୍ୟବର ବିରୋଧୀ ଦଳ ନେତାଙ୍କ ପ୍ରତି ପ୍ରତିକ୍ରିୟାଶୀଳ ଟିପ୍ପଣୀ ଦେବା କେତେଦୂର ଗ୍ରହଣୀୟ । ରାଜ୍ୟରେ ବିଗିଡ଼ି ଯାଇଥିବା ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଜନସାଧାରଣଙ୍କ ଅନୁଭବକୁ ରାଜ୍ୟ ସରକାର ଗୁରୁତ୍ଵ ଦେଇ ଆଇନକୁ ପୁଣିଥରେ ତା ବାଟରେ ଯିବାକୁ ଦିଅ ଦିଅନ୍ତୁ ବୋଲି ଡ଼ ମହାନ୍ତି କହିଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now