ଆମ୍ବୁଲାନ୍ସରେ ଅକ୍ସିଜେନ ସରିଯିବାରୁ ମହିଳାଙ୍କ ମୃତ୍ୟୁ

ରକ୍ଷଣାବେକ୍ଷଣ ଅଭାବରୁ ବିପର୍ଯ୍ୟସ୍ତ ହୋଇଛି ୧୦୮ ଆମ୍ବୁଲାନ୍ସ ସେବା

ଆମ୍ବୁଲାନ୍ସ ବିଫଳତା ଯୋଗୁଁ  ଦୁଇ ମାସରେ ଦୁଇ ଜଣଙ୍କ ମୃତ୍ୟୁ

ମୃତକ ମହିଳାଙ୍କ ପରିବାରଙ୍କୁ ଉପଯୁକ୍ତ କ୍ଷତିପୂରଣ ଦିଅନ୍ତୁ ସରକାର

ଭୁବନେଶ୍ବର,( ୦୨/୦୯): – ଗୋଟିଏ ଘରୋଇ ଆମ୍ବୁଲାନ୍ସରେ ଜଣେ ଗୁରୁତର ଅସୁସ୍ଥ ମହିଳାଙ୍କୁ କଟକ ବଡ଼ ମେଡିକାଲକୁ ଅଣାଯାଉଥିବା ବେଳେ ହଠାତ ଅକ୍ସିଜେନ ଶେଷ ହୋଇଯିବାରୁ ମୃତ୍ୟୁ ହୋଇଥିବା ଖବର ସମଗ୍ର ରାଜ୍ୟବାସୀଙ୍କୁ ବ୍ୟଥିତ କରିଥିବା ବେଳେ, ରାଜ୍ୟରେ ୧୦୮ ଆମ୍ବୁଲାନ୍ସ ସେବା ଗତ ଏକବର୍ଷ ଭିତରେ ବିପର୍ଯ୍ୟସ୍ତ ହୋଇଥିବା କାରଣରୁ ଏଭଳି ଅଭାବନୀୟ ଘଟଣା ଘଟିଲା ବୋଲି ବିଜୁ ଜନତା ଦଳ କହିଛି।

ବିଜେଡି ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତିରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେଲିନ ମହାନ୍ତି କହିଛନ୍ତି, ରାଜ୍ୟରେ ୧୦୮ ଆମ୍ବୁଲାନ୍ସ ସେବା ବିପର୍ଯ୍ୟସ୍ତ ହୋଇଥିବା ନେଇ ବିଜୁ ଜନତା ଦଳ ବିଭିନ୍ନ ସମୟରେ ସ୍ୱର ଉତ୍ତୋଳନ କରିଆସୁଛି। ସରକାର ଆମ୍ବୁଲାନ୍ସ ଗୁଡିକର ରକ୍ଷଣାବେକ୍ଷଣ ନକରିବା କାରଣରୁ ଆମ୍ବୁଲାନ୍ସ ସେବା ପ୍ରଭାବିତ ହୋଇଛି । ବିଜେଡି ସରକାରଙ୍କ ସମୟରେ ଆରମ୍ଭ କରାଯାଇଥିବା ଏହି ଆମ୍ବୁଲାନ୍ସ ସେବା, ଫୋନ କରିବାର ୨୦ ମିନିଟ ଭିତରେ ଆମ୍ବୁଲାନ୍ସ ରୋଗୀଙ୍କ ପାଖରେ ପହଞ୍ଚୁଥିଲା। କିନ୍ତୁ, ଏବେ ଆମ୍ବୁଲାନ୍ସ ସେବା ସମ୍ପୂର୍ଣ ବିପର୍ଯ୍ୟସ୍ତ ହୋଇପଡିଥିବାରୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି। ଗତ ଜୁଲାଇ ମାସରେ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ନିକଟବର୍ତ୍ତୀ ଏକ ଗ୍ରାମରେ ଶଙ୍କର ନାମକ ଏକ ଯୁବକ କ୍ରିକେଟ ଖେଳୁଥିବା ବେଳେ ଛାତିରେ ବଲ ବାଜି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ବ୍ରହ୍ମପୁର ମେଡିକାଲ କଲେଜକୁ ନିଆଯାଉଥିବା ବେଳେ ଖଲ୍ଲିକୋଟ ନିକଟରେ ୧୦୮ ଆମ୍ବୁଲାନ୍ସଟି ଖରାପ ହୋଇଯାଇଥିଲା। ଆମ୍ବୁଲାନ୍ସରେ ଥିବା ଅନ୍ୟମାନେ ଅନ୍ୟ ଏକ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। କିନ୍ତୁ, ୩ ଘଣ୍ଟା ପର୍ଯ୍ୟନ୍ତ ଆମ୍ବୁଲାନ୍ସ ଆସିପାରି ନଥିଲା। ରୋଗୀଙ୍କ ଆତ୍ମୀୟ ଗୋଟିଏ ଘରୋଇ ଗାଡ଼ିରେ ରୋଗୀଙ୍କୁ ନେଇ ହସ୍ପିଟାଲରେ ପହଞ୍ଚିଲା ବେଳକୁ ଡାକ୍ତର ରୋଗୀଙ୍କୁ ମୃତ ଘୋଷଣା କରିଥିଲେ।

ଡଃ ମହାନ୍ତି କହିଛନ୍ତି, ୧୦୮ ଆମ୍ବୁଲାନ୍ସ ସେବା ଉପଲବ୍ଧ ହୋଇ ନ ପାରିବାରୁ, ଆଉ ଏକ ଅମୁଲ୍ୟ ଜୀବନ ଯାଇଛି। ବାରମ୍ବାର ଘଟୁଥିବା ଏଭଳି ଅଭାବନୀୟ ଘଟଣା ପାଇଁ ରାଜ୍ୟ ସରକାର ଦାୟୀ। ଜଣଙ୍କ ପରେ ଜଣେ ମୃତ୍ୟୁବରଣ କରୁଛନ୍ତି, କିନ୍ତୁ ସରକାରଙ୍କ ନିଦ୍ରା ଭଙ୍ଗ ହେଉନାହିଁ। ମୃତ ମହିଳାଙ୍କ ପରିବାରକୁ ସରକାର ଉପଯୁକ୍ତ କ୍ଷତିପୂରଣ ଘୋଷଣା କରନ୍ତୁ ଓ ତୁରନ୍ତ ୧୦୮ ଆମ୍ବୁଲାନ୍ସ ସେବାକୁ ପୁନଃ କାର୍ଯ୍ୟକ୍ଷମ କରନ୍ତୁ ବୋଲି ବିଜୁ ଜନତା ଦଳ ଦାବି କରିଛି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *