ସୌମ୍ୟାଶ୍ରୀ ମୃତ୍ୟୁକୁ ନେଇ ଦୁଇ ଏବିଭିପି ସଦସ୍ୟଙ୍କ ଗିରଫ ଘଟଣା

ବିଜେପି ଷଡଯନ୍ତ୍ରକାରୀ, ଏବିଭିପି ହତ୍ୟାକାରୀ: ବିଜେଡି

ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ଦାବି

ସଂଗଠନ ବୃଦ୍ଧି ପାଇଁ ରଚା ଯାଇଥୁଲା ଘୃଣ୍ୟ ଷଡ଼ଯନ୍ତ୍ର

ଏବିଭିପି ଓ ବିଜେପିର ଅସଲ ଚେହେରା ପଦାକୁ ଆସିଲା

ଭୁବନେଶ୍ୱର :-  ଏଫଏମ କଲେଜ ଛାତ୍ରୀ ଆତ୍ମାହୂତି ଘଟଣାରେ ଦୁଇ ଜଣ କଲେଜ ଛାତ୍ର ତଥା ଏବିଭିପି ସଦସ୍ୟଙ୍କ ଗିରଫ ପରେ ଏବିଭିପି ଓ ବିଜେପିର ମୁଖା ଖୋଲିଯାଇଛି ବୋଲି ବିଜୁ ଜନତା ଦଳ କହିଛି । ଘଟଣାରେ ଷଡ଼ଯନ୍ତ୍ର ଲୁଚି ରହିଛି ବୋଲି ବିଜୁ ଜନତା ଦଳ ପ୍ରଥମ ଦିନରୁ କହିଆସୁଥୁଲା ଏବଂ ଏବିଭିପିର ଦୁଇ ସଦସ୍ୟଙ୍କ ଗିରଫ ପରେ, ଏହା ପ୍ରମାଣିତ ହେଲା । କିନ୍ତୁ, ଏହି ଷଡ଼ଯନ୍ତ୍ରରେ ବିଜେପିର କିଛି ନେତା ସମ୍ପୃକ୍ତ ଥିଲାବେଳେ, ଦୁଇ ଜଣ ଏବିଭିପି ସଦସ୍ୟଙ୍କୁ ଗିରଫ କରି ବିଜେପି ତାର ନେତାମାନଙ୍କୁ ଖସାଇ ଦେବାକୁ ଉଦ୍ୟମ କରୁଛନ୍ତି ବୋଲି ଦଳ ଅଭିଯୋଗ କରିଛି।

ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ବିଧାୟକ ଗୌତମବୁଦ୍ଧ ଦାସ, ବିଧାୟକ  ଦେବୀ ରଞ୍ଜନ ତ୍ରିପାଠୀ ଓ ଦଳର ମୁଖପାତ୍ର ଇପ୍ସିତା ସାହୁ ସମଗ୍ର ଘଟଣାରେ ବ୍ୟବସ୍ଥାଗତ ବିଫଳତାକୁ ଦାୟୀ କରି ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଥିଲେ ।  ଗୌତମବୁଦ୍ଧ ଦାସ କହିଥିଲେ, ଜଣେ ଅଧ୍ୟାପକ ଛାତ୍ରୀ ଜଣଙ୍କୁ ଯୌନ ଅନୁଗ୍ରହ ମାଗିବା ପରେ, ସେ ନ୍ୟାୟ ପାଇଁ ସଙ୍ଘର୍ଷ କରୁଥିବା ବେଳେ, ଏବିଭିପି ଓ ବିଜେପି ନେତା ମାନେ ତାକୁ ରାଜନୈତିକ ଫାଇଦା ପାଇଁ ବ୍ୟବହାର କରିଥିଲେ । ଏହି ଘଟଣାରେ ବିଜେପି ଷଡଯନ୍ତ୍ରକାରୀ ଓ ଏବିଭିପି ହତ୍ୟାକାରୀ ଭୂମିକା ନିର୍ବାହ କରିଛନ୍ତି । କଲେଜ ନିର୍ବାଚନ ହେବ ବୋଲି ରାଜ୍ୟ ସରକାରଙ୍କ ଦ୍ବାରା ଘୋଷଣା ହେବା ପରେ ଏବିଭିପିର ସଂଗଠନ ଦୁର୍ବଳ ଥିବାରୁ, ଏହି ଘଟଣାକୁ ବ୍ୟବହାର କରି ସଂଗଠନ ଶକ୍ତି ବୃଦ୍ଧି ପାଇଁ ଷଡ଼ଯନ୍ତ୍ର ରଚନା ହୋଇଥିଲା । ଷଡ଼ଯନ୍ତ୍ରର ଅଂଶ ଭାବେ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ଆତ୍ମାହୂତି ଦେବା ପାଇଁ ଉସୁକା ଯାଇଥିଲା । ରାଜନୈତିକ ଫାଇଦା ହାସଲ ପାଇଁ ଭୟଙ୍କର ଷଡ଼ଯନ୍ତ୍ର ରଚିବାରେ, ଏହି ଘଟଣା ନୂଆ କୀର୍ତିମାନ ସ୍ଥାପନ କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଦୁଃଖ ଓ ପରିତାପର ବିଷୟ ଷଡ଼ଯନ୍ତ୍ରରେ ସ୍ଥାନୀୟ ବିଜେପି ନେତାମାନଙ୍କ ଭୂମିକା ମଧ୍ୟ ସନ୍ଦେହ ଘେରରେ ରହିଛି, ଯେଉଁ ଦିଗକୁ କ୍ରାଇମବ୍ରାଞ୍ଚ ଏପର୍ଯ୍ୟନ୍ତ ସ୍ପର୍ଶ କରିନାହିଁ । ସୌମ୍ୟାଶ୍ରୀ ନ୍ୟାୟ ପାଇବା ପାଇଁ ସ୍ଥାନୀୟ ସାଂସଦ ଶ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସହଯୋଗ ଲୋଡ଼ିଥିଲେ ମଧ୍ୟ ସେ ତାଙ୍କୁ ଆବଶ୍ୟକୀୟ ସହଯୋଗ ପ୍ରଦାନ କରିନଥିଲେ । ଶ୍ରୀ ଷଡ଼ଙ୍ଗୀ ଉପଯୁକ୍ତ ସହଯୋଗ କରିଥିଲେ, ଏଭଳି ଅଘଟଣ ଘଟିନଥାନ୍ତା। କ୍ରାଇମବ୍ରାଞ୍ଚ ଶ୍ରୀ ଷଡ଼ଙ୍ଗାଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବା ପାଇଁ ବିଜୁ ଜନତା ଦଳ ଦାବି କରିଆସୁଛି। ଏବିଭିପିର ସମ୍ପୃକ୍ତି ସ୍ପଷ୍ଟ ହୋଇଥିବା ବେଳେ, ଶ୍ରୀ ଷଡ଼ଙ୍ଗା ଓ ଅନ୍ୟ ବିଜେପି ନେତାଙ୍କ ସମ୍ପୃକ୍ତି ମଧ୍ୟ ସନ୍ଦେହଘେରକୁ ଆସିଯାଇଛି।

ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ କହିଥିଲେ, ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ରାଜ୍ୟ ଏବିଭିପି କାର୍ଯ୍ୟକ୍ରମରେ, ଚଳିତ ବର୍ଷ କଲେଜ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଘୋଷଣା କରିବା ସହିତ ଏଥିପାଇଁ ନିର୍ବାଚନରେ ଭଲ ପ୍ରଦର୍ଶନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ କହିଥିଲେ । ଛାତ୍ର ସଂଗଠନକୁ ମଜବୁତ କରିବା ପାଇଁ ଏଫଏମ କଲେଜରେ ରଚାଯାଇଥିଲା ଏକ ଘୃଣ୍ୟ ଷଡ଼ଯନ୍ତ୍ର, ଯାହାର ପରିଣାମ ସ୍ୱରୂପ ସୌମ୍ୟାଶ୍ରୀ ଭଉଣୀଙ୍କ ପରି ଏକ ମୂଲ୍ୟବାନ ଜୀବନ ଚାଲିଗଲା। ଆଜି ରାଜ୍ୟର ଆଇନ ଶୃଙ୍ଖଳା ବିପର୍ଯ୍ୟନ୍ତ, ମହିଳାମାନେ ଅସୁରକ୍ଷିତ, ପରିସ୍ଥିତି ଅଣାୟତ୍ତ, ସରକାର ଭୟଭିତ । ଏହି ପରିସ୍ଥିତିରେ କେବଳ ଦୁଇ ଜଣ ଏବିଭିପି ସଦସ୍ୟଙ୍କୁ ବଳି ପକାଇ ସରକାର ବିଜେପି ନେତା ମାନଙ୍କୁ ଖସାଇ ଦେବାକୁ ଉଦ୍ୟମ କରୁଛନ୍ତି । କିନ୍ତୁ, ସୌମ୍ୟାଶ୍ରୀକୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ବିଜୁ ଜନତା ଦଳ ଲଢେଇ ଜାରି ରଖୁବ ।

ଶ୍ରୀମତୀ ସାହୁ କହିଥିଲେ, ଜ୍ଞାନ ଚରିତ୍ର ଓ ଏକତା ଭଳି ଆଦର୍ଶର ପାଠ ପଢାଇ ଆସୁଥିବା ଏବିଭିପିର ଅସଲ ମୁଖା ଆଜି ଖୋଲିଯାଇଛି । ରାଜନୈତିକ ସ୍ୱାର୍ଥ୍ୟ ହାସଲ କରିବା ପାଇଁ ଏବିଭିପି ଓ ବିଜେପି ନେତାମାନେ ଭଉଣୀ ସୌମ୍ୟାଶ୍ରୀକୁ ମୋହଗା ବନେଇ ଦେଇଛନ୍ତି । ଯେତେବେଳେ, ସୌମ୍ୟାଶ୍ରୀ ୯୦%ରୁ ଉର୍ଦ୍ଧ ପୋଡି ହୋଇ ଏମ୍ ଭୁବନେଶ୍ଵରରେ ଭର୍ତ୍ତି ହୋଇଥିଲେ, ସେତେବେଳେ ଏବିଭିପିର ସଦସ୍ୟମାନେ ବିରୋଧୀ ଦଳର ବିଧାୟକ ଓ ନେତା ମାନଙ୍କୁ ଦୁବ୍ୟବହାର ପ୍ରଦର୍ଶନ କରି ଭିତରକୁ ଯିବାକୁ ଦେଉ ନଥିଲେ । ଏବିଭିପି ଓ ବିଜେପିର ନେତାଙ୍କ ସମ୍ପୃକ୍ତି ଏଥରେ ସ୍ପଷ୍ଟ ହୋଇଛି । କେବଳ ଦୁଇ ଜଣ ସଦସ୍ୟଙ୍କୁ ଗିରଫ କରି କେସ୍‌କୁ ରଫାଦଫା କରିଦେବା ପାଇଁ ଉଦ୍ୟମ କରୁଛନ୍ତି ସରକାର । ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ଦୋଷୀଙ୍କୁ ଗିରଫ ହେବା ପର୍ଯ୍ୟନ୍ତ ବିଜୁ ଜନତା ଦଳ ଲଢେଇ ଜାରି ରଖୁବ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *