ଆଇନ ମନ୍ତ୍ରୀଙ୍କ ସହ‌ଯୋଗୀଙ୍କ ଦ୍ବାରା ‘ଧରିତ୍ରୀ’ ସାମ୍ବାଦିକଙ୍କ ଉପରେ ଆକ୍ରମଣ : ବିଜେଡି

ଗଣମାଧ୍ଯମ ପ୍ରତିନିଧିଙ୍କ ଉପରେ ଆକ୍ରମଣ ନିନ୍ଦନୀୟ: ବିଜେଡି

ମୁଖ୍ୟମନ୍ତ୍ରୀଙ୍କ ସଭାରେ ସାମ୍ବାଦିକଙ୍କୁ ମାଡ଼ ଘଟଣା

ପୋଲିସ୍ ଉପସ୍ଥିତିରେ ‘ଓଡ଼ିଶା ଭାସ୍କର’ ସାମ୍ବାଦିକଙ୍କୁ ଆକ୍ରମଣ

ରାଜ୍ୟରେ ନାରୀଙ୍କ ପରେ ଏବେ ସାମ୍ବାଦିକ ଅସୁରକ୍ଷିତ

ଭୁବନେଶ୍ବର, ୦୨/୦୮: – ରାଜ୍ୟରେ ଦିନକୁ ଦିନ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଓ ନାରୀ ନର୍ଯାତନା ଘଟଣା ଉଦବେଗଜନକ ଭାବେ ବୃଦ୍ଧି ପାଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସଭାରେ ସାମ୍ବାଦିକଙ୍କୁ ମାଡ଼ ମରାଯିବା ଘଟଣା ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ରସାତଳକୁ ଗଲାଣି ବୋଲି ବିଜୁ ଜନତା ଦଳ କହିଛି ।

ଆଜି ଶଙ୍ଖ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି ଯେ,ଆଇନ ମନ୍ତ୍ରୀଙ୍କ ସହିତ ଜଡ଼ିତ ଜଣେ ଆସାମୀ ଦୋଳଗୋବିନ୍ଦ ପ୍ରଧାନ, ଯିଏକି ଶିଶୁ ଅଶ୍ଳୀଳତା ଭିଡିଓ ଉତ୍ତୋଳନର ମାଷ୍ଟରମାଇଣ୍ଡ, ତାକୁ ମନ୍ତ୍ରୀଙ୍କ ସହଯୋଗରେ ଲୁଚେଇ ରଖାଯାଇଛି । ଏହି ଘଟଣା ଉପରେ ଦୈନିକ ଖବରକାଗଜ ‘ ଧରିତ୍ରୀ’ର ନାଚୁଣୀ ପ୍ରତିନିଧି  ଦିଲ୍ଲୀପ କୁମାର ସ୍ଵାଇଁ ଏକ ଖବର ପ୍ରକାଶ କରିଥିବାରୁ ତାଙ୍କ ଉପରେ ଆଇନ ମନ୍ତ୍ରୀଙ୍କ ସହଯୋଗୀ ସୌମ୍ୟ ରଞ୍ଜନ ସାମନ୍ତରାୟ ଓ ତାଙ୍କ ସ‌ହଯୋଗୀମାନେ ମଦ୍ୟପାନ କରି ରାତି ଅଧରେ ମରଣାନ୍ତକ ଆକ୍ରମଣ କରିଥିଲେ । ଆଇନ ମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି କାଣ୍ଡ ଘଟାଯାଇଥିବାରୁ ପୋଲିସ୍ ଦୋଷୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ନିଦାବିଷ୍ଣୁ ହୋଇ ବସିରହିଛି । ଏହି ଘଟଣାରୁ ଯାହା ଜଣାପଡୁଛି ଆଇନ ମନ୍ତ୍ରୀଙ୍କ ସମର୍ଥନରେ ଅପରାଧୀମାନେ ଆଇନକୁ ହାତକୁ ନେଇ ଖୁଲମଖୁଲା ବେଆଇନ କାର୍ଯ୍ୟ କରୁଛନ୍ତି । ଯେଉଁ ରାଜ୍ୟରେ ସମ୍ବିଧାନର ଚତୁର୍ଥ ସ୍ତମ୍ଭ ଗଣମାଧ୍ଯମର ପ୍ରତିନିଧିମାନେ ସୁରକ୍ଷିତ ନୁହନ୍ତି, ସେ ରାଜ୍ୟରେ ସାଧାରଣ ଜନତା କିପରି ସୁରକ୍ଷିତ ରହିବେ ବୋଲି ଡ଼ ମହାନ୍ତି ପ୍ରଶ୍ନ କରିଛନ୍ତି ।

ସାମ୍ବାଦିକଙ୍କୁ ମାଡ଼ ମାରିବା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଏପର୍ଯ୍ୟନ୍ତ ପୋଲିସ୍ ଗିରଫ ନ କରିବା ଦୁର୍ଭାଗ୍ୟଜନକ ।

ବାଲେଶ୍ବର ଏଫଏମ କଲେଜ ଛାତ୍ରୀଙ୍କ ଏତଲା ପୋଲିସ୍ ଗ୍ରହଣ ନ କରିବା, ବଳଙ୍ଗା ନାବାଳିକା ପୀଡ଼ିତାଙ୍କ ବାରମ୍ବାର ବୟାନ ରେକର୍ଡ କରାଯିବା, ବିଜେଡିର ସାଧାରଣ ସମ୍ପାଦିକା ଡ଼ ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ବିରୋଧରେ ନୀଳିଗିରି ବିଧାୟକ  ସନ୍ତୋଷ ଖଟୁଆ ଗଣମାଧ୍ୟମ ସମ୍ମୁଖରେ ଅପମାନଜନକ ମନ୍ତବ୍ୟ ଦେବା ଭଳି ସ୍ପର୍ଶକାତର ଘଟଣାରେ ପୋଲିସ୍‌ର ନିଷ୍କ୍ରିୟତାରୁ ସ୍ପଷ୍ଟ ଅନୁମେୟ ହେଉଛି ଯେ, ବିଜେପିର ଚାପରେ ପୋଲିସ୍ ପ୍ରଶାସନ ଚେପା ହୋଇଯାଇଛି ।

ଡ଼ ମହାନ୍ତି ଆହୁରି କହିଥିଲେ ଯେ, ପିପିଲି ଠାରେ ମୁଖ୍ୟମନ୍ତ୍ରୀଙ୍କ ସଭାରେ ପ୍ରଶାସନ ଓ ସାଧାରଣ ଲୋକଙ୍କ ମଧ୍ୟରେ ସେତୁ ଭଳି କାମ କରୁଥିବା ସାମ୍ବାଦିକଙ୍କ ଉପରେ ଯେଉଁଭଳି ମରଣାନ୍ତକ ଆକ୍ରମଣ କରାଗଲା, ତାହା ଅତ୍ୟନ୍ତ ଦୁଃଖ ଓ ନିନ୍ଦାର ବିଷୟ । ଉକ୍ତ ସଭାକୁ ସମ୍ବାଦ ସଂଗ୍ରହ କରିବାକୁ ଯାଇଥିବା ‘ଓଡ଼ିଶା ଭାସ୍କର’ର ସାମ୍ବାଦିକ ପୂର୍ଣଚନ୍ଦ୍ର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ଓ ପୋଲିସ୍ ସମ୍ମୁଖରେ ଯେଉଁଭଳି ଭାବେ ମାଡ଼ ମରାଗଲା, ତାହା ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ । ଉକ୍ତ ସାମ୍ବାଦିକ ଏତଲା ଦେବା ପାଇଁ ପିପିଲି ଥାନାରେ ପହଞ୍ଚିଲା ବେଳକୁ ସେଠାରେ ପୁରୀ ସାଂସଦଙ୍କ ପ୍ରତିନିଧି ଥାନାରେ ପହଞ୍ଚି ପୋଲିସ୍ ଉପରେ ଏତଲା ଗ୍ରହଣ ନ କରିବାକୁ ଚାପ ପକାଉଛନ୍ତି ବୋଲି କହିଛନ୍ତି ଡଃ ମହାନ୍ତି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *