ରାଜ୍ୟର ପୋଲିସ ଡିଜିଙ୍କ ଉଦ୍ଦେଶ୍ୟରେ ଛାତ୍ରଛାତ୍ରୀ ଦେବେ ସ୍ମାରକପତ୍ର
ରାଜ୍ୟର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଲେଖିବେ ଖୋଲା ଚିଠି
ଛାତ୍ରୀ ଓ ନାରୀ ସୁରକ୍ଷିତ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖୁବ ବିଜେଡି
ଭୁବନେଶ୍ୱର, ୨୯/୦୭:- ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ବିଶେଷକରି ଛାତ୍ରୀ ଓ ମହିଳା ମାନେ ଅସୁରକ୍ଷିତ ହୋଇ ପଡିଛନ୍ତି ଅଭିଯୋଗରେ ବିଜୁ ଜନତା ଦଳ ଆନ୍ଦୋଳନ କରି ଆସୁଥିବା ବେଳେ ବିଜୁ ଛାତ୍ର ଓ ଯୁବ ଜନତା ଦଳ ତରଫରୁ ଅଗଷ୍ଟ ୧ତାରିଖରୁ ଦ୍ଵିତୀୟ ପର୍ଯ୍ୟାୟ ଆନ୍ଦୋଳନ ଆରମ୍ଭ ହେବ ବୋଲି ଦଳ ତରଫରୁ ସୂଚନା ଦିଆଯାଇଛି। ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ଯୁବ ବିଧାୟକ ବ୍ୟୋମକେଶ ରାୟ ଓ ଦେବୀ ରଞ୍ଜନ ତ୍ରିପାଠୀ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହିତ ଅଗଷ୍ଟ ୧ ତାରିଖରୁ ବିଜେଡିର ଛାତ୍ର ଓ ଯୁବ ସଂଗଠନ ତରଫରୁ ହେବାକୁ ଥିବା ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ।
ଶ୍ରୀ ବ୍ୟୋମକେଶ ରାୟ କହିଥିଲେ, ଗତ ୧୩ ମାସ ବିଜେପି ଶାସନରେ, ରାଜ୍ୟର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡିବା ସହିତ ନାରୀ ନିର୍ଯ୍ୟାତନା ଅହେତୁକ ବୃଦ୍ଧି ପାଇଛି। ରାଜ୍ୟରେ ଛାତ୍ରୀମାନେ ବେଳାଭୂମି ଠାରୁ ଆରମ୍ଭ କରି କଲେଜ କ୍ୟାମ୍ପସରେ ମଧ୍ୟ ସୁରକ୍ଷିତ ନାହାନ୍ତି। ବିଭିନ୍ନ ଛାତ୍ରୀ ନିବାସରେ ନାବାଳିକା ମାନେ ଗର୍ଭବତୀ ହେଉଛନ୍ତି। ଛାତ୍ରୀ ଓ ନାରୀ ମାନେ ଅସୁରକ୍ଷିତ ହୋଇ ପଡିଥିଲା ବେଳେ, ରାଜ୍ୟ ବିଜେପି ସରକାର ନିଘୋଡ଼ ନିଦରେ ଶୋଇଛନ୍ତି ।ଗୋପାଳପୁର ବେଳାଭୂମିରେ ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ,
ବାଲେଶ୍ବର ଏଫଏମ କଲେଜ ଛାତ୍ରୀଙ୍କ ଆତ୍ମଦାହ ଘଟଣା ଓ ବଳଙ୍ଗା ନାବାଳିକା ପୋଡି ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉଦାସୀନତାର ପ୍ରତିବାଦରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ରାଜ୍ୟବ୍ୟାପୀ କଲେଜ ଷ୍ଟ୍ରାଇକ କରିଥିଲା । ବିଜୁ ଜନତା ଦଳ ତରଫରୁ ବାଲେଶ୍ବର ବନ୍ଦ, ଲୋକସେବା ଭବନ ଘେରାଉ କାର୍ଯ୍ୟକ୍ରମ ସହିତ ତିନି ଆରଡିସି ଅଫିସ ଘେରାଉ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏବେ, ଦ୍ଵିତୀୟ ପର୍ଯ୍ୟାୟରେ, ଅଗଷ୍ଟ ୧ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପ୍ରତିବାଦ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା କରାଯିବ ଏଥିରେ ଛାତ୍ର ଛାତ୍ରୀ ମାନେ ତାଙ୍କ ଅଞ୍ଚଳର ଥାନା ଓ ଏସପିଙ୍କୁ ଭେଟି ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଛାତ୍ରୀ ଓ ନାରୀ ସୁରକ୍ଷା ପ୍ରଦାନ ସମ୍ବନ୍ଧରେ, ଡିଜି ପୋଲିସଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିବେ।
ସେହିପରି, ଅଗଷ୍ଟ ୮ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଛାତ୍ର ଛାତ୍ରୀ ମାନେ ରାଜ୍ୟର ଗୃହମନ୍ତ୍ରୀର ଦାୟିତ୍ବ ତୁଲାଉଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କ ନିକଟକୁ ଖୋଲା ଚିଠି ପଠାଇବେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠି ପଠାଯିବ ବୋଲି ଶ୍ରୀ ରାୟ କହିଥିଲେ I
ସେହିପରି ଦେବୀ ରଞ୍ଜନ ତ୍ରିପାଠୀ କହିଥିଲେ, ନିକଟରେ ଘଟି ଯାଇଥିବା ଘଟଣାମାନଙ୍କୁ ନେଇ ଓଡିଶା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଲଜ୍ୟା ଓ ନିନ୍ଦା ସାଉଁଟିଛି। ଆମେରିକା ରାଷ୍ଟ୍ରପତିଙ୍କ ଅଫିସରୁ ଜାରି କରାଯାଇଥିବା ଏକ ଟ୍ରାଭେଲ ଆଡ଼ଭାଇଜେରିରେ ଓଡିଶା ସମେତ ଦେଶର ଛଅଟି ରାଜ୍ୟକୁ ନଯିବା ପାଇଁ ଏହାର ନାଗରିକ ମାନଙ୍କୁ କହିଥିଲେ I ବିଶେଷକରି ନାରୀ ଅସୁରକ୍ଷିତ ଓ ଉଗ୍ରବାଦ ବୃଦ୍ଧି ଦର୍ଶାଇ ଏହି ବାରଣ କରା ଯାଇଥିବାରୁ, ଓଡିଶା ପାଇଁ ଏହା ଲଜ୍ଯା ଓ ନିନ୍ଦା ଆଣିଥିଲା। ସେହିପରି, ଏଫଏମ କଲେଜ ଛାତ୍ରୀ ଆତ୍ମଦାହ ଘଟଣା ଓ ବଳଙ୍ଗା ନାବାଳିକା ପୋଡି ଘଟଣାରେ ସର୍ବୋଚ୍ଚ ନ୍ୟାୟାଳୟ ଏହାକୁ ଲଜ୍ୟା ବୋଲି କହିବା ସହିତ ଏଥିପାଇଁ ବ୍ୟବସ୍ଥାଗତ ବିଫଳତା ଦାୟୀ ବୋଲି କହିଥିଲେ । ଏତେ ନିନ୍ଦା ଓ ଲଜ୍ୟା ସତ୍ତ୍ୱେ, ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିନାହିଁ। ତେଣୁ, ରାଜ୍ୟରେ ଛାତ୍ରୀ ଓ ନାରୀ ମାନଙ୍କୁ ସୁରକ୍ଷିତ କରିବା ପାଇଁ, ରାଜ୍ୟ ସରକାର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ଦରକାର । ନାରୀ ନିର୍ଯ୍ୟାତନାର ପ୍ରତିବାଦରେ, ବିଜୁ ଜନତା ଦଳ ତରଫରୁ ଅଗଷ୍ଟ ୧ ତାରିଖରୁ ଦୁଇ ଥାକିଆ ଆନ୍ଦୋଳନ କରାଯିବ ରାଜ୍ୟରେ ଛାତ୍ରୀ ଓ ନାରୀ ମାନେ ସୁରକ୍ଷିତ ନହେବା ପର୍ଯ୍ୟନ୍ତ ବିଜୁ ଜନତା ଦଳ ଆନ୍ଦୋଳନ ଜାରି ରଖୁବ ବୋଲି କହିଛନ୍ତି ଯୁବ ବିଧାୟକ ଦେବୀ ରଞ୍ଜନ ତ୍ରୀପାଠୀ।
<
Subha Khabar is now on Whatsapp
Join and get latest news update delivered to you via whatsapp
Join Now