ଏକ ସପ୍ତାହ ନପୂରୁଣୁ ଛାତ୍ରୀଙ୍କ ବିରୋଧରେ ଦ୍ଵିତୀୟ ଘଟଣା
ରାଜ୍ୟରେ ମହିଳା ଓ ଛାତ୍ରୀ ଅସୁରକ୍ଷିତ ହୋଇଥିବାର ସଦ୍ୟତମ ନମୁନା: ବିଜେଡି
ଝିଅଟିଏ ଘରୁ ବାହାରିଗଲେ, ଘରକୁ ନଫେରିବା ପର୍ଯ୍ୟନ୍ତ ପରିବାର ଲୋକ ଚିନ୍ତାରେ ରହୁଛନ୍ତି

ଭୁବନେଶ୍ୱର, ୧୯/୦୭: ବାଲେଶ୍ବର ଛାତ୍ରୀ ଆତ୍ମହୁତି ଘଟଣାକୁ ଏକ ସପ୍ତାହ ନପୂରୁଣୁ ଆଜି ପିପିଲି ନିକଟବର୍ତ୍ତୀ ବଳଙ୍ଗାଠାରେ ଜଣେ ନାବାଳିକାକୁ ତିନିଜଣ ଦୁର୍ବୁତ୍ତ କିରୋସିନି ଢାଳି ଜିଅନ୍ତା ଜାଳି ଦେବାକୁ ଉଦ୍ୟମ ହୋଇଛି, ଯାହା ରାଜ୍ୟର ବିପର୍ଯ୍ୟନ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଓ ମହିଳା ଅସୁରକ୍ଷିତ ହୋଇ ପଡ଼ିଥିବା ସ୍ପଷ୍ଟ ହେଉଛି ବୋଲି ବିଜୁ ଜନତା ଦଳ କହିଛି।
ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ଦଳର ବରିଷ୍ଟ ସାଧାରଣ ସମ୍ପାଦକ ଟୁକୁନି ସାହୁ ଓ ଭୁବନେଶ୍ବର ମେୟର ସୁଲୋଚନା ଦାସ ରାଜ୍ୟ ସରକାରଙ୍କ ଉପରେ ବର୍ଷୀଛନ୍ତି । ଟୁକୁନି ସାହୁ କହିଥିଲେ, ରାଜଧାନୀଠାରୁ ମାତ୍ର ୫୦ କିମି ଦୂର ଓ ବଳଙ୍ଗା ଥାନାଠାରୁ ମାତ୍ର ୧ କିମି ଦୂରରେ ସ୍ପଷ୍ଟ ଦିବାଲୋକରେ ଜଣେ ନାବାଳିକାକୁ ରାସ୍ତାରୁ ଉଠାଇ ନେଇ ତିନିଜଣ ଦୁର୍ବୁତ୍ତ କିରୋସିନି ଢାଳି ନିଆଁ ଲଗାଇ ମାରିଦେବାକୁ ଉଦ୍ୟମ କରିଛନ୍ତି । ଗତ ଶନିବାର ବାଲେଶ୍ବର ଏଫଏମ କଲେଜରେ ଛାତ୍ରୀ ଆତ୍ମହୁତି ଘଟଣା ଲୋକଲୋଚନକୁ ଆସିଥିବା ବେଳେ, ଆଜି ଶନିବାରରେ, ବଳାଙ୍ଗା ଠାରେ ସ୍ପଷ୍ଟ ଦିବାଲୋକରେ ଜଣେ ନାବାଳିକାଙ୍କୁ ଜିଅନ୍ତା ଜାଳି ହତ୍ୟା ଉଦ୍ୟମ କରା ଯାଇଛି। ଏହା ରାଜ୍ୟର ଆଇନଶୃଙ୍ଖଳା ବିପର୍ଯ୍ୟସ୍ତର ସଦ୍ୟତମ ନମୁନା । ରାଜ୍ୟରେ ମହିଳାମାନଙ୍କୁ ସୁରକ୍ଷା ପ୍ରଦାନରେ ରାଜ୍ୟ ସରକାର ସମ୍ପୂର୍ଣ ବିଫଳ ହୋଇଛନ୍ତି। ଡବଲ ଇଂଜିନ ସରକାର ଡବଲ ବିକାଶ ସହିତ ଡବଲ ମା ମାନଙ୍କୁ ସୁରକ୍ଷା ଓ ସମ୍ମାନ ପ୍ରଦାନ କରିବେ ବୋଲି କହିଥିଲେ, କିନ୍ତୁ, ରାଜ୍ୟରେ ମହିଳା ସୁରକ୍ଷା ଏବେ ବିପଦରେ ପଡିଛି। ଆଜି ଝିଅଟିଏ ଘରୁ ବାହାରି ଗଲା ବେଳେ, ସେ ସୁରକ୍ଷିତ ଫେରିବ କି ନାହିଁ, ସେନେଇ ତାର ପରିବାର ବର୍ଗ ଚିନ୍ତାରେ ରହୁଛନ୍ତି ।
ସୁଲୋଚନା ଦାସ କହିଥିଲେ, ପୁଣି ଥରେ ସେଇ ଛାଡି ଥରା ଦୃଶ୍ୟ । ବର୍ତ୍ତମାନ ପୀଡିତା ନାବାଳିକା ଛାତ୍ରୀ ଜଣଙ୍କ ଗୁରୁତର ଅବସ୍ଥାରେ ଏମ୍ସରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଦେହ ପ୍ରାୟ ୭୦ରୁ ୭୫% ପୋଡି ଯାଇଛି ବୋଲି ଏମ୍ସ ତରଫରୁ ସୂଚନା ଦିଆଯାଇଛି । ତାଙ୍କୁ ତୁରନ୍ତ ଦିଲ୍ଲୀ ଏମ୍ସକୁ ଏୟାଲିଫ୍ଟ କରାଯାଇ ତୁରନ୍ତ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଉ । ତା ଛଡା, ଏହି ଅପରାଧରେ ସମ୍ପୃକ୍ତ ଅପରାଧୀ ମାନଙ୍କୁ ତୁରନ୍ତ ଗିରଫ କରି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ
ସେ କହିଥିଲେ, ଗୋପାଳପୁର ବେଳାଭୂମି ଗଣଦୁଷ୍କର୍ମ ଘଟଣା, ବହୁ ଚର୍ଚ୍ଚିତ ଏଫ୍ଏମ କଲେଜ ଆତ୍ମାହୁତି ଘଟଣା ପରେ ଆଜିର ଏହି ବର୍ବରୋଚିତ କାଣ୍ଡ ସମଗ୍ର ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି । ଗତ ୧ ବର୍ଷରେ ବିଜେପି ଶାସନରେ ନାରୀ ଓ ଛାତ୍ରୀ ନିର୍ଯାତନା ଅହେତୁକ ବୃଦ୍ଧି ପାଇଛି ଓ ରାଜ୍ୟରେ ନାରୀ ଅସୁରକ୍ଷିତ ହୋଇପଢିଛନ୍ତି ।
ଗୋଟିଏ ପରେ ଗୋଟିଏ ଦୁଷ୍କର୍ମ, ହତ୍ୟା ଭଳି ଘଟଣା ଲୋକଲୋଚନକୁ ଆସୁଥିବା ବେଳେ ସରକାରଙ୍କର ଦୃଢ କାର୍ଯ୍ୟାନୁଷ୍ଠାନ ଅଭାବରୁ ଅପରାଧୀମାନଙ୍କର ମନୋବଳ ବୃଦ୍ଧି ପାଉଛି ।
ଏ ସରକାରରେ ଅପରାଧୀ ମାନେ ଖୁଲମଖୁଲା ସାହାସ କରି ନାରୀ ଓ ଛାତ୍ରୀମାନଙ୍କ ବିରୋଧରେ ଅପରାଧୀକ କାର୍ଯ୍ୟ ଘଟାଇ ଚାଲିଛନ୍ତି । ସରକାରଙ୍କ ନିଦ୍ରାଭଙ୍ଗ ହେଉ ଏବଂ ତୁରନ୍ତ ବିହିତ ପଦକ୍ଷେପ ନିଅନ୍ତୁ
ପୀଡିତାଙ୍କ ଆଶୁ ଆରୋଗ୍ୟ କାମନା ପାଇଁ ଆମେ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛୁ ବୋଲି ଶ୍ରୀମତୀ ଦାସ କହିଥିଲେ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now