ଭୁବନେଶ୍ବର :- ଆସନ୍ତା୧୨ ତାରିଖରେ ଓଡ଼ିଶା ଫେରିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ | ମୁମ୍ବାଇରେ ଅପରେସନ ପରେ ଶ୍ରୀ ପଟ୍ଟନାୟକ ଶନିବାର ଓଡ଼ିଶା ଫେରିବେ ବୋଲି ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି I ଚିକିତ୍ସା ପାଇଁ ଗତ ମାସ ୨୦ ତାରିଖରେ ସେ ମୁମ୍ବାଇ ଯାଇଥିଲେ | ୨୨ ତାରିଖରେ ସେଠାକାର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଶ୍ରୀ ପଟ୍ଟନାୟକଙ୍କ ସର୍ଭିକାଲ ଆର୍ଥ୍ରାଇଟିସ୍ର ଅପରେସନ ହୋଇଥିଲା | ଅପରେସନ ପରେ କିଛି ଦିନ ପାଇଁ ସେଠାରେ ତାଙ୍କର ଫିଜିଓଥେରାପି ଚାଲିଥିଲା | ଗତ ୭ ତାରିଖରେ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇସାରିଛନ୍ତି I ଡାକ୍ତରଙ୍କ ପରାମର୍ଶରେ ସେ ଏବେ ମୁମ୍ବାଇରେ ରହୁଥିବା ବେଳେ ଶନିବାର ପୂର୍ବାହ୍ନ ୧୧ଟା ୪୫ ମିନିଟ୍ରେ ସେ ଭୁବନେଶ୍ବର ଫେରିବାର କାର୍ଯ୍ୟକ୍ରମ ରହିଛି | ନବୀନଙ୍କ ଆଶୁ ଆରୋଗ୍ୟ କାମନା କରି ସେ ହସ୍ପିଟାଲରେ ଥିବା ସମୟରେ ବହୁ ବିଜେଡି ନେତା ମୁମ୍ବାଇ ଯାଇଥିଲେ | ଶନିବାର ସେ ଭୁବନେଶ୍ବର ଫେରିବା ସମୟରେ ମଧ୍ୟ ବହୁ ସଂଖ୍ୟାରେ ଶୁଭେଚ୍ଛୁ ବିମାନବନ୍ଦର ଓ ନବୀନ ନିବାସ ପହଞ୍ଚିବାର ସମ୍ଭାବନା ରହିଛି |
Subha Khabar is now on Whatsapp
Join and get latest news update delivered to you via whatsapp
Join Now