ଖୋର୍ଦ୍ଧା : ଗୁରୁବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଭାରପ୍ରାପ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ପି ଏମ ସୁର୍ଯ୍ୟଘର ଯୋଜନାରେ ଜିଲ୍ଲାରେ ମଡେଲ ସୂର୍ଯ୍ୟଘର ଗ୍ରାମ ଚୟନ ନିମନ୍ତେ ବିଭିନ୍ନ ବିଭାଗର କାର୍ଯ୍ୟ ଉନ୍ନୟନ ଅଧିକାରୀ ତଥା କମିଟି ସଦସ୍ୟ ସଦସ୍ୟା ମାନଙ୍କ ସହ ବୈଠକ ଅନୁଷ୍ଠିତ ହୋଇଯାଇଅଛି l ବୈଠକରେ ଜିଲ୍ଲାପରିଷଦ ସଭାପତି ରୁପଶ୍ରୀ ରାଣୀ ଗୁମାନ ସିଂହ, ଉପସଭାପତି ଗୋପୀନାଥ ମହାରଣା,ଟି ପି ସି ଓ ଡି ଏଲ, ଆର ଇ ମୁଖ୍ୟ ଅଶୋକ ଚୌଧୁରୀ ଯୋଗଦେଇ ଯୋଜନାର ବିସ୍ତୃତ ରୂପରେଖ ସମ୍ପର୍କରେ ଅବଗତ କରାଇଥିଲେ । ଭାରତ ସରକାରଙ୍କ ଏହା ଏକ ଅଗ୍ରଣୀ ଯୋଜନା ହୋଇ ଥିବାରୁ ସ୍ୱଳ୍ପ ଖର୍ଚ୍ଚରେ ଗ୍ରାମ, ପଂଚାୟତ, ବ୍ଲକ ଏବଂ ଜିଲ୍ଲା ସ୍ତରରେ କିଭଳି ସଫଳତାର ସହ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା କାର୍ଯ୍ୟ କାରୀ ହୋଇ ପାରିବ ସେ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା । ଏହାକୁ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନାର ବ୍ୟାପକ ପ୍ରଚାର ପ୍ରସାର ପ୍ରଥମେ ହେବା ଦରକାର । ଲୋକମାନେ ଯୋଜନା ସମ୍ଵନ୍ଧରେ ସମସ୍ତ ତଥ୍ୟ ଜାଣିଲେ ଯୋଜନା କାର୍ଯ୍ୟକାରିତା ପ୍ରକ୍ରିୟା ସହଜ ହୋଇ ପାରିବ । ସେହିପରି ଜନସାଧାରଣଙ୍କୁ ସଚେତନ କରିବାକୁ ହେଲେ ଘର ଘର ବୁଲି ଯୋଜନା ସମ୍ପର୍କରେ ଅବଗତ କରାଇବା, ପ୍ରଚାର ପତ୍ର ବାଣ୍ଟିବା ଅତି ଜରୁରୀ ଅଟେ । ଏପରିକି ପ୍ରତ୍ୟେକ କାର୍ଯ୍ୟ ନ୍ଵୟନ ବିଭାଗ ଯଥା ସ୍ୱାସ୍ଥ୍ୟ,ସମାଜ ମଙ୍ଗଳ ବିଭାଗ, କୃଷି ବିଭାଗରେ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଙ୍ଗନୱାଡ଼ି କର୍ମୀ, ସ୍ଵାସ୍ଥ୍ୟ କର୍ମୀ, କୃଷକ ସାଥୀ ମାନେ ପ୍ରଧାନମନ୍ତ୍ରୀ ସୁର୍ଯ୍ୟଘର ଯୋଜନାର ହିତାଧିକାରୀ ତଥ୍ୟ ଜନିତ ପ୍ରଚାର ପତ୍ର ତୃଣ ମୂଳ ସ୍ତରରେ ବାଣ୍ଟିବାକୁ ଜିଲ୍ଲାପାଳ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ବି ଡି ଓ ମାନେ କ୍ଷେତ୍ରରେ ମୁଖ୍ୟ ଭୂମିକା ନିର୍ବାହ କରିବା ସହ ଅଗ୍ରଣୀ ବ୍ୟାଙ୍କ ପରିଚାଳକ ସମସ୍ତ ବ୍ୟାଙ୍କ ମାନଙ୍କୁ ଏହି ଯୋଜନାରେ ଥିବା ଋଣ ପ୍ରଦାନ ଦିଗରେ ଅବଗତ କରାଇବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ l ସେହିପରି ପଂଚାୟତ ସ୍ତରୀୟ ଜନ ପ୍ରତିନିଧି ମାନେ ମଧ୍ୟ ଯୋଜନାକୁ ସଫଳ ରୂପାୟନ ନିମନ୍ତେ ସହଯୋଗ କରିବାକୁ ବୈଠକରେ ଗୁରୁତ୍ୱାରୋପ କରିଥିଲେ l ଅନ ଲାଇନ୍ ଆବେଦନ ସମ୍ପର୍କରେ ବିସ୍ତୃତ ତଥ୍ୟ ପାୱାର ପଏଣ୍ଟ ଉପକରଣରେ ଟି ପି ସି ଓ ଡି ଏଲ ନିର୍ବାହୀ ଯନ୍ତ୍ରୀ ଇଂ ପି କେ ଦାସ ଉପସ୍ଥାପନ କରିଥିଲେ l ଏହି ଯୋଜନାକୁ ନିର୍ଦ୍ଧାରିତ ସମୟ ୬୦ଦିନ ଭିତରେ କାର୍ଯ୍ୟକାରୀ କରିବାକୁ ସମସ୍ତ କମିଟି ସଦସ୍ୟ ସଦସ୍ୟା ଏବଂ ଟି ପି ସି ଓ ଡି ଏଲ ମୁଖ୍ୟ , ରିନୀୟେବୁଲ ଶ୍ରୀ ଅଶୋକ ଚୌଧୁରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ସହକାରୀ ନିର୍ଦେଶକ, ଓରୀଡା ମହେଶ୍ୱର ବଡ଼ଜେନା, ଅଧିକ୍ଷଣ ଯନ୍ତ୍ରୀ,ଟି ପି ସି ଓ ଡି ଏଲ, ଭୁବନେଶ୍ୱର ମନୋଜ କୁମାର ଦାସ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କୁସୁମ କୁମାରୀ ପ୍ରହରାଜ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରବି ନାରାୟଣ ସେନାପତି, ଚେୟାର ପର୍ସନ, ଖୋର୍ଦ୍ଧା,ଶ୍ରିମୟୀ ପ୍ରିୟଦର୍ଶିନୀ,ଡି ପି ସି ,ମିଶନ ଶକ୍ତି ନିରଞ୍ଜନ ମଲ୍ଲିକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା,ଅଗ୍ରଣୀ ବ୍ୟାଙ୍କ ପରିଚାଳକ ଅଜୟ କୁମାର ବେହେରା ଙ୍କ ସମେତ ବିଭିନ୍ନ ବ୍ଲକର ପଂଚାୟତ ସମିତି ଅଧ୍ୟକ୍ଷା, ଅଧ୍ୟକ୍ଷ, ବିଭିନ୍ନ ବିଭାଗୀୟ ଅଧିକାରୀ ତଥା କମିଟି ସଦସ୍ୟ ସଦସ୍ୟା ଯୋଗଦେଇଥିଲେ ।

Subha Khabar is now on Whatsapp
Join and get latest news update delivered to you via whatsapp
Join Now