ଲେଖାଶ୍ରୀଙ୍କ ଉପରେ ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ଅଶାଳୀନ ମନ୍ତବ୍ୟ ମାମଲା
ରାଜ୍ୟ ମହିଳା କମିସନଙ୍କ ଦ୍ବାରସୁ ହେଲା ବିଜେଡି
ରାଜ୍ୟ ମହିଳା କମିସନ ପଦବୀ ଗତ ଏକ ବର୍ଷ ହେଲା ଖାଲିପଡିଛି
ଭୁବନେଶ୍ୱର, ୦୭/୦୭/୨୦୨୫: ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସମ୍ପାଦିକା ଡ଼ ଲେଖାଶ୍ରୀ ସାମନ୍ତସିଂହାରଙ୍କ ପ୍ରତି ବିଜେପି ବିଧାୟକ ସନ୍ତୋଷ ଖଟୁଆ ଦେଇଥିବା ଅଶାଳୀନ ମନ୍ତବ୍ୟକୁ ନେଇ ଆଜି ବିଜୁ ଜନତା ଦଳର ଏକ ପ୍ରତିନିଧ ମଣ୍ଡଳୀ ରାଜ୍ୟ ମହିଳା କମିସନଙ୍କ ପାଖରେ ଅଭିଯୋଗ ଦାଖଲ କରିଛନ୍ତି । ଏହା ପୂର୍ବରୁ, ଡ଼ ସାମନ୍ତସିଂହାର ମହିଳା ଥାନାରେ ଏକ ଏଫଆଇଆର ଦାଖଲ କରିଥିଲେ, ଯାହା ପଞ୍ଜିକୃତ ହୋଇଛି।
ପୂର୍ବତନ ମନ୍ତ୍ରୀ ତଥା ଦଳର ବରିଷ୍ଠ ସାଧାରଣ ସମ୍ପାଦିକା ଟୁକୁନି ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧ ମଣ୍ଡଳୀ ଆଜି ରାଜ୍ୟ ମହିଳା କମିସନଙ୍କ ଅଫିସକୁ ଯାଇ ଦଳର ବରିଷ୍ଠ ସାଧାରଣ ସମ୍ପାଦିକା ଡ଼ ଲେଖାଶ୍ରୀ ସାମନ୍ତସିଂହାରଙ୍କ ପ୍ରତି ନୀଳଗିରି ବିଧାୟକ ଶ୍ରୀ ଖଟୁଆ ଦେଇଥିବା ଅଶାଳୀନ ମନ୍ତବ୍ୟ ମାମଲାରେ ମହିଳା କମିସନଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ବିଧାୟକ ସନ୍ତୋଷ ଖଟୁଆ ଜଣେ ନାରୀ ନେତ୍ରୀଙ୍କ ପ୍ରତି ଦେଇଥିବା ଅଶାଳୀନ ମନ୍ତବ୍ୟ କୌଣସି ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ। ଶ୍ରୀ ଖଟୁଆଙ୍କ ମନ୍ତବ୍ୟ କେବଳ ଲେଖାଶ୍ରୀଙ୍କର ସମ୍ମାନ ଉପରେ ନୁହଁ ବରଂ ସମଗ୍ର ନାରୀ ଜାତିର ମାନ ସମ୍ମାନ ଉପରେ ଆଞ୍ଚ ଆଣିଛି ବୋଲି ସ୍ମାରକପତ୍ରରେ କୁହାଯାଇଛି।
ସ୍ମାରକପତ୍ର ପ୍ରଦାନ ପରେ ଗଣମାଧ୍ୟମକୁ ନିଜର ମନ୍ତବ୍ୟ ଦେଇ ଶ୍ରୀମତୀ ସାହୁ କହିଥିଲେ, ରାଜ୍ୟରେ ଗତ ଏକ ବର୍ଷର ବିଜେପି ଶାସନରେ, ନାରୀ ମାନଙ୍କ ଉପରେ ଅତ୍ୟାଚାର ଓ ଦୁଷ୍କର୍ମ ଅହେତୁକ ବୃଦ୍ଧି ପାଇଛି । ସରକାରୀ ଦଳର ବିଧାୟକ ହୋଇ ନାରୀ ଜାତି ପ୍ରତି ଏପରି ଅଶାଳୀନ ମନ୍ତବ୍ୟ, ଅପରାଧ ମନସ୍ତତ୍ବକୁ ଦର୍ଶାଇବା ସହିତ ଅପରାଧୀଙ୍କ ମନୋବଳକୁ ବୃଦ୍ଧି କରୁଛି । ମହିଳା ମାନଙ୍କୁ ସୁରକ୍ଷା ପ୍ରଦାନ ପାଇଁ ସରକାର ଆଦୌ ତତ୍ପର ନାହାନ୍ତି ।
ବିଜେପି ସରକାର କ୍ଷମତାକୁ ଆସିବାର ଏକବର୍ଷ ପୂରଣ ହୋଇଛି । ସରକାର ଏକ ବର୍ଷ ପୂର୍ଭିର ଉତ୍ସବ ପାଳନ କରୁଛନ୍ତି । କିନ୍ତୁ, ମହିଳାଙ୍କ ସ୍ୱାର୍ଥକୁ ଅଣଦେଖା କରିଚାଲିଛନ୍ତି । ଗତ ଏକ ବର୍ଷ ହେଲାଣି, ରାଜ୍ୟ ମହିଳା କମିସନ ପଦ ଖାଲିପଡିଛି। ମହିଳା କମିସନ ଅଫିସ୍ରେ ସମ୍ପାଦକ ମଧ୍ୟ ନାହାନ୍ତି । ଆଜି ଆମେ ଭାରପ୍ରାପ୍ତ ସମ୍ପାଦକଙ୍କୁ ସ୍ମାରକପତ୍ର ପ୍ରଦାନ କଲୁ । ଆଶା କରୁଛୁ, ବିଧାୟକ ଶ୍ରୀ ଖଟୁଆଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବେ। ଏହି ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଲେ, ବିଜୁ ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀମତୀ ସାହୁ ଚେତାବନୀ ଦେଇଥିଲେ ।
ବିଜୁ ଜନତା ଦଳର ପ୍ରତିନିଧି ମଣ୍ଡଳୀରେ ପୂର୍ବତନ ସାଂସଦ ତଥା ବରିଷ୍ଠ ସାଧାରଣ ସମ୍ପାଦିକା ରାଜଶ୍ରୀ ମଲ୍ଲିକ, ବରିଷ୍ଠ ସାଧାରଣ ସମ୍ପାଦିକା ଡ଼ ଲେଖାଶ୍ରୀ ସାମନ୍ତସିଂହାର, ସାଧାରଣ ସମ୍ପାଦକ ମନ୍ମଥ ରାଉତରାୟ, ଗଣମାଧ୍ୟମ ସଂଯୋଜକ ଡ଼ ପ୍ରିୟବ୍ରତ ମାଝୀ, ଲୋଗା ମହାପାତ୍ର, ମାନସୀ ସୁନ୍ଦରାୟ, ଅଂଶୁ ତ୍ରିପାଠୀ, ରକି ଦାସ, ମୋନାଲିସା ଗନ୍ତାୟତ, ଈଲା ସ୍ୱାଇଁ, ସଂଗ୍ରାମ ସାମଲ ପ୍ରମୁଖ ସାମିଲ ଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now