ପୁରୀ ଶରଧାବାଲିରେ ଦଳାଚକଟାରେ ମୃତ୍ୟୁବରଣ କରିଥିବା ଭକ୍ତଙ୍କ ପାଇଁ ସରକାର ଦାୟୀ: ବିଜେଡି

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ତୁରନ୍ତ ଇସ୍ତଫା ଦିଅନ୍ତୁ

ଅଘଟଣ ସମୟରେ କୌଣସି ପ୍ରଶାସନିକ ଅଫିସର ଓ ପୋଲିସ୍ ନଥିଲେ କ’ଣ ପାଇଁ ?

ଭୁବନେଶ୍ଵର :-  ଚଳିତବର୍ଷ ତ୍ରୁଟିଶୂନ୍ୟ ଓ ସ୍ମରଣୀୟ ରଥଯାତ୍ରା ହେବ ବୋଲି

ସରକାର ବାରମ୍ବାର ଦାବି କରି ଆସୁଥିଲେ, କିନ୍ତୁ ଅବ୍ୟବସ୍ଥା ଓ ମହାବିଭ୍ରାଟ ଯୋଗୁଁ ୩ ଜଣ ଭକ୍ତଙ୍କ ଜୀବନ ଗଲା । ଏଥିପାଇଁ ଯେଉଁମାନେ ଦାୟୀ, ସରକାର ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ବିଜୁ ଜନତା ଦଳ କହିଛି।

ଆଜି ଶଙ୍ଖ ଭବନ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ମିଡିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି ଯେ, ଗତକାଲି ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ମହାପ୍ରଭୁ ଜଗନ୍ନାଥଙ୍କ ପହଡ଼ ଖୋଲିବା ସମୟରେ ଦଳାଚକଟାରେ ଯେଭଳି ୩ ଭକ୍ତଙ୍କ ପ୍ରାଣ ଗଲା ଓ ୫୦ରୁ ଊର୍ଦ୍ଧ୍ବ ଆହତ ହେଲେ, ଏଥିପାଇଁ ସରକାର ସମ୍ପୂର୍ଣ ରୂପେ ଦାୟୀ ଅଟନ୍ତି । ପୋଲିସ୍ ବ୍ୟବସ୍ଥା ଅନୁଯାୟୀ ଘଟଣା ଘଟିଥିବା ସମୟରେ ସେଠାରେ ୨୨ ପ୍ଲାଟୁନ ପୋଲିସ୍ ଫୋର୍ସ ରହିବା କଥା । ମାତ୍ର ବଡ଼ ଦୁଃଖର କଥା ସେଠାରେ କେହି ପୋଲିସ୍ ଉପସ୍ଥିତ ନଥିଲେ, ଭିଡ଼ ଯୋଗୁଁ ଲୋକମାନେ ଜୀବନ ବିକଳରେ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ । ଏହି ସମ୍ବେଦନଶୀଳ ଘଟଣା ଉପରେ ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଟୁଇଟ୍ ମାଧ୍ୟମରେ ମୃତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ପରେ ସରକାରଙ୍କ ଚେତା ପଶିଲା । ଧର୍ମକୁ ଆଖିଠାର ସଦୃଶ୍ୟ ସରକାର ତରବରିଆ ଭାବେ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ବଦଳି କରି ନିଜ ମୁଣ୍ଡରୁ ଦୋଷ ଛଡ଼ାଇବା ପାଇଁ ଚେଷ୍ଟା କରିଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀ ରେ କହିଛନ୍ତି ବିଜେଡି ମୁଖପାତ୍ର ଡଃ ମହାନ୍ତି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *