ଟାଙ୍ଗୀରେ ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚର ୪ର୍ଥ ବାର୍ଷିକ ଉତ୍ସବ
ଖୋର୍ଦ୍ଧା, (୧/୧୦):- ଅନ୍ତର୍ଜାତୀୟ ବୟସ୍କ ନାଗରିକ ଦିବସ ଅବସରରେ ଟାଙ୍ଗୀ ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚର ୪ର୍ଥ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସମାରୋହ ଉତ୍ସାହ ଓ ଗରିମାର ସହ ଅନୁଷ୍ଠିତ ହୋଇଯାଇଛି। ମଞ୍ଚର ସଭାପତି ନାରାୟଣ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ସମାରୋହରେ ବହୁ ବିଶିଷ୍ଟ ବ୍ୟକ୍ତିତ୍ୱ ଯୋଗଦେଇ ବରିଷ୍ଠ ନାଗରିକଙ୍କ ଭୂମିକା ଓ ଅବଦାନ ଉପରେ ଆଲୋକପାତ କରିଥିଲେ।

ସମାରୋହରେ ମୁଖ୍ୟଅତିଥି ଭାବେ ଝାଡ଼ଖଣ୍ଡ ଉଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ତଥା ଜାତୀୟ ମାନବାଧିକାର କମିଶନର ସଦସ୍ୟ ନ୍ୟାୟମୂର୍ତ୍ତି ଡ. ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ରାଜ୍ୟ ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢ଼ୀ ଏବଂ ବିଶିଷ୍ଟ ଅତିଥି ଭାବେ ଓଡ଼ିଶୀ ନୃତ୍ୟଗୁରୁ ପଦ୍ମଶ୍ରୀ ଦୁର୍ଗା ଚରଣ ରଣବୀର ଯୋଗଦେଇଥିଲେ।
ଅତିଥିମାନେ ନିଜ ବକ୍ତବ୍ୟରେ କହିଥିଲେ ଯେ, ବରିଷ୍ଠ ନାଗରିକମାନେ ସମାଜର ଜ୍ଞାନର ଭଣ୍ଡାର, ଅଭିଜ୍ଞତାର ଅମୂଲ୍ୟ ଉତ୍ସ ଏବଂ ସାଂସ୍କୃତିକ ପରମ୍ପରାର ରକ୍ଷକ। ସେମାନଙ୍କର ଦୀର୍ଘ ଜୀବନର ଅନୁଭବ ନୂଆ ପିଢ଼ିକୁ ମୂଲ୍ୟବୋଧ, ସଂସ୍କୃତି ଓ ସାମାଜିକ ସ୍ଥିରତାର ପାଠ ପଢ଼ାଇଥାଏ। ତେଣୁ ବରିଷ୍ଠ ନାଗରିକଙ୍କ ଜ୍ଞାନ ଓ ଅନୁଭବକୁ ସମାଜର ବିକାଶରେ ଉପଯୋଗ କରିବା ଆବଶ୍ୟକ ବୋଲି ସେମାନେ ମତପ୍ରକାଶ କରିଥିଲେ।
ମଞ୍ଚର ସମ୍ପାଦକ ବିଜୟ କୁମାର ରାଉତ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ଉପଦେଷ୍ଟା ରମେଶ ବଳବନ୍ତରାୟ ସ୍ୱାଗତ ଭାଷଣ ଓ ସହସମ୍ପାଦକ ରବୀନ୍ଦ୍ର କୁମାର ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ।
ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପ୍ରତିଭା ଓ ଅବଦାନ ପାଇଁ ଡା. ମଧୁସୂଦନ ସେନାପତି, ଲିଙ୍ଗରାଜ ସାହୁ, ବିକ୍ରମ କେଶରୀ ସାହୁ, ପ୍ରଦୀପ କୁମାର ସାହୁ, ନରେନ୍ଦ୍ର କୁମାର ଦାସ, ପ୍ରତିଭାରାଣୀ ମହାନ୍ତି, ଶୁଭଦର୍ଶିନୀ ବେହେରା, ମନୋରମା ସାହୁ, ଉର୍ମିଳା ସାହୁ, ପ୍ରାଧ୍ୟାପିକା ମୀନାକ୍ଷୀ ମିତ୍ର, ବିକ୍ରମାଦିତ୍ୟ ବାରିକ, ପୂର୍ଣ୍ଣଚନ୍ଦ୍ର ରଣା, ବେଣୁଧର ରାଉତ, ମାଧବ ଚନ୍ଦ୍ର ରାଉତ, ସନ୍ତୋଷ ଦାମ୍ବଳ, ସାମ୍ବାଦିକ ମନୋଜ କୁମାର ନାଇଡୁ, ଟାଙ୍ଗୀ ସାମ୍ବାଦିକ ସଂଘର ସମ୍ପାଦକ ସନ୍ତୋଷ କୁମାର ଚୌଧୁରୀ, ଝୁନାରାଣୀ ଜେନା, ଶିବରାମ ପ୍ରଧାନ ଓ ଦିଲିପ ନାୟକଙ୍କୁ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।
ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ତଥା ଟାଙ୍ଗୀ ବ୍ଲକ ଅନ୍ତର୍ଗତ କମାଗୁରୁ ଗ୍ରାମର ଗୌରବ ଓ ଟାଙ୍ଗୀ ବଳରାମଦେବ ବିଦ୍ୟାପୀଠର ପୁରାତନ ଛାତ୍ର ପଦ୍ମଶ୍ରୀ ଦୁର୍ଗା ଚରଣ ରଣବୀରଙ୍କୁ ମଞ୍ଚ ପକ୍ଷରୁ ଟାଙ୍ଗୀ ଗୌରବ ସମ୍ମାନ ରେ ସମ୍ମାନିତ କରାଯାଇଥିଲା।
ମଞ୍ଚର ଉପସଭାପତି ଡ. ଚନ୍ଦ୍ରଶେଖର ଦାଶ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସତ୍ୟସାଇ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।
ଉପଦେଷ୍ଟା ବାଳକୃଷ୍ଣ ମିଶ୍ର, ସୁରେନ୍ଦ୍ର ରାଉତ, ରଘୁନାଥ ସାହୁ, ଦିଲିପ କୁମାର ନାଥ, ବିଛେନ୍ଦ ଜୟସିଂ, ପୂର୍ଣ୍ଣଚନ୍ଦ୍ର ଛୋଟରାୟ, ଅଧିକାରୀ ସୁବୁଦ୍ଧି, ଗଙ୍ଗାଧର ପ୍ରଧାନ, ନିମାଇଁ ଚରଣ ସାହୁ, ମହେଶ୍ୱର ସେନାପତି, ମଧୁସୂଦନ ମହାପାତ୍ର ଏବଂ କୋଷାଧ୍ୟକ୍ଷ ଉମେଶ ପ୍ରସାଦ ଧଳଙ୍କ ସମେତ ମଞ୍ଚର କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ଟାଙ୍ଗୀ, ରଣପୁର ଓ ଚିଲିକା ବ୍ଲକର ବିଭିନ୍ନ ପଞ୍ଚାୟତରୁ ୩୦୦ରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକ ଏହି ସମାରୋହରେ ଯୋଗଦେଇଥିଲେ। ସମାରୋହଟି ବରିଷ୍ଠ ନାଗରିକଙ୍କ ସମ୍ମାନ, ସେମାନଙ୍କ ଅନୁଭବର ମୂଲ୍ୟାୟନ ଏବଂ ନୂଆ ପିଢ଼ି ସହ ଅନୁଭବ ବିନିମୟର ଏକ ସୁନ୍ଦର ମଞ୍ଚ ସୃଷ୍ଟି କରିଥିଲା।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
