ଖୋର୍ଦ୍ଧା :-ଆଜି ପୂର୍ବାହ୍ନ (ଶନିବାର) ରେ ବେଗୁନିଆ ବ୍ଲକ୍ ପରିସରରେ ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଥିଲା। ବ୍ଲକ୍ ରେ ଦୀର୍ଘଦିନ ଧରି କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ହେଉ ନଥିବା କାରଣରୁ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟଙ୍କ ମଧ୍ୟରେ କୁହୁଳୁଥିବା ଅସନ୍ତୋଷ ଆଜି ଉଗ୍ରରୂପ ଧାରଣ କରିଥିଲା।

ଗତ ଏପ୍ରିଲ ମାସରେ ତତ୍କାଳୀନ ବ୍ଲକ୍ ଉନ୍ନୟନ ଅଧିକାରୀ ଲକ୍ଷ୍ମୀଧର ସାହୁଙ୍କ ଅବସର ପରେ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ମେ ୧୯ ତାରିଖ ୨୦୨୫ ରେ ଜାରି ହୋଇଥିବା ଚିଠି ନଂ ୧୨୯୨୪ ରେ କଟକ ଜିଲ୍ଲା ମାହାଙ୍ଗା ବ୍ଲକରେ କାର୍ଯ୍ୟରତ ବିଡ଼ିଓ ସନ୍ତୋଷ କୁମାର ଜେନାଙ୍କୁ ବେଗୁନିଆ ବିଡ଼ିଓ ଭାବେ ବଦଳି କରାଯାଇଥିବା ନିର୍ଦ୍ଦେଶନାମା ପ୍ରକାଶ ପାଇଥିଲା । ତେବେ ବେଗୁନିଆକୁ ବଦଳି ହୋଇଥିବା ବିଡ଼ିଓ ସନ୍ତୋଷ କୁମାର ଜେନା ଆଜି ପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗ ଦେଇନଥିବା ବେଳେ ଖୋର୍ଦ୍ଧା ବ୍ଲକ୍ ଉନ୍ନୟନ ଅଧିକାରୀ କ୍ଷୀରାବ୍ଧି ତନ୍ନୟା ସାହୁଙ୍କୁ ଖୋର୍ଦ୍ଧା ସହିତ ବେଗୁନିଆ ବ୍ଲକର ଅତିରିକ୍ତ ଦାୟିତ୍ୱ ଜିଲ୍ଲା ପ୍ରଶାସନ ପକ୍ଷରୁ ନ୍ୟସ୍ତ କରା ଯାଇଅଛି।

ବେଗୁନିଆ ବ୍ଲକ ଦାୟିତ୍ୱରେ ଥିବା ଶ୍ରୀମତୀ ସାହୁ ଖୋର୍ଦ୍ଧା ପରି ଗୁରୁତ୍ୱପୂର୍ଣ୍ଣ ବ୍ଲକର କାର୍ଯ୍ୟ ତୁଲାଇ ବେଗୁନିଆ ଯିବା ପାଇଁ ସମୟ ପାଉନଥିବା ହେତୁ ବେଗୁନିଆ ବ୍ଲକର ଉନ୍ନୟନ କାର୍ଯ୍ୟରେ ବାଧା ସୃଷ୍ଟି କରୁଛି | ଜଣେ ମହିଳାଙ୍କ ପକ୍ଷରେ ଦୁଇଟି ଯାକ ସ୍ଥାନରେ ଉପସ୍ଥିତ ରହି କାର୍ଯ୍ୟ ନିର୍ବାହ କରିବା କଷ୍ଟକର ବ୍ୟାପାର ହୋଇଥିବାରୁ ବେଗୁନିଆ ବ୍ଲକରେ ବିଭିନ୍ନ ପ୍ରକାର ଉନ୍ନୟନ ମୂଳକ କାର୍ଯ୍ୟରେ ଶିଥିଳତାକୁ ନେଇ ଏବେ ସ୍ଥାନୀୟ ଜନ ପ୍ରତିନିଧିଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଯାହାକୁ ନେଇ ସ୍ଥାନୀୟ ବ୍ଲକ୍ ର ବିଭିନ୍ନ ପଞ୍ଚାୟତର ସମିତି ସଭ୍ୟ ଓ ସରପଞ୍ଚ ମାନେ ଶନିବାର ଦିନ ବ୍ଲକ କାର୍ଯ୍ୟାଳୟ ମୁଖ୍ୟ ଫାଟକ ନିକଟରେ ଏକତ୍ରିତ ହୋଇ ଏହାର ଦୃଢ଼ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି ।

ଏମିତିକି କେବଳ ବ୍ଲକ ରେ ଯୋଗଦାନ ପର ଠାରୁ ଶ୍ରୀମତୀ ସାହୁ ଅନ୍ୟ କୌଣସି ଦିନ ବ୍ଲକ କାର୍ଯ୍ୟାଳୟ ମାଡିନାହାନ୍ତି ବୋଲି ସ୍ଥାନୀୟ ଜନପ୍ରତିନିଧି ମାନେ ଅଭଯୋଗ ଆଣିଛନ୍ତି | ଅଭିଯୋଗ କାରୀଙ୍କ କହିବା ଅନୁଯାୟୀ ବେଗୁନିଆ ଅଧୀନରେ ରହିଥିବା ବିଭିନ୍ନ ପଞ୍ଚାୟତ ବହୁ ଲୋକେ ନିଜର କାର୍ଯ୍ୟ ସାଧନ ନିମନ୍ତେ ବ୍ଲକ କାର୍ଯ୍ୟଳୟକୁ ଆସିଥାନ୍ତି, କିନ୍ତୁ କାର୍ଯ୍ୟାଳୟରେ ଅଧିକାରୀ ଅନୁପସ୍ଥିତ ରହୁଥିବାରୁ ଅନେକ ଙ୍କୁ ନିରାଶ ହୋଇ ଘରକୁ ଫେରୁଥିବା ଦେଖିବାକୁ ମିଳୁଛି ।

ଘଟଣା ସ୍ଥଳରେ ଜନ ପ୍ରତିନିଧି ମାନଙ୍କ ଆକ୍ରୋଶକୁ ଦେଖି ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଘଟଣା ସ୍ଥଳକୁ ସମସ୍ୟାର ସମାଧାନ ନିମନ୍ତେ ବେଗୁନିଆ ତହସିଲଦାରଙ୍କୁ ପଠାଇଥିବା ବେଳେ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଜନପ୍ରତିନିଧି ମାନଙ୍କ ସାନ୍ତ୍ୱନା ଦେବା ସହିତ ଦାବିପତ୍ର ଗ୍ରହଣ କରି ଏହାର ସମାଧାନ କରିବା ନିମନ୍ତେ ପ୍ରତିଶୃତି ପ୍ରଦାନ କରିଥିଲେ |

ଆନ୍ଦୋଳନରେ ଯୋଗ ଦେଇଥିବା ଜନ ପ୍ରତିନିଧି ମାନେ ସ୍ଥାନୀୟ ବ୍ଲକର କୌଣସି ପ୍ରଶାସନିକ ଅଧିକାରୀଙ୍କୁ ଦାୟିତ୍ବ ଦିଆ ନଯାଇ ଖୋର୍ଦ୍ଧା ପରି ଗୁରୁତ୍ୱପୂର୍ଣ୍ଣ ବ୍ଲକର କାର୍ଯ୍ୟ ତୁଲାଉଥିବା ଜଣେ ମହିଳା ଅଧିକାରୀଙ୍କୁ ବେଗୁନିଆ ଦାୟିତ୍ବ ଦେବା କେତେଦୂର ଯଥାର୍ଥ, ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଆସନ୍ତା ସୋମବାର ସୁଦ୍ଧା ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି। ସମସ୍ୟାର ସମାଧାନ ନହେଲେ ବେଗୁନିଆ ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇ ପ୍ରତିବାଦ କରିବାକୁ ଚେତାବନୀ ଦେଇଛନ୍ତି ।

Subha Khabar is now on Whatsapp
Join and get latest news update delivered to you via whatsapp
Join Now