ନୟାଗଡ଼ : (ଶୁଭ ଖବର ) ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ରେଳ ଷ୍ଟେସନ ସମ୍ମୁଖରେ ଆଜି ପୂର୍ବାହ୍ନରେ ବିକ୍ଷୋଭ ପ୍ରଦର୍ଶନ ଏବଂ ଗଣ ଧାରଣା ନିମ୍ନ ଦାବିଗୁଡିକୁ ନେଇ ଅନୁଷ୍ଠିତ ହୋଇଥିଲା। ପୂର୍ବତଟ ରେଳ ମହା ପ୍ରବନ୍ଧକ ପରମେଶ୍ୱର ଫୁଂକୱାଲଙ୍କ ଗତ ମାସ ୨୧ ତାରିଖରେ ଦଶପଲ୍ଲା ଗସ୍ତ ସମୟରେ ସମୟରେ ନାଗରିକ ମଞ୍ଚ ତାଙ୍କୁ ନୟାଗଡ଼ ଷ୍ଟେସନ ଠାରେ ଭେଟି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲା। ସୂଚନା ଯୋଗ୍ୟ ବାରମ୍ବାର ଦାବି ପରେ ଗତ ଜାନୁଆରୀ ମାସରୁ ଦଶପଲ୍ଲା-ପୁରୀ ପାସେଞ୍ଜର ଟ୍ରେନକୁ ବଦଳାଇ ମେମୁ ଟ୍ରେନ ପ୍ରଚଳନ କରିବା ପାଇଁ ପୂର୍ବତଟ ରେଳ ପକ୍ଷରୁ ନଭେମ୍ବର ୧୪ ତାରିଖ ୨୦୨୪ ମସିହାରେ ଚିଠି ନଂ-୪୭୫ରେ ସମସ୍ତଙ୍କୁ ଅବଗତ କରାଯାଇଥିଲା। ତେବେ ଏହା ମଧ୍ୟରେ ୫ ମାସରୁ ଉର୍ଦ୍ଧ୍ୱ ସମୟ ଅତିକ୍ରାନ୍ତ ହୋଇ ଯାଇଥିଲେ ସୁଦ୍ଧା ମେମୁ ଟ୍ରେନ ଚାଲିଲା ନାହିଁ। ଦଶପଲ୍ଲାରୁ ଭୁବନେଶ୍ୱର, ପୁରୀ ଏବଂ ଭଦ୍ରକ ମଧ୍ୟରେ ତିନୋଟି ଟ୍ରେନ ଚଳାଚଳ କରୁଥିବା ବେଳେ ରାଜ୍ୟର ଅନ୍ୟାନ୍ୟ ସ୍ଥାନ ଏବଂ ରାଜ୍ୟ ବାହାରକୁ ଜିଲ୍ଲାରୁ କୌଣସି ଟ୍ରେନ ସୁବିଧା ନାହିଁ । ନୟାଗଡ଼ ଜିଲ୍ଲାରୁ ବ୍ୟାବସାୟିକ କାର୍ଯ୍ୟ, ଉଚ୍ଚଶିକ୍ଷା, ପରିଭ୍ରମଣ ତଥା ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଜିଲ୍ଲାବାସୀ ରାଜ୍ୟ ବହାରକୁ ଯଥା କୋଲକତା, ବେଙ୍ଗାଲୁରୁ, ବିଶାଖାପାଟଣା, ମୁମ୍ବାଇ ଆଦି ସ୍ଥାନକୁ ଯାଇଥାନ୍ତି । ମୁଖ୍ୟତଃ ଜିଲ୍ଲାର ଅଧିକାଂଶ ଅଧିବାସୀ ବ୍ୟବସାୟ ପାଇଁ କୋଲକତା ତଥା ଉଚ୍ଚଶିକ୍ଷା ଏବଂ ଚାକିରୀ ପାଇଁ ବେଙ୍ଗାଲୁରୁ ଉପରେ ନିର୍ଭର କରିଥାନ୍ତି । ତେବେ ନୟାଗଡ଼ରୁ ଏହି ସବୁ ସ୍ଥାନ ଗୁଡ଼ିକ ସହିତ ସିଧାସଳଖ ରେଳ ସଂଯୋଗ ନଥିବାରୁ ବ୍ୟବସାୟୀ ଏବଂ ଶିକ୍ଷାର୍ଥୀମାନେ ନାନା ଭାବରେ ହଇରାଣ ହୋଇଥାନ୍ତି । ତେଣୁ ନୟାଗଡ଼ରୁ ହାୱଡ଼ା ଏବଂ ବାଙ୍ଗାଲୋରକୁ ତୁରନ୍ତ ରେଳ ସଂଯୋଗ କରାଯିବା ପାଇଁ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ରେଳ ବିଭାଗ ନିକଟରେ ଦାବି କରାଯାଇଛି । ସେହିପରି ଅଧିକାଂଶ ଜିଲ୍ଲାବାସୀ ଉତ୍ତମ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲ ଏବଂ ନ୍ୟାୟ ପାଇଁ ଉଚ୍ଚ ନ୍ୟାୟାଳୟ ଉପରେ ନିର୍ଭର କରୁଥିବାରୁ ଦଶପଲ୍ଲାରୁ ଭୁବନେଶ୍ୱର ଯାଉଥିବା ମେମୁ ଟ୍ରେନ(ନଂ ୧୮୪୨୩/୧୮୪୨୪)କୁ କଟକ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା, ଦଶପଲ୍ଲାରୁ ପୁରୀ ଯାଉଥିବା ପାସେଞ୍ଜର ଟ୍ରେନ(ନଂ ୬୮୪୪୯/୫୦)କୁ ବଦଳାଇ ମେମୁ ଟ୍ରେନ ପ୍ରଚଳନ କରିବା, ଦିନକୁ ଦିନ ରେଳଯାତ୍ରୀଙ୍କ ସଂଖ୍ୟା ବଢ଼ୁ ଥିବାରୁ ଚଳାଚଳ କରୁଥିବା ଟ୍ରେନ ଗୁଡ଼ିକର ବଗି ସଂଖ୍ୟା ବୃଦ୍ଧି କରିବା, ରେଳ ଷ୍ଟେସନରେ ଆଉ ଏକ ଟିକେଟ କାଉଣ୍ଟର ଖୋଲିବା କିମ୍ବା ନୂତନ କରି ସ୍ଥାପିତ ହୋଇଥିବା ଟିକେଟ ଭେଣ୍ଡିଂ ମେସିନରେ କର୍ମଚାରୀ ନିଯୁକ୍ତି କରିବା, ନୟାଗଡ଼ ଭୁବନେଶ୍ୱର ମଧ୍ୟରେ ଅଧିକ ପାସେଞ୍ଜର ଟ୍ରେନ ଚଳାଚଳ କରିବା ତଥା ନୟାଗଡ଼ ଟାଉନ ଷ୍ଟେସନ ପରିସର ଏବଂ ଏହାର ପରିବେଶ ସଫା ସୁତୁରା ରଖିବା ଆଦି ଦାବି କରାଯାଇ ଲିଖିତ ଦାବିପତ୍ର ଗତମାସ ୧୬ ତାରିଖରେ ପୂର୍ବତଟ ରେଳପଥ ସାଧାରଣ ପ୍ରବନ୍ଧକଙ୍କ ଉଦ୍ଦେଶ୍ୟରେ ନୟାଗଡ଼ ଟାଉନ ଷ୍ଟେସନ ମ୍ୟାନେଜରଙ୍କୁ ପ୍ରଦାନ କରାଯାଇଥିଲା । ତେବେ ଦୀର୍ଘ ଏକମାସରୁ ଉର୍ଦ୍ଧ୍ଵ ସମୟ ଅତିକ୍ରାନ୍ତ ହୋଇଯାଇଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆ ନଯିବାରୁ ବାଧ୍ୟ ହୋଇ ଆଜି ନୟାଗଡ଼ ନାଗରିକ ମଞ୍ଚ ସଭାପତି ପ୍ରମୋଦ ପଟ୍ଟନାୟକ ଏବଂ ସମ୍ପାଦକ ଲକ୍ଷ୍ମୀଧର ସାହୁଙ୍କ ନେତୃତ୍ୱରେ ଷ୍ଟେସନ ସମ୍ମୁଖରେ ଗଣଧାରଣା ଦିଆଯିବା ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।
Subha Khabar is now on Whatsapp
Join and get latest news update delivered to you via whatsapp
Join Now