:ନୟାଗଡ଼ ଜିଲା ଭାପୁର ବ୍ଲକ ଫତେଗଡ଼ ମୌଜାରେ ଥିବା ଶ୍ରୀରାମ ମନ୍ଦିର ଓଡ଼ିଶା ସରକାରଙ୍କ ଦେବୋତ୍ତର ବିଭାଗ ଅଧୀନକୁ ଆସିଛି। ୨୦୨୪ ଜାନୁଆରୀ ୨୨ରେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରାଣପ୍ରତିଷ୍ଠା ସମୟରେ ଏକ ଦିନରେ ଏଠାରେ ଶ୍ରୀରାମ ମନ୍ଦିରରେ ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ ଓ ଦେବୀ ସୀତାଙ୍କ ମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା କରାଯାଇଥିଲା। ସେବେଠାରୁ ଏହି ଭବ୍ୟ ମନ୍ଦିର ସ୍ଥାନୀୟ କିଛି ଲୋକଙ୍କ ଦ୍ବାରା ପରିଚାଳନା କରାଯାଉଥିଲା। ମନ୍ଦିର ପରିଚାଳନାରେ ଅନିୟମିତତା ହେଉଥିବା ଦେବୋତ୍ତର ଆୟୁକ୍ତ ଲଲାଟେନ୍ଦୁ ଜେନାଙ୍କ ନଜରକୁ ଆସିଥିଲା। ଆୟୁକ୍ତଙ୍କ ନିର୍ଦ୍ଦେଶକ୍ରମେ ଦେବୋତ୍ତର ନିରୀକ୍ଷକ ଏହାର ପରିଚାଳନା ସମ୍ବନ୍ଧରେ ତଦନ୍ତ କରିଥିଲେ। ତଦନ୍ତ ସମୟରେ ମନ୍ଦିର ପରିଚାଳନାରେ ଥିବା ବ୍ୟକ୍ତିମାନେ ଅନୁଷ୍ଠାନର ଆୟବ୍ୟୟର ତଥ୍ୟ ପ୍ରଦାନ କରିପାରିନଥିଲେ। ଦେବୋତ୍ତର ନିରୀକ୍ଷକଙ୍କ ବିବରଣୀ ଏବଂ ଅନ୍ୟ ତଥ୍ୟାବଳୀ ବିଚାରକୁ ନେଇ ଓଡ଼ିଶା ହିନ୍ଦୁ ଦେବୋତ୍ତର ଆଇନ ଅନୁଯାୟୀ ମନ୍ଦିରକୁ ଦେବୋତ୍ତର ବିଭାଗ ଦ୍ବାରା ତାଲିକାଭୁକ୍ତ କରାଯାଇଛି। ଏହାର ପରିଚାଳନା ପାଇଁ ଏକ ନ୍ୟାସମଣ୍ଡଳୀ ଗଠନ ନିମନ୍ତେ ସହକାରୀ ଦେବୋତ୍ତର ଆୟୁକ୍ତଙ୍କୁ ନିର୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଭାପୁର ଗ୍ରାମବାସୀ, ଫତେଗଡ଼ ଓ ଶ୍ରୀରାମ ସେବା ପରିଷଦର ସକ୍ରୀୟ ସହଯୋଗରେ ପ୍ରାୟ ୧୦କୋଟି ଟଙ୍କା ବ୍ୟୟରେ ଏହି ଶ୍ରୀରାମ ମନ୍ଦିର ନିର୍ମାଣ ସମ୍ଭବ ହୋଇପାରିଛି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now