ମାଓବାଦୀ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ଧାରାରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ
ଭୁବନେଶ୍ୱର, (୨୫/୧୨):- ଓଡ଼ିଶା ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏସ. ଓ. ଜି ଚନ୍ଦକାର ନୂତନ ପ୍ରଶିକ୍ଷଣ ଓ ବ୍ରିଫିଂ କେନ୍ଦ୍ର ଉଦଘାଟନ କରିଛନ୍ତି। ଏଥିରେ ଏକା ସମୟରେ ୪୦୦ ଯବାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିହେବ।
ଏହା ସହିତ ମୁଖ୍ୟମନ୍ତ୍ରୀ ସେଠାରେ ଏକ ଅତ୍ୟାଧୁନିକ ଆତଙ୍କବାଦ ବିରୋଧୀ ପ୍ରଶିକ୍ଷଣ କେନ୍ଦ୍ରର ଶୁଭ ଉଦଘାଟନ କରିଛନ୍ତି।
ମୁଖ୍ୟମନ୍ତ୍ରୀ ୧୬ ଟି ଜିଲ୍ଲାର ୧୬ ଟି ଥାନା ଗୃହ, ୭୦ ଟି କ୍ୱାର୍ଟର, ଅଫିସ ଗୃହ, ବାରାକ୍, ଅସ୍ତ୍ରାଗାର, ପ୍ରଶାସନିକ ବିଲ୍ଡିଂ ଆଦି ପ୍ରକଳ୍ପ ମଧ୍ୟ ଉଦଘାଟନ କରିଛନ୍ତି।

ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ ଏବଂ ହିଂସାରେ ଲିପ୍ତ ସଂଗଠନ ଏବଂ ବ୍ୟକ୍ତିବିଶେଷଙ୍କୁ ସରକାର ଅତ୍ୟନ୍ତ କଠୋର ଭାବରେ ଦମନ କରିବା ପାଇଁ ବଦ୍ଧ ପରିକର ବୋଲି କହିବା ସହିତ ମୁଖ୍ୟମନ୍ତ୍ରୀ ମାଓବାଦୀ ମାନଙ୍କୁ ଆତ୍ମସମର୍ପଣ କରି ସମାଜର ମୁଖ୍ୟଧାରାରେ ସାମିଲ ହୁଅନ୍ତୁ ଏବଂ ବିକାଶ ପାଇଁ ସରକାରଙ୍କ ପ୍ରଗତି ରଥରେ ସାରଥି ସାଜନ୍ତୁ ବୋଲି ଏହି ଅବସରରେ ଆହ୍ୱାନ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେଯେ, ରାଜ୍ୟରେ ଦୀର୍ଘ ତିନି ଦଶନ୍ଧିରୁ ଉର୍ଦ୍ଧ୍ଵ ସମୟ ଧରି ଜାରି ରହିଥିବା ମାଓବାଦୀ ସମସ୍ୟାକୁ ଦମନ କରିବା ଦିଗରେ S.O.Gର ଅବଦାନ ଅନନ୍ୟ। ୨୦୨୬ ମାର୍ଚ୍ଚ ମାସ ସୁଦ୍ଧା ଦେଶରୁ ନକ୍ସଲ ବାଦ ଲୋପ କରିବା ପାଇଁ କେନ୍ଦ୍ର ସରକାର ଯେଉଁ ଡେଡ୍ ଲାଇନ ରଖିଛନ୍ତି, ସେଥିରେ ଆମେ ସଫଳ ହୋଇ ଚାଲିଛୁ ।

ନିକଟରେ ମାଲକାନଗିରି ଜିଲ୍ଲାରେ ୨୨ଜଣ ମାଓବାଦୀଙ୍କର ସମୂହ ଆତ୍ମସମର୍ପଣ ଏ ଦିଗରେ ଏକ ଉତ୍ସାହଜନକ ପଦକ୍ଷେପ। ଦେଶର ପ୍ରଧାନମନ୍ତ୍ରୀଙ୍କ ଦିଗ୍ଦର୍ଶନ ଓ ଗୃହ ମନ୍ତ୍ରୀଙ୍କ ଷ୍ଟ୍ରାଟେଜି ଯୋଗୁଁ ଦେଶ ଆଜି ଶାନ୍ତି ଓ ବିକାଶର ପଥରେ ଦୃତ ଗତିରେ ଆଗେଇ ଚାଲିଛି ।
SOG ଓ ଅନ୍ୟ ସଂପୃକ୍ତ ନକ୍ସଲ ଦମନ ସଂସ୍ଥାର ଯବାନ ମାନଙ୍କ risk allowance ବିଷୟ ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଲେ ଯେ
ଚଳିତ ଡିସେମ୍ବର ମାସଠାରୁ ନକ୍ସଲ ଦମନ ଅଭିଯାନରେ ପ୍ରତ୍ଯକ୍ଷ ଭାବେ ନିୟୋଜିତ ସ୍ପେସାଲ ଅପରେସନ୍ ଗ୍ରୁପ୍ ବା SOGର ଅଫିସରମାନେ ମାସିକ ସର୍ବାଧିକ ୨୫,୦୦୦ ଟଙ୍କା Allowance ପାଇବେ ।

SOG ର ସୁବେଦାର ଓ ଡେପୁଟି ସୁବେଦାରମାନେ ମାସିକ ୨୪,୦୦୦ ଟଙ୍କା, ହାବିଲଦାରମାନେ ମାସିକ ୨୦,୦୦୦ ଟଙ୍କା, ଏବଂ କନଷ୍ଟେବଲ ଓ ସିପାହୀମାନେ ମାସକୁ ୧୬,୦୦୦ ଟଙ୍କା ଭତ୍ତା ପାଇବେ । ସେହିପରି,SOG ଏବଂ AET ଓ RC ର ଅଧିକାରୀ ଓ କର୍ମଚାରୀମାନେ ପ୍ରତ୍ୟକ୍ଷ ଭାବରେ ଅଭିଯାନରେ ସାମିଲ ହୋଇନଥିଲେ ମଧ୍ୟ ଟ୍ରେନିଂ ଓ ଅନ୍ୟାନ୍ୟ ଡ୍ୟୁଟିରେ ଥିଲେ ମାସିକ ସର୍ବାଧିକ ୧୨,୦୦୦ ଟଙ୍କା ପାଇବେ ।
ସେହିପରି ଡିଷ୍ଟ୍ରିକ୍ଟ ଭଲ୍ୟୁଣ୍ଟିଅର ଫୋର୍ସର କର୍ମଚାରୀମାନେ ମାସିକ ସର୍ବାଧିକ ୧୦,୦୦୦ ଟଙ୍କା ଏବଂ SIW ସ୍ପେସାଲ ଇଣ୍ଟେଲିଜେନ୍ସ ୱିଙ୍ଗ୍ର କର୍ମଚାରୀମାନେ ମାସିକ ସର୍ବାଧିକ ୨୦,୦୦୦ ଟଙ୍କା ଭତ୍ତା ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ସେ କହିଥିଲେ, ପୁଲିସ ବିଭାଗକୁ ଅଧିକ ଶକ୍ତିଶାଳୀ ଏବଂ କ୍ରିୟାଶୀଳ କରିବା ନିମନ୍ତେ ଆମ ସରକାରଙ୍କଦ୍ଵାରା ୩ଟି OSSF (ଓଡିଶା ସ୍ପେଶାଲ ଷ୍ଟ୍ରାଇକିଙ୍ଗ୍ ଫୋର୍ସ) ବାଟାଲିୟନ, ୩ଗୋଟି ଓ.ଆଇ.ଏସ.ଏଫ. (ଓଡିଶା ଇଣ୍ଡଷ୍ଟ୍ରିଆଲ ସିକ୍ଯୁରିଟି ଫୋର୍ସ), ୧୦ଟି ନୂତନ ଓଡ୍ରାଫ ୟୁନିଟ, ଗୋଟିଏ ଟ୍ରାଫିକ୍ ଓ ରୋଡ଼ ସେଫ୍ଟି ୱିଙ୍ଗ, ୨୧ଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନା ଏବଂ ଗୋଟିଏ ନୂତନ ପୁଲିସ ଜିଲ୍ଲା (ରାଇରଙ୍ଗପୁର ପୁଲିସ ଜିଲ୍ଲା) ପ୍ରତିଷ୍ଠା କରାଯାଇଛି । ଏଥି ସହିତ, ଆମ ସରକାର ପୁଲିସ ବିଭାଗରେ ସର୍ବମୋଟ ୧୫,୩୨୬ ଟି ନୂତନ ପଦବୀ ସୃଷ୍ଟି ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

ସେ ଆହୁରି କହିଥିଲେ ଯେ ରାଜ୍ୟ ସରକାର ଇତିମଧ୍ୟରେ ସଂଶୋଧିତ “ଆତ୍ମସମର୍ପଣ ଏବଂ ପୁନର୍ବାସ” ଯୋଜନାକୁ ଅନୁମୋଦନ ପ୍ରଦାନ କରିଛନ୍ତି । ଏହି ଯୋଜନା ଅନୁଯାୟୀ, ଆତ୍ମସମର୍ପଣ କରୁଥିବା ମାଓବାଦୀମାନଙ୍କୁ ୧ କୋଟି ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥ ରାଶି ସହିତ ବାସଗୃହ, ଶିକ୍ଷା ସହାୟତା, ବିବାହ ସହାୟତା ଏବଂ ରୋଜଗାର ନିମନ୍ତେ ମାସିକ ୧୦,୦୦୦ ଟଙ୍କାର ଷ୍ଟାଇପେଣ୍ଡ ସହିତ ବୃତିଗତ ତାଲିମର ସୁବିଧା ମିଳି ପାରିବ।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ SOG କମାଣ୍ଡୋ ମାନେ ସାହାସିକତା ଭରା ଆତଙ୍କ ଦମନ ଡେମୋ ଅପରେସନ ପ୍ରଦର୍ଶନ କରିଥିଲେ। ଏହି ଅବସରରେ DGP, ଯୋଗେଶ ବାହାଦୂର ଖୁରାନିଆ, ADGP (ANO) ସଞ୍ଜୀବ ପଣ୍ଡା, IGP, ଅପେରସନସ, ଡ. ଦୀପକ କୁମାର, DIGP, S.I.W ଅଖିଳେଶ୍ୱର ସିଂ, ବରିଷ୍ଠ ପୁଲିସ ଅଫିସର ସମେତ SOG ପୋଲିସ କର୍ମଚାରୀ ଗଣ ଉପସ୍ଥିତ ଥିଲେ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now