ରାଜ୍ୟବ୍ୟାପୀ ପାଳନ ହେବ ବିଜେଡିର ୨୯ତମ ପ୍ରତିଷ୍ଠା ଦିବସ

ରାଜ୍ୟର ସ୍ୱାର୍ଥ ପାଇଁ ବିଜେଡି ଲଢ଼େଇ ଜାରି ରଖିବ

୧୮ ମାସର ବିଜେପି ସରକାରର ବିଫଳତାକୁ ଲୋକଙ୍କ ପାଖକୁ ନେବ ବିଜେଡି

ଭୁବନେଶ୍ୱର, (୨୦/୧୨): -ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ ରାଜ୍ୟର ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ପାଳିତ ହେବା ସହିତ ଦଳର ମୁଖ୍ୟାଳୟ “ଶଙ୍ଖ ଭବନ” ଠାରେ ମହାସମାରୋହରେ ପାଳନ କରା‌ଯିବ ବୋଲି ଆଜି ଦଳ ପକ୍ଷରୁ ସୂଚନା ଦିଆଯାଇଛି । ଏଥିରେ ଦଳର ମାନ୍ୟବର ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି  ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ମନ୍ତ୍ରୀ ପ୍ରଦୀପ ଅମାତ, ପୂର୍ବତନ ମନ୍ତ୍ରୀ ତଥା ଭୁବନେଶ୍ଵର ଜିଲ୍ଲା ବିଜେଡି ସଭାପତି ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର (ମଧ୍ୟ) ବିଧାୟକ  ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ମେୟର ସୁଲୋଚନା ଦାସ ଏହି ସୂଚନା ପ୍ରଦାନ କରିଥିଲେ ।

ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ, ଡିସେମ୍ବର ୨୬ ତାରିଖରେ ୨୯ ତମ ପ୍ରତିଷ୍ଠା ଦିବସ ପାଳନ ଓଡ଼ିଶା ଓ ଓଡ଼ିଶାବାସୀଙ୍କ ପାଇଁ ଆଗାମୀ ବର୍ଷର କାର୍ଯ୍ୟକ୍ରମ ପାଇଁ ପ୍ରତ୍ୟୟ ନେବା ମହତ୍ତ୍ଵପୂର୍ଣ । ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ଡିସେମ୍ବର ୨୬ ତାରିଖ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଦଳ ପକ୍ଷରୁ ଭୁବନେଶ୍ଵର “ ଶଙ୍ଖ ଭବନ”ଠାରେ ପାଳନ କରାଯିବ । ଏଥିରେ ମାନ୍ୟବର ସଭାପତି  ନବୀନ ପଟ୍ଟନାୟକ ଯୋଗଦେବେ । ଏହାଛଡ଼ା ରାଜ୍ୟର ନିର୍ବାଚନମଣ୍ଡଳୀ ମାନଙ୍କରେ କ୍ଷେତ୍ରୀୟ ସ୍ତରରେ ମଧ୍ୟ ପାଳନ କରାଯିବ ।

ସାମ୍ପ୍ରତିକ ପରିସ୍ଥିତିରେ ଏକ ଦାୟିତ୍ଵ ସମ୍ପନ୍ନ ବିରୋଧୀ ଦଳ ଭାବେ ଓଡ଼ିଶା ବିକାଶର ଆଭିମୁଖ୍ୟକୁ ଆଗେଇନେବା ସହିତ ବିଭିନ୍ନ ଜନସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଗୁଡିକରେ ଜନସାଧାରଣଙ୍କୁ ସଚେତନ କରେଇବା ଓ ଓଡିଶାର ତଥା ଲୋକଙ୍କର ସ୍ୱାର୍ଥକୁ ନେଇ ସ୍ୱର ଉତ୍ତୋଳନ କରିବ | ଓଡିଶାବାସୀଙ୍କ ଭଲ ପାଇବାକୁ ପାଥେୟ କରି ବିଜେଡି ତା’ର କାର୍ଯ୍ୟକ୍ରମ ଜାରି ରଖିଛି । ଦରଦାମ ବୃଦ୍ଧି, ମହିଳା ନିର୍ଯାତନା, ଯୁବଛାତ୍ରଙ୍କ ପ୍ରତି ବିମୁଖତା,ଆଦିବାସୀ, ଦଳିତ ଓ ପଛୁଆବର୍ଗ ପ୍ରତି ଅବିଚାର, ଆଇନଶୃଙ୍ଖଳା ସ୍ଥିତିର ଅବନତି, ଆର୍ଥିକ କୁପରିଚାଳନା, ଓଡ଼ିଶାର ସ୍ଵାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗ ତଥା ପୋଲାଭରମ ଓ ମହାନଦୀ ସମ୍ପର୍କରେ ଓଡ଼ିଶାର ସ୍ୱାର୍ଥ ବ୍ୟାହତ ହେବା ସମ୍ପର୍କରେ ବିଜେଡି ବିଧାନସଭା, ରାଜ୍ୟସଭା ଓ ରାଜରାସ୍ତାରେ ସ୍ୱର ଉତ୍ତୋଳନ କରିଆସୁଛି । ବିଜେପି ସରକାରର କୃଷକ ବିରୋଧୀ ନୀତି, ସ୍ଵାସ୍ଥ୍ୟ, ଶିକ୍ଷା ପ୍ରଭୃତ କ୍ଷେତ୍ରରେ ବିଫଳତା ବିରୁଦ୍ଧରେ ଜନକ୍ଷୋଭକୁ ବିଜେଡି ଉତ୍‌ଥାପନ କରିଚାଲିଛି । ସଂପ୍ରତି ଚାଷୀ ଠାରୁ ଧାନ ସଂଗ୍ରହରେ ସରକାରର ବିଫଳତା ପ୍ରସଙ୍ଗରେ ବିଜେଡି ସ୍ୱର ଉତ୍ତୋଳନ କରୁଛି ବୋଲି ଉପରୋକ୍ତ ବରିଷ୍ଠ ନେତାମାନେ କହିଥିଲେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *