ସନ୍ଧ୍ୟା ହେଲେ ବିଭିନ୍ନ ଛକରେ ଦେଖିବାକୁ ମିଳୁଛି ନିଶାଖୋରଙ୍କ ଆଡ୍ଡାସ୍ଥଳୀ
ନିଶା ଖର୍ଚ୍ଚ ମେଂଟାଇବା ପାଇଁ ବିଭିନ୍ନ ଘୃଣ୍ୟ ବୃତି ଆଦରୁଛନ୍ତି ଯୁବଗୋଷ୍ଠୀ
ବେଳ ଥାଉ ଥାଉ ସତର୍କ ନ ହେଲେ ଆଗକୁ ପରିସ୍ଥିତି ଜଟିଳ ହେବ
ଖୋର୍ଦ୍ଧା,୨୦ା୯: ଖୋର୍ଦ୍ଧା ଓ ଏହାର ଆଖପାଖ ଅଂଚଳରେ ଦିନକୁ ଦିନ ନିଶା କାରବାର ବଢ଼ିଚାଲିଛି । ନିଶାସେବନକାରୀଙ୍କ ସଂଖ୍ୟା ବି ବଢ଼ିଛି । ହାତ ପାହାନ୍ତାରେ ନିଶାଦ୍ରବ୍ୟ ସହଜରେ ମିଳିଯାଉଥିବାରୁ ମାରାତ୍ମକ ନିଶା କବଳରେ ପଡିଲେଣି ଆଜିର ଯୁବପିଢ଼ି । ଅଧିକାଂଶ ଯୁବଗୋଷ୍ଠୀ ମଦ, ଗଞ୍ଜେଇ, କଫ୍ ସିରପ, ନିଶା ବଟିକା ଓ ବ୍ରାଉନ ସୁଗାର କାରବାରଠାରୁ ଆରମ୍ଭ କରି ବିଭିନ୍ନ ବେଆଇନ କାର୍ଯ୍ୟରେ ନିଜକୁ ଲିପ୍ତ ରଖୁଛନ୍ତି । ନିଶା ଉପରେ ନିୟନ୍ତ୍ରଣ ନ ଥିବାରୁ ସ୍ଥିତି ବିଗିଡ଼ିବାକୁ ଲାଗିଲାଣି । ସନ୍ଧ୍ୟା ହେଲେ ବିଭିନ୍ନ ଛକରେ ନିଶାଖୋରଙ୍କ ଆଡ୍ଡାସ୍ଥଳୀ ପାଲଟିଥିବାବେଳେ ଅବକାରୀ ବିଭାଗ ଓ ପୋଲିସ ପ୍ରଶାସନର ନିଷ୍କ୍ରିୟତା ପାଇଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ସାମାଜିକ କର୍ମୀ ପ୍ରଫୁଲ୍ଲ ଦାଶ କୁହନ୍ତି, ଯୁବଗୋଷ୍ଠୀ ବିପଥଗାମୀ ହେବା ପାଇଁ ଅନେକ ରାସ୍ତା ମଧ୍ୟରୁ ନିଶା ସେବନ ଏକ ମୁଖ୍ୟ ମାରାତ୍ମକ ରାସ୍ତା । ଆଜିର ବହୁ ଯୁବଗୋଷ୍ଠୀ ନିଶାସକ୍ତ ହୋଇ ଉଚିତ୍ ପଥ ଭୁଲି ମନ୍ଦ ଓ ଅସାମାଜିକ ପଥରେ ଗତି କରୁଛନ୍ତି । କେବଳ ଅଶିକ୍ଷିତ ଯୁବଗୋଷ୍ଠୀ ନୁହନ୍ତି ଆଜିର ଅଧିକାଂଶ ଶିକ୍ଷିତ ଯୁବକ ଯୁବତୀ ଏହି କ୍ଷତିକାରକ ନିଶାଦ୍ରବ୍ୟ ପ୍ରତି ଘୋର ଆସକ୍ତ । ନିଶାଗ୍ରସ୍ତ ହୋଇ ଯୁବଗୋଷ୍ଠୀ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅର୍ଥ ପାଇଁ ପିତାମାତାଙ୍କ ଉପରେ ନିର୍ଭର କରୁଥିବା ଛାତ୍ରୀଛାତ୍ର ଏଥିରୁ ବାଦ୍ ପଡୁନାହାନ୍ତି । ନିଶା ଖର୍ଚ୍ଚ ମେଂଟାଇବା ପାଇଁ କେତେକ ଘୃଣ୍ୟ ବୃତି ଆଦରି ନେଉଛନ୍ତି । ସେମାନଙ୍କ ମଧ୍ୟରୁ କେତେଜଣ ଲୁଣ୍ଠନ ଓ ନରହତ୍ୟା ଭଳି ଜଘନ୍ୟ କାଣ୍ଡ କରିବାକୁ ପଶ୍ଚାତ୍ପଦ ହେଉନାହାନ୍ତି । ଶିକ୍ଷିତ ଯୁବକ ନିଶାପାନ କରି ହିତାହିତ ଜ୍ଞାନ ହରାଇ ବର୍ବର ପାଲଟି ଯାଉଛନ୍ତି ।

ସେହିପରି ଶିକ୍ଷାବିତ୍ ପ୍ରମୋଦ ସାମନ୍ତରାୟ କୁହନ୍ତି, ନିଶା ବେପାର ଓ ସେବନ କ୍ଷେତ୍ରରେ ପ୍ରାୟ କିଶୋର ଓ କିଶୋରୀମାନେ ଆଗରେ ରହିଥିବା ବିଭିନ୍ନ ସର୍ଭେରୁ କୁହାଯାଉଛି । ଏକ ସର୍ଭେ ରିପୋର୍ଟ ଅନୁଯାୟୀ, ନିଶା ସେବନରେ ୪୫.୬ ପ୍ରତିଶତ କିଶୋର ଓ କିଶୋରୀ ନିଶା ସେବନ କରୁଥିବା ବେଳେ ୫୪.୪ ପ୍ରତିଶତ କିଶୋର ଓ କିଶୋରୀ କୌଣସି ତମାଖୁ ସେବନ କରୁନାହାନ୍ତି । ସେମାନଙ୍କ ମଧ୍ୟରୁ ୧୩ ପ୍ରତିଶତ କିଶୋର ସିଗାରେଟ୍, ବିଡ଼ି ଓ ଗଞ୍ଜେଇ ଭଳି ଧୂଆଁ ଜାତୀୟ ତମାଖୁ ସେବନ କରୁଥିବା ବେଳେ ଉଭୟ କିଶୋର ଓ କିଶୋରୀଙ୍କ କ୍ଷେତ୍ରରେ ଏହି ସଂଖ୍ୟା ୭ ପ୍ରତିଶତ ରହିଥିଲା । ସେହିପରି ୪୨ପ୍ରତିଶତ କିଶୋର ଓ କିଶୋରୀ ଧୂଆଁ ବିହୀନ ତମାଖୁ ସେବନ କରୁଥିବାବେଳେ ୧୭ ପ୍ରତିଶତ ଖଇନି ସେବନ କରୁଥିଲେ । ଗୁଟଖା ଖାଉଥିବା କିଶୋରଙ୍କ ସଂଖ୍ୟା ସବୁଠୁ ଅଧିକ ରହିଥିଲା ।

ପ୍ରାଧ୍ୟାପକ ଗୋପାଳ ଦାସ କୁହନ୍ତି, ଯୁବ ସମାଜ ହେଉଛି ରାଷ୍ଟ୍ରର ମେରୁଦଣ୍ଡ । କୃଷି, ଶିଳ୍ପ, ପ୍ରତିରକ୍ଷା, ଗବେଷଣା ଆଦି ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କ ଅବଦାନ ରହିଲେ ଯେକୌଣସି ରାଷ୍ଟ୍ର ବିକାଶ କ୍ଷେତ୍ରରେ ଅଗ୍ରଗତି କରିବା ଅବଶ୍ୟମ୍ଭାବୀ । ଯେକୌଣସି ରାଷ୍ଟ୍ରର ସ୍ୱାଧୀନତା ଆନ୍ଦୋଳନ କିମ୍ବା ନ୍ୟାୟ ପାଇଁ ଗଣ ଅ।ନ୍ଦୋଳନରେ ସେମାନେ ମୁଖ୍ୟ ଭୂମିକା ଗ୍ରହଣ କରିଥାଆନ୍ତି । ରୁଷିଆ, ଆମେରିକା, ଲଣ୍ଡନ ପରି ବୃହତ୍ ରାଷ୍ଟ୍ରରେ ଯୁବଗୋଷ୍ଠୀର ଭୂମିକା ଅତୁଳନୀୟ । କେବଳ ରାଷ୍ଟ୍ର ନୁହେଁ, ସମାଜ ଓ ପରିବାରର ଯୁବକ ହେଉଛି ସାହାଭରସା । ମାତ୍ର ଆମ ରାଜ୍ୟରେ ରାଜସ୍ୱ ଆଦାୟ ପାଇଁ ଗଳିକନ୍ଦିରେ ମଦ ଦୋକାନ ଖୋଲି ମଦର ବହୁଳ ପ୍ରସାର କରାଯାଉଥିବାରୁ ଯୁବଗୋଷ୍ଠୀ ପଥଭ୍ରଷ୍ଟ ହେଉଛନ୍ତି । ଯଦି ବେଳ ଥାଉ ଥାଉ ସତର୍କ ନ ହେବେ ଆଗକୁ ପରିସ୍ଥିତି ଜଟିଳ ହୋଇଯିବ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି ।

ଜିଲା ଅବକାରୀ ଅଧିକ୍ଷକ ସୁମତୀ ତ୍ରୀପାଠୀଙ୍କୁ ପଚାରିବାରେ ସେ କୁହନ୍ତି, ଜାତୀୟ ରାଜପଥ ସମେତ ବିଭିନ୍ନ ଅଂଚଳରେ ଅବକାରୀ ଟିମ ଚଢଉ ଆରମ୍ଭ କରିଛି । ବର୍ଷକ ଭିତରେ ଅବକାରୀ ଟିମ ଜାତୀୟ ରାଜପଥ ସମେତ ଏହା ନିକଟ ବିଭିନ୍ନ ସ୍ଥାନରେ ଚଢଉ କରି ପ୍ରାୟ ୨୨କୁଇଁଟାଲ ରୁ ଉର୍ଦ୍ଧ ଗଞ୍ଜେଇ ଜବତ କରିଥିବାବେଳେ ବହୁ ପୁରୁଷ ଓ ମହିଳା ବେପାରୀଙ୍କୁ ଗିରଫ କରିଛି । ସେହିପରି ୨୦୨୪-୨୫ରେ ୩୩ଟି ମାମଲାରେ ୧୮୯୩.୯କେଜି ଗଞ୍ଜେଇ ଜବତ ହୋଇଥିବା ଅବକାରୀ ଅଧିକ୍ଷକ ଶ୍ରୀମତୀ ତ୍ରୀପାଠୀ ସୂଚନା ଦେଇଛନ୍ତି । ଏଥିସହିତ ବିଭିନ୍ନ ସ୍ଥାନରେ ଚଢଉ ସମୟରେ ମଦ ଜବତ କରିବା ସହ ପୋଚ ଓ ସାମଗ୍ରୀ ନଷ୍ଟ କରାଯାଉଛି । ବ୍ରାଉନସୁଗର ବେପାରୀଙ୍କ ଧରାଯାଉଥିବାବେଳେ ବହୁ ପରିମାଣର ବ୍ରାଉନସୁଗର ବର୍ଷକ ଭିତରେ ଜବତ ହୋଇଥିବା କହିଛନ୍ତି ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now