ବିବାହିତା ମହିଳାଙ୍କ ସହ ସମ୍ପର୍କକୁ ଦୁଷ୍କର୍ମ କୁହାଯାଇପାରିବ ନାହିଁ :  ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଭୁବନେଶ୍ୱର , (ବ୍ୟୁରୋ) :- ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ମତ ହେଉଛି, ଯଦି କୌଣସି ବିବାହିତା ମହିଳା ଜଣେ ପୁରୁଷଙ୍କ ମିଛ ବିବାହ ପ୍ରତିଶ୍ରୁତି ଶୁଣି ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରନ୍ତି, ତେବେ ଏହାକୁ ଦୁଷ୍କର୍ମ କୁହାଯାଇପାରିବ ନାହିଁ। କୋର୍ଟ ଏହାକୁ ଅନୈତିକତା ଏବଂ ବିବାହ ସଂସ୍ଥାର ଅବହେଳା ବୋଲି ବର୍ଣ୍ଣନା କରିଛନ୍ତି, କିନ୍ତୁ ଏହା ଆଇନଗତ ଅପରାଧ ନୁହେଁ।ବାର ଆଣ୍ଡ ବେଞ୍ଚରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏହି ରାୟ ଜଷ୍ଟିସ ଶାଲିନୀ ସିଂହ ନାଗପାଲ ଏକ ମାମଲାର ଶୁଣାଣି କରି ପ୍ରଦାନ କରିଛନ୍ତି । ଏହି ମାମଲାରେ ଜଣେ ବିବାହିତା ମହିଳା ଜଣେ ବ୍ୟକ୍ତିଙ୍କ ବିରୁଦ୍ଧରେ ବିବାହର ମିଛ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ କରିଥିବାର ଅଭିଯୋଗ ଆଣିଥିଲେ। ନିମ୍ନ ଅଦାଲତ ଅଭିଯୁକ୍ତଙ୍କୁ ୯ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଥିଲେ। କିନ୍ତୁ ହାଇକୋର୍ଟ ଏହି ରାୟକୁ ରଦ୍ଦ କରିଦେଇଛନ୍ତି।
ଜଷ୍ଟିସ ଶାଲିନୀ ସିଂହ ନାଗପାଲ ଏହାକୁ କେବଳ ବ୍ୟଭିଚାର, ଅନୈତିକତା ଏବଂ ବିବାହ ସଂସ୍ଥାର ଅବହେଳା ଦ୍ୱାରା କରାଯାଇଥିବା ଅବମାନନା ବୋଲି ବର୍ଣ୍ଣନା କରିଛନ୍ତି। ଏହା ଦୁଷ୍କର୍ମ ମାମଲା ନୁହେଁ ବୋଲି ହାଇକୋର୍ଟ କହିଛନ୍ତି । ରାୟରେ କୁହାଯାଇଛି,


“ପୀଡ଼ିତା କୌଣସି ବୋକି କିମ୍ବା ଅଜ୍ଞାନ ଯୁବତୀ ନଥିଲେ, ବରଂ ଦୁଇ ପିଲାଙ୍କ ମା’ ଏବଂ ଅଭିଯୁକ୍ତଙ୍କଠାରୁ 10 ବର୍ଷରେ ବଡ଼ ଥିଲେ। ସେ ନିଜେ ବୁଦ୍ଧିମାନ ଓ ପରିପକ୍ୱ ଥିଲେ। ତାଙ୍କୁ ନିଜ ନିଷ୍ପତ୍ତିର ପରିଣାମ ବୁଝିବାର ସମ୍ପୂର୍ଣ୍ଣ ଜ୍ଞାନ ଥିଲା।”ରିପୋର୍ଟ ଅନୁଯାୟୀ ଅଦାଲତ କହିଛନ୍ତି,
“ଯେତେବେଳେ ଜଣେ ସମ୍ପୂର୍ଣ୍ଣ ପରିପକ୍ୱ ବିବାହିତା ମହିଳା, ବିବାହର ପ୍ରତିଶ୍ରୁତିରେ ଯୌନ ସମ୍ପର୍କ ପାଇଁ ସହମତି ଦିଅନ୍ତି ଏବଂ ଏପରି କାର୍ଯ୍ୟରେ ସାମିଲ ହୁଅନ୍ତି, ତେବେ ଏହା କେବଳ ଅନୈତିକତା ଏବଂ ବିବାହ ସଂସ୍ଥାର ଅବହେଳା ଦ୍ୱାରା ଅବମାନନା ଅଟେ। ଏପରି ପରିସ୍ଥିତିରେ ଏହା କହିବା ଯେ ସେ ମିଛ ପ୍ରତିଶ୍ରୁତିରେ ଭୁଲାଇ ଦେଇଥିଲେ, ତାହା ଗ୍ରହଣୀୟ ନୁହେଁ।”ଏହି ମାମଲାରେ ମହିଳାଜଣକ ଦାବି କରିଥିଲେ ଯେ ସେ ନିଜ. ସ୍ୱାମୀଙ୍କଠାରୁ ଛାଡ଼ପତ୍ର ନେବା ପ୍ରକ୍ରିୟାରେ ଥିଲେ। କିନ୍ତୁ କୋର୍ଟ ଜାଣିବାକୁ ପାଇଲେ ଯେ ଏହି ଦାବି ମିଛ ଥିଲା। ମହିଳା ମଧ୍ୟ ସ୍ୱୀକାର କରିଥିଲେ ଯେ ସେ ନିଜ ଶାଶୁଘରେ ରହୁଥିଲେ। ସେ କେବେହେଲେ ନିଜ ସ୍ୱାମୀଙ୍କ ବିରୁଦ୍ଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ କିମ୍ବା ଛାଡ଼ପତ୍ର ମାମଲା ଦାୟର କରିନଥିଲେ। ମହିଳାଙ୍କ ଅନ୍ୟ ଏକ ଦାବି ଥିଲା ଯେ ଅଭିଯୁକ୍ତ ତାଙ୍କ ସହ ୫୫-୬୦ ଥର ସମ୍ପର୍କ ସ୍ଥାପନ କରିଥିଲେ। କିନ୍ତୁ ସେ ଏହା ପାଇଁ କୌଣସି ତାରିଖ କିମ୍ବା ନିର୍ଦ୍ଦିଷ୍ଟ ତଥ୍ୟ ଦେଇପାରିନଥିଲେ।ହାଇକୋର୍ଟ ନିଜ ନିଷ୍ପତ୍ତିରେ କହିଛନ୍ତି ଯେ ଏହା ସ୍ପଷ୍ଟ ଭାବେ ସହମତିରେ ଗଢ଼ା ସମ୍ପର୍କ ଥିଲା, ଯାହା ପରେ ଖରାପ ହୋଇଗଲା। ଏହି ସମ୍ପର୍କ ସେତେବେଳେ ପର୍ଯ୍ୟନ୍ତ ଚାଲିଥିଲା ଯେପର୍ଯ୍ୟନ୍ତ ମହିଳାଙ୍କୁ ଜଣାନଥିଲା ଯେ ଅଭିଯୁକ୍ତ ଅନ୍ୟ ଜଣଙ୍କୁ ବିବାହ କରିଛନ୍ତି। ହାଇକୋର୍ଟ କହିଛନ୍ତି ଯେ ଏପରି ସମ୍ପର୍କକୁ ଅପରାଧିକ ମାମଲା କରି ପ୍ରତିଶୋଧ ନେବା ପାଇଁ ବ୍ୟବହାର କରାଯାଇପାରିବ ନାହିଁ। ହାଇକୋର୍ଟ କହିଛନ୍ତି ଯେ ଯଦି କୌଣସି ପ୍ରତିଶ୍ରୁତି ଦିଆଯାଇଥିଲା ତେବେ ତାହା ଆଇନ ଏବଂ ସମାଜର ନୈତିକତା ବିରୁଦ୍ଧରେ ଥିଲା। ଏପରି ମାମଲାରେ ଭାରତୀୟ ଦଣ୍ଡ ସଂହିତାର ଧାରା ୩୭୬ (ଦୁଷ୍କର୍ମ) ଏବଂ ଭାରତୀୟ ପ୍ରମାଣ ଅଧିନିୟମର ଧାରା ୧୧୪- କ ପ୍ରଯୁଜ୍ୟ ହୁଏ ନାହିଁ। ହାଇକୋର୍ଟ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ବୋଲି ଘୋଷଣା କରିଛନ୍ତି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *