ଖୋର୍ଦ୍ଧା: (୨୩/୦୮) -ସୃଷ୍ଟିର ସବୁଠାରୁ ଉପକାରୀ ପ୍ରାଣୀ ଗୋମାତା । ହିନ୍ଦୁ ଧର୍ମରେ ଗାଈ ଙ୍କର ମହତ୍ୱପୂର୍ଣ୍ଣ ସ୍ଥାନ ରହିଛି । ଗାଈକୁ ଉଭୟ ମା ଏବଂ ଦେବୀଙ୍କ ସ୍ଥାନ ପ୍ରଦାନ କରାଯାଇଛି । ଦ୍ୱାପର ଯୁଗରେ ସ୍ୱୟଂ ଭଗବାନ୍ କୃଷ୍ଣ ଗୋପାଳ ଭାବରେ ଅବତାର ନେଇ ଗୋ-ମହିମାକୁ ପ୍ରଚାର କରିଛନ୍ତି । ଭାରତୀୟ ଧର୍ମ ଶାସ୍ତ୍ରରେ ଗୋ-ମହିମା ଓ ଉପାସନାର ବର୍ଣ୍ଣନା ଅନେକ । ବୈଦିକ କାଳରୁ ଋଷି, ମୁନିଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସଭିଏ ନିଜର ଭରଣ ପୋଷଣ ନିମନ୍ତେ ମୁଖ୍ୟତଃ କୃଷି ଓ ଗୋ-ପାଳନ ଉପରେ ନିର୍ଭର କରୁଥିଲେ । ଗାଈଠାରୁ ଦୁଗ୍ଧ ଆଦି ପଂଚଗବ୍ୟ(କ୍ଷୀର, ଘିଅ, ଦହି, ଗୋବର ଓ ଗୋମୂତ୍ର) ମିଳୁଥିବା ବେଳେ ବଳଦ ଚାଷ ଓ ପରିବହନରେ ସାହାଯ୍ୟ କରିଥାଏ । ତେଣୁ ଗୋଜାତିକୁ ଗୋସମ୍ପଦ ବୋଲି କୁହାଯାଉଛି । ପୁରାଣ ଅନୁଯାୟୀ ଗାଈଙ୍କ ମଧ୍ୟରେ ସମସ୍ତ ଦେବତାଙ୍କ ବାସ ରହିଛି । ସେଥିପାଇଁ ହିନ୍ଦୁମାନେ ଗାଈଙ୍କୁ ସବୁଠାରୁ ପବିତ୍ର ବୋଲି ମାନନ୍ତି । ମାନ୍ୟତା ରହିଛି ଯେଉଁ ସ୍ଥାନରେ ଗୋମାତା ଠିଆ ହୋଇ ଆନନ୍ଦର ନିଶ୍ୱାସ ପ୍ରଶ୍ୱାସ ନିଅନ୍ତି, ସେହି ସ୍ଥାନର ବାସ୍ତୁ ଦୋଷ ସମ୍ପୂର୍ଣ୍ଣ ଦୂର ହୋଇଯାଏ ।

ପୁରାଣରେ ରହିଛି ଯେ, ଗାଈଙ୍କ ବେକରେ ଘଂଟି ବାନ୍ଧିବା ଆବଶ୍ୟକ ଅଟେ । ଏହି ଘଂଟିର ଶବ୍ଦ ବହୁ ବାସ୍ତୁ ଦୋଷ ଦୂର କରିଥାଏ । ଗାଈ ର ପାଦରେ ଥିବା ଖୁରାରେ ନାଗ ଦେବତା ବାସ କରୁଥିବା କୁହାଯାଏ । ତେଣୁ ଯେଉଁ ସ୍ଥାନରେ ସେ ବିଚରଣ କରନ୍ତି, ସେହି ସ୍ଥାନ ମାନଙ୍କୁ ସର୍ପ, ବିଛା ଆଦି ଆସନ୍ତି ନାହିଁ । ବେଦ ପୁରାଣ ଅନୁଯାୟୀ ଯେଉଁମାନେ ଗାଈଙ୍କର ସେବା କରନ୍ତି, ସୋନଙ୍କର ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ । ଗାଈଙ୍କର ଗୋଟିଏ ଆଖିରେ ସୂର୍ଯ୍ୟ ଓ ଅନ୍ୟଟିରେ ଚନ୍ଦ୍ରମା ବାସ କରନ୍ତି । ଗାଈଙ୍କ କ୍ଷୀରରେ ରୋଗପ୍ରତିରୋଧକ ଶକ୍ତି ଥାଏ । ତେଣୁ ନିୟମିତ କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ ହିତକାରକ ।
ଶିବ ପୁରାଣ ଅନୁସାରେ, ଗୋମାତାଙ୍କ ପଛ ପାର୍ଶ୍ୱ ରେ ସୃଷ୍ଟିକର୍ତା ବ୍ରହ୍ମା, ଗଳାରେ ଭଗବାନ ବିଷ୍ଣୁ, ମୁଁହ ରେ ମହାଦେବ ବାସ କରନ୍ତି । ମଧ୍ୟ ଭାଗରେ ସମସ୍ତ ଦେବତା ବାସ କରନ୍ତି । ଗୋମୂତ୍ର ରେ ନଦୀ, ଗୋବରରେ ମା ଲକ୍ଷ୍ମୀ ବାସ କରନ୍ତି । ଗାଈଙ୍କ ପୁଛ ବା ଲାଞ୍ଜରେ ହନୁମାନଙ୍କ ବାସ ହୋଇଥାଏ । ତେଣୁ ଖରାପ ଦୃଷ୍ଟି ଦୂର କରିବା ପାଇଁ ଗାଈ ପୁଛର ମଧ୍ୟ ବ୍ୟବହାର କରାଯାଉଥିବା ପ୍ରାୟ ଦେଖାଯାଏ ।

ଗୋଟିଏ ଗାଈକୁ ଚାରା ଖୁଆଇବା ୩୩ କୋଟି ଦେବାତାଙ୍କ ନିକଟରେ ଭୋଗ ଲଗାଇବା ସହ ସମାନ ବୋଲି ଶାସ୍ତ୍ରରେ କୁହାଯାଇଛି । ଗାଈ ଠାରୁ ମିଳୁଥିବା କ୍ଷୀର, ଦହି ,ଛେନା , ଗୋ ମୂତ୍ର, ଗୋବର ଆଦି ଅନେକ ରୋଗର ମହୋଷଧି ଅଟେ । କଳା ଗାଈଙ୍କୁ ପୂଜା କରିବା ଦ୍ୱାରା ନବଗ୍ରହ ଶାନ୍ତ ହୋଇଥାଆନ୍ତି ।ଯେ କେହି ଶ୍ରଦ୍ଧା ପୂର୍ବକ କଳା ଗାଈକୁ ପୂଜା କରନ୍ତି ସେମାନଙ୍କର ଗ୍ରହ ଦୋଷ ଦୂର ହେବା ସହ ଶତ୍ରୁ ଭୟ ମଧ୍ୟ ରହେ ନାହିଁ ବୋଲି ପୁରାଣରୁ ସଂଗୃହିତ । ଯଦି କୌଣସି କାର୍ଯ୍ୟରେ ବାଧା ଥାଏ,ତେବେ ତାହାକୁ ଗାଈଙ୍କ କାନରେ କହିଲେ ସେହି କାର୍ଯ୍ୟରେ ସଫଳତା ମିଳିଥାଏ ବୋଲି ସାଧୁସନ୍ଥମାନେ କୁହନ୍ତି ।
ଅନ୍ୟପକ୍ଷରେ ସମଗ୍ର ସୃଷ୍ଟି ପଂଚମହାଭୂତ ଯଥା: କ୍ଷିତି(ମାଟି), ଅପ୍(ଜଳ), ତେଜ(ଅଗ୍ନି), ମରୁତ୍(ବାୟୁ), ବ୍ୟୋମ(ଆକାଶ) କୁ ନେଇ ଗଠିତ । ଅତ୍ୟାଧୁନିକତାର ପ୍ରଭାବରେ ଏସବୁ ଆଜି ବିଷାକ୍ତ ଓ ପ୍ରଦୂଷିତ । ଫଳତଃ ଦିନକୁ ଦିନ ମନୁଷ୍ୟ ସମେତ ସମଗ୍ର ଜୀବଜଗତ ରୋଗାକ୍ରାନ୍ତ । ଏହାର କୁପ୍ରଭାବରେ ଅନେକ ପ୍ରାଣୀ ଏ ଧରାପୃଷ୍ଟରୁ ନିଶ୍ଚିହ୍ନ ହୋଇଗଲେଣି । ମନୁଷ୍ୟର ଲୋଭ ଭୟଙ୍କର ରୂପ ଧାରଣ କରିଛି ଓ କ୍ରୁର ଆଚରଣ କରିବାରେ ଲାଗିଛି । ଗୋବଂଶ ଏହି ପ୍ରଦୂଷଣକୁ ଅନେକ ମାତ୍ରାରେ ରୋକିବାରେ ସମର୍ଥ ବୋଲି ସାଧୁସନ୍ଥ, ପରିବେଶବିତ ଓ ଆଧୁନିକ ବୈଜ୍ଞାନିକଗଣଙ୍କ ମତ ।
ସେହିପରି ଅଧିକ ଅମଳ ଲୋଭରେ ବିଚାରଶୂନ୍ୟ ହୋଇ ରାସାୟନିକ ସାର ଓ କୀଟନାଶକର ବହୁଳ ପ୍ରୟୋଗଦ୍ୱାରା ଚାଷଜମି ନଷ୍ଟ ହୋଇଛି । କଳକାରଖାନାରୁ ନିର୍ଗତ ହେଉଥିବା ବର୍ଜ୍ୟବସ୍ତୁ ଭୂମିକୁ ପ୍ରଦୂଷିତ କରିଛି । ଗୋବର ଓ ଗୋମୂତ୍ର ଏହି ପ୍ରଦୂଷଣକୁ ରୋକିବାରେ ସମର୍ଥ । ଗୋବର ଓ ଗୋମୂତ୍ରକୁ ବ୍ୟବହାର କରି ଜମି ଉର୍ବର ହେବା ସହ ଭଲ ଫସଲ ଉତ୍ପାଦନ ହୋଇପାରିବ । ଯାହା ଧରାପୃଷ୍ଠକୁ ସବୁଜିମାରେ ପୂର୍ଣ୍ଣ କରିବା ସହ ଉତମ ସ୍ୱାସ୍ଥ୍ୟ ପ୍ରଦାନ କରିବାରେ ସହାୟକ ହେବ । କଳକାରଖାନାରୁ ନିର୍ଗତ ବିଷାକ୍ତ ଜଳ ଓ ବର୍ଷା ସମୟରେ ଚାଷ ଜମିରୁ ରାସାୟନିକ ସାର ଓ କୀଟନାଶକ ମିଶ୍ରିତ ଜଳ ନଦୀ, ପୋଖରୀରେ ମିଶିବାଦ୍ୱାରା ଜଳ ପ୍ରଦୂଷଣ ବହୁଳ ଭାବରେ ବୃଦ୍ଧି ପାଇଛି ।

କୃଷି ଓ ପ୍ରଯୁକ୍ତି ବିଭାଗର ତଥ୍ୟ ଅନୁସାରେ ଗୋବରଦ୍ୱାରା ଜଳ ବିଶୋଧନ କରାଯାଇପାରୁଛି ।ଗୋବର ଘଷି ଓ ଗୋବର ଗ୍ୟାସ୍ଦ୍ୱାରା ରୋଷେଇ କରିବା ସଙ୍ଗେସଙ୍ଗେ ଦେଶୀ ଗାଈ ଘିଅରେ ଦୀପ ଜାଳିବାଦ୍ୱାରା ଅଗ୍ନି ଶୁଦ୍ଧ ହେବା ସହ ପରିବେଶ ବିଶୁଦ୍ଧ ହୋଇଥାଏ । ଗୋବର, ଗୋମୂତ୍ର ଓ ଘିଅ ଦୀପ ବାୟୁ ବିଶୋଧକ । ଶାସ୍ତ୍ର ଅନୁଯାୟୀ ଯେଉଁଠାରେ ଗୋ-ବଂଶ ଆନନ୍ଦରେ ବାସ କରନ୍ତି ଓ ଶାନ୍ତିରେ ଶ୍ୱାସ ନିଅନ୍ତି, ସେ ସ୍ଥାନର ବାୟୁ ଓ ପରିବେଶ ଶୁଦ୍ଧ ହୁଏ ।
ମାତ୍ର ଗୋବଂଶ ଉପରେ ଦିନକୁ ଦିନ ବଢୁଥିବା ଅତ୍ୟାଚାର ଓ ସେମାନଙ୍କ ଆକୁଳ କ୍ରନ୍ଦନ ପରିବେଶକୁ ଅଶାନ୍ତ କରିଛି । ତେଣୁ ଜୀବଜଗତର ସୁରକ୍ଷା ସହିତ ଗୋବଂଶଙ୍କର ବିଶେଷ ଯନô ଆବଶ୍ୟକ । ଗୋମାତା ଙ୍କ ସ୍ନେହବୋଳା ଡାକ ଶାନ୍ତି ଓ ଆନନ୍ଦ ବର୍ଦ୍ଧକ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now